ଭୁବନେଶ୍ବର: ଓଡ଼ିଶାରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆପୋଲୋ ଗ୍ରିନ୍ ଏନର୍ଜି ୪୫୦୦ କୋଟି ଟଙ୍କା ନିବେଶ କରିବାକୁ ଆଗ୍ରହ ଦେଖାଇଛି। ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କମ୍ପାନିର ପ୍ରତିନିଧି ଏହି ସୂଚନା ଦେଇଛନ୍ତି। ସୌରଶକ୍ତି ପ୍ରକଳ୍ପ ବିକାଶରେ କମ୍ପାନି ଏହି ଅର୍ଥ ନିବେଶ କରିବ। ବର୍ତ୍ତମାନ କମ୍ପାନି ଗଞ୍ଜାମରେ ୧୫୧ କୋଟି ଟଙ୍କା ନିବେଶରେ ୫୪ ମେଗାୱାଟ୍ ବିଶିଷ୍ଟ ଏକ ସୌର ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି। ରାଜ୍ୟର ଅନ୍ୟ ସ୍ଥାନରେ ସେହି ଧରଣର ପ୍ରକଳ୍ପ ବିକାଶ କରିବାକୁ କମ୍ପାନି ଆଗ୍ରହ ପ୍ରକାଶ କରିଛି।
ଓଡ଼ିଶାରେ ୧୦୦୦ ମେଗାୱାଟ୍ର ସବୁଜ ଶକ୍ତି ପ୍ରକଳ୍ପରେ କମ୍ପାନି ୪୫୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରକଳ୍ପ ଦ୍ବାରା ରାଜ୍ୟରେ ୩୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବଳକା ବିଦ୍ୟୁତ୍କୁ ବ୍ୟାଟେରି ଜରିଆରେ ସଂରକ୍ଷିତ ରଖିବାକୁ ମଧ୍ୟ କମ୍ପାନି ପ୍ରସ୍ତାବ ଦେଇଛି। ସବୁଜ ଶକ୍ତି ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ, ଆପୋଲୋ ଗ୍ରିନ୍ ଏନର୍ଜିର ସିଇଓ ସଞ୍ଜୟ ଗୁପ୍ତା ଓ ସଭାପତି ରାକେଶ ଗୁପ୍ତା ଉପସ୍ଥିତ ଥିଲେ।