ନୂଆଦିଲ୍ଲୀ: ଭାରତବାସୀଙ୍କ ପାଇଁ ଏପରି କିଛି ଦସ୍ତାବିଜ ଅଛି ଯାହାକି ପ୍ରତିଟି କ୍ଷେତ୍ରରେ ଆବଶ୍ୟକ ହୋଇଥାଏ। ଏଥି ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ପାନ କାର୍ଡ, ରାସନ କାର୍ଡ ଏବଂ ଆଧାର କାର୍ଡ ଭଳି ଦସ୍ତାବିଜ ଅନ୍ତର୍ଭୁକ୍ତ ରହିଛି।
ଦେଶର ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ପାଖରେ ଆଧାର କାର୍ଡ ଅଛି। ସ୍କୁଲ କିମ୍ବା କଲେଜରେ ପ୍ରବେଶ ଠାରୁ ଆରମ୍ଭ କରି ସରକାରୀ ଯୋଜନା ପାଇବା ପର୍ଯ୍ୟନ୍ତ ଆଧାର କାର୍ଡ ଆବଶ୍ୟକ ହୋଇଥାଏ। ଏହି କାରଣରୁ ଯଦି ଆଧାର ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ତାହାର ଶୀଘ୍ର ସମାଧାନ କରିବା ଗୁରୁତ୍ୱପୂର୍ଣ୍ଣ।
ଅନେକଙ୍କ ଆଧାର କାର୍ଡରେ ନାମ, ଜନ୍ମ ତାରିଖ ଏବଂ ଠିକଣା ଆଦିର ସୂଚନା ଭୁଲ ଥାଏ। ଏପରି କ୍ଷେତ୍ରରେ ଲୋକମାନେ ସେଗୁଡ଼ିକୁ କିପରି ସଂଶୋଧନ କରିବେ ତାହାକୁ ନେଇ ଦ୍ବନ୍ଦ୍ବରେ ଥାଆନ୍ତି। ଏପରି କ୍ଷେତ୍ରରେ ଆଧାର ସମ୍ବନ୍ଧୀୟ କୌଣସି ସୂଚନା କିମ୍ବା ଅଭିଯୋଗ ପାଇଁ ଏଣିକି ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ। ଆପଣ ଆପଣଙ୍କ ଘରୁ ଗୋଟିଏ ନମ୍ବରରେ କଲ୍ କରି ଆପଣଙ୍କର ସମସ୍ୟା ଜଣାଇପାରିବେ। ୟୁଆଇଡିଏଆଇ ଏଥିପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଛି।
ଆଧାର ସମ୍ବନ୍ଧୀୟ ଯେକୌଣସି ସମସ୍ୟା ପାଇଁ, ଆପଣ ୟୁଆଇଡିଏଆଇ ହେଲ୍ପଲାଇନ୍ ନମ୍ବର ୧୯୪୭କୁ କଲ୍ କରିପାରିବେ। ଏହି ୟୁଆଇଡିଏଆଇ ହେଲ୍ପଲାଇନ୍ ନମ୍ବର ୨୪ ଘଣ୍ଟା ଉପଲବ୍ଧ ଏବଂ ସମସ୍ତ ପ୍ରକାରର ସୂଚନା, ଅଭିଯୋଗ ଏବଂ ଅପଡେଟ୍ ସହିତ ସହାୟତା ପ୍ରଦାନ କରିବ।