ନୂଆଦିଲ୍ଲୀ: ଆଇଫୋନ ନିର୍ମାତା ଆମେରିକୀୟ କମ୍ପାନି ଆପଲ୍ର ସିଇଓ ଟିମ୍ କୁକ୍ଙ୍କ ଆୟ ଶୁଣିଲେ ଅନେକ ଆଶ୍ଚର୍ଯ୍ୟ ହୋଇଯିବେ। ୨୦୨୧ରେ ସେ ଦରମା, କମ୍ପାନି ସେୟାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଆକାରରେ ପ୍ରାୟ ୭୩୩ କୋଟି ଟଙ୍କା (୯୮.୭ ନିୟୁତ ଡଲାର) ପାଇଛନ୍ତି। ଆମେରିକାର ପୁଞ୍ଜି ବଜାର ନିୟାମକ ସଂସ୍ଥା ଏସଇସିକୁ କମ୍ପାନି ପକ୍ଷରୁ ଏହି ସୂଚନା ଦିଆଯାଇଛି।
୨୦୨୦ରେ କୁକ୍ଙ୍କ ଆୟ ୧୦୪ କୋଟି ଟଙ୍କା (୧୪ ନିୟୁତ ଡଲାର) ଥିଲା। ୨୦୨୦ ତୁଳନାରେ ୨୦୨୧ରେ ତାଙ୍କ ଆୟ ୭ ଗୁଣରୁ ଅଧିକ ବୃଦ୍ଧି ଘଟିଛି। ୨୦୨୧ରେ ତାଙ୍କୁ ମୂଳ ଦରମା ଭାବେ ୨୨.୩୦ କୋଟି ଟଙ୍କା, କମ୍ପାନିର ଆର୍ଥିକ ଓ ପରିବେଶ ଲକ୍ଷ୍ୟକୁ ହାସଲ କରିପାରିଥିବାରୁ ୮୯.୨୦ କୋଟି ଟଙ୍କା ଦିଆଯାଇଛି।
ଘରୋଇ ଜେଟ୍ରେ ଯାତ୍ରା, ଛୁଟି କଟାଇବା ଆଦି ପାଇଁ ତାଙ୍କୁ ପ୍ରାୟ ୧୦.୩୩ କୋଟି ଟଙ୍କା ଦିଆଯାଇଛି। ତାଙ୍କୁ ୬୧୩ କୋଟି ଟଙ୍କା ମୂଲ୍ୟର କମ୍ପାନି ସେୟାର ମଧ୍ୟ ମିଳିଛି। ଆପଲ୍ ଏହାର ସିଇଓଙ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଯାତ୍ରୀବାହୀ ବିମାନରେ ଯାତ୍ରା କରିବା ଅନୁମତି ଦିଏନାହିଁ। ୨୦୨୧ରେ କୁକ୍ଙ୍କ ଆୟ କମ୍ପାନିର ଅନ୍ୟ ସାଧାରଣ କର୍ମଚାରୀଙ୍କ ହାରାହାରି ଆୟ ତୁଳନାରେ ୧୪୪୭ ଗୁଣା ଅଧିକ ରହିଛି। କମ୍ପାନିର କର୍ମଚାରୀଙ୍କ ହାରାହାରି ବାର୍ଷିକ ଆୟ ୫୦.୬୬ ଲକ୍ଷ ଟଙ୍କା ଅଛି।