ଭୁବନେଶ୍ବର: ସାଧାରଣ ଜନତାଙ୍କୁ ଟ୍ରେଜେରି ଚାଲାଣ ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରେଜେରି କିମ୍ବା ବ୍ୟାଙ୍କରେ ଠିଆ ହେବାକୁ ପଡ଼ିବ ନାହିଁ। ସେମାନେ ଯେଭଳି ସୁବିଧାରେ ଏହା ପାଇପାରିବେ, ସେଥିପାଇଁ ଏକ ମୋବାଇଲ୍ ଆପ୍ ବିକାଶ କରାଯିବ ବୋଲି ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର କହିଛନ୍ତି। ଓଡ଼ିଶା ମହାଲେଖାକାର କାର୍ଯ୍ୟାଳୟ ଓ ଅର୍ଥ ବିଭାଗ ସହଯୋଗରେ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପ୍ରତିଷ୍ଠାନରେ ଅନୁଷ୍ଠିତ ଦ୍ବିତୀୟ କୋଷାଧିକାରୀ କର୍ମଶାଳାକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

Advertisment

ଅବସରର ୩ ମାସ ପୂର୍ବରୁ ଏଜିରେ ପହଞ୍ଚିବ ପେନ୍‌ସନ୍ ଆବେଦନପତ୍ର
କାଗଜବିହୀନ ହେବ ଓଡ଼ିଶା ଏଜି

ନିଜ ଉଦ୍‌ଘାଟନୀ ଅଭିଭାଷଣରେ ଶ୍ରୀ ମିଶ୍ର କହିଛନ୍ତି ଯେ ଅବସର ଦିନ ଯେଭଳି କର୍ମଚାରୀ ପେନ୍‌ସନ୍ ପାଇବା ସୁନିଶ୍ଚିତ ହେବ, ସେଥିପାଇଁ ତାଙ୍କ ଆବେଦନପତ୍ର ତିନି ମାସ ପୂର୍ବରୁ ଏଜି କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ।  ତାହା ନିଶ୍ଚିତ କରିବାକୁ ସେ କର୍ମଶାଳାରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ’ରେ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ଆବେଦନପତ୍ର ମାର୍ଚ୍ଚ ୩୧ ସୁଦ୍ଧା ଏଜି କାର୍ଯ୍ୟାଳୟରେ ପହଞ୍ଚିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ସୂଚନା ପ୍ରଯୁକ୍ତି ବ୍ୟବହାର ଉପରେ ଗୁରୁତ୍ବ ଦେଉଥିବାରୁ ତାହାର ଉପଯୋଗ କରିବାକୁ ସେ ଆହ୍ବାନ ଦେଇଥିଲେ। ପେନ୍‌ସନ୍ ପ୍ରଦାନରେ ଏଜି ଓଡ଼ିଶା ଦେଶରେ ପ୍ରଥମ କାର୍ଯ୍ୟାଳୟ ଭାବେ ସମ୍ମାନିତ ହୋଇଥିବାରୁ ସେ ପ୍ରଶଂସା କରିଥିଲେ।

ଏହି ଅବସରରେ ପ୍ରଧାନ ମହାଲେଖାକାର ଡି ସାହୁ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ଏଜି ବିଶ୍ବସ୍ତରୀୟ ସେବା ଯୋଗାଇବା ସହ କାଗଜବିହୀନ କାର୍ଯ୍ୟାଳୟ ଭାବେ ଦେଶରେ ପ୍ରଥମ ହେବ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ଆଇଏଫ୍‌ଏମ୍‌ଏସ୍‌ ବ୍ୟବହାର କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଡିଡିଓଙ୍କ ଆକାଉଣ୍ଟ୍‌ରେ ପାଣ୍ଠି ପଡ଼ିରହିବା, ଆକାଉଣ୍ଟ୍‌ସରେ ଭୁଲ ବର୍ଗୀକରଣ, ବିଫଳ କାରବାର ତ୍ରୁଟି ସୁଧାର ଉପରେ ଆଲୋଚନା ହୋଇଥିଲା। କର୍ମଶାଳାରେ ବରିଷ୍ଠ ଉପମହାଲେଖାକାର ଶ୍ରୀରାଜ ଅଶୋକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁରେଶ ଚନ୍ଦ୍ର ତ୍ରିପାଠୀ, ଯୁଗ୍ମ ସଚିବ ଅନୀଲ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ଉପ ମହାଲେଖାକାର (ଆକାଉଣ୍ଟସ୍‌) ବିକାଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।