ନୂଆଦିଲ୍ଲୀ: ବିଶ୍ବର ସବୁଠୁ ମୂଲ୍ୟବାନ କଂପାନି ଆପଲ୍ର ସିଇଓ ଟିମ୍ କୁକ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ମୁମ୍ବାଇରେ କଂପାନିର ପ୍ରଥମ ଷ୍ଟୋର୍କୁ ଉଦ୍ଘାଟନ କରିବା ପରେ ସେ ଦିଲ୍ଲୀରେ ଦ୍ବିତୀୟ ଷ୍ଟୋର ଖୋଲିବେ। ଏହାର ଅବ୍ୟବହିତ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାରତରେ ପ୍ରଯୁକ୍ତିକୁ ନେଇ ଚାଲିଥିବା କାର୍ଯ୍ୟ, ଶିକ୍ଷା, ଡେଭେଲପର, ମାନୁଫାକ୍ଚରିଂ ଓ ପରିବେଶ ଆଦି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାରା ଦେଶରେ ନିବେଶ କରିବାକୁ ଆପଲ୍ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କୁ କୁକ୍ ଜଣାଇଛନ୍ତି।
ଆଜି ଆପଲ୍ ସିଇଓ ଶ୍ରୀ କୁକ୍ ଦେଶର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ମାନୁଫାକ୍ଚରିଂ, ଇଲେକ୍ଟ୍ରୋନିକ୍ସ ରପ୍ତାନି, ଆପ୍ ଅର୍ଥନୀତି, ଦକ୍ଷତା, ନିରନ୍ତରତା ଓ ମହିଳାଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତ ସହ ଆପଲ୍ର ସମ୍ପର୍କ ଆହୁରି କିଭଳି ମଜଭୁତ ହୋଇପାରିବ ସେବିଷୟରେ ମଧ୍ୟ ଆଲୋଚନା ହୋଇଛି। ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ମଧ୍ୟ କୁକ୍ ସାକ୍ଷାତ କରିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ କୁକ୍ ଜାତୀୟ ହସ୍ତକଳା ସଂଗ୍ରହାଳୟ ଓ ହସ୍ତକଳା ଏକାଡେମି, ଲୋଧି ଆର୍ଟ ଡିଷ୍ଟ୍ରିକ୍ଟ, ଇଣ୍ଡିଆନ ସ୍କୁଲ ଅଫ୍ ଡିଜାଇନ୍ ଆଣ୍ଡ୍ ଇନୋଭେସନ୍ ଆଦି ପରିଦର୍ଶନ କରି ସେଠାରେ ସମୟ ବିତାଇଛନ୍ତି। ନିଜ ଅଭିଜ୍ଞତାକୁ ସେ ସୋସିଆଲ ମିଡିଆରେ ବାଣ୍ଟିଛନ୍ତି। ଦିଲ୍ଲୀର ସାକେତ୍ରେ ଆପଲ୍ର ଦ୍ବିତୀୟ ଅଫିସିଆଲ୍ ଷ୍ଟୋର୍କୁ କୁକ୍ ଉଦ୍ଘାଟନ କରିବେ। ମୁମ୍ବାଇ ଭଳି ଦିଲ୍ଲୀ ଷ୍ଟୋର୍ରେ ମଧ୍ୟ ସେ ଗ୍ରାହକମାନଙ୍କୁ ଷ୍ଟୋର୍କୁ ସ୍ବାଗତ କରିବେ। କୁକ୍ ଭାରତ ଆସିବା ପରଠାରୁ ତାଙ୍କୁ ନେଇ ପ୍ରବଳ ଉତ୍ସାହ ଲାଗି ରହିଛି।