ନୂଆଦିଲ୍ଲୀ : ଆଇଫୋନ୍, ଆଇପ୍ୟାଡ୍ ଓ ଆଇପଡ୍ ନିର୍ମାତା ଆମେରିକୀୟ କଂପାନି ଆପଲ୍ ପ୍ରଥମ ଥର ଲାଗି ଭାରତରେ ଏହାର ଦୁଇଟି ଅଫିସିଆଲ ଷ୍ଟୋର୍ ମୁମ୍ବାଇ ଓ ଦିଲ୍ଲୀରେ ଖୋଲିବାକୁ ଯାଉଛି। ଏଥିପାଇଁ କଂପାନିର ସିଇଓ ଟିମ୍ କୁକ୍ ଭାରତ ଆସିଛନ୍ତି। ଆମେରିକାର କାଲିଫର୍ଣ୍ଣିଆରେ ‘କୋଚେଲା’ ସଙ୍ଗୀତ ଉତ୍ସବରେ ଯୋଗ ଦେବା ପରେ ପ୍ରାୟ ୮,୭୦୦ ମାଇଲ୍ ଯାତ୍ରା କରି କୁକ୍ ମୁମ୍ବାଇରେ ଅବତରଣ କରିଛନ୍ତି। ୨୨ ଘଣ୍ଟାର ଲମ୍ବା ବିମାନ ଯାତ୍ରା ସତ୍ତ୍ବେ ସେ ମୁମ୍ବାଇରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଛନ୍ତି।
ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ସହ ମହାରାଷ୍ଟ୍ରର ଲୋକପ୍ରିୟ ଜଳଖିଆ ‘ବଡ଼ା ପାଓ’ ଖାଇଛନ୍ତି। ଏଭଳି ସୁସ୍ବାଦୁ ଖାଦ୍ୟ ସହ ପରିଚିତ କରିଥିବାରୁ ସେ ମାଧୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଓ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ଙ୍କୁ ମଧ୍ୟ ଭେଟିଛନ୍ତି। ସାତ ବର୍ଷ ବ୍ୟବଧାନ ପରେ ଭାରତ ଆସିଥିବା କୁକ୍ ଆଜି ଅପରାହ୍ନରେ ମୁକେଶଙ୍କ ଘର ଆଣ୍ଟିଲିଆରେ ତାଙ୍କୁ, ତାଙ୍କ ପୁଅ ଆକାଶ ଓ ଇଶା ଏବଂ ମନୋ ମୋଦୀଙ୍କୁ ଭେଟିଥିଲେ।
ମୁକେଶଙ୍କୁ ଭେଟିଲେ, ମୋଦୀଙ୍କୁ ଭେଟିବେ
ସେଲ୍ଫି ନେଲେ ସିନେମା, କ୍ରିକେଟ୍ ତାରକା
ମୁମ୍ବାଇରେ ଖୋଲିବ ଷ୍ଟୋର
ମୁମ୍ବାଇର ବିକେସିରେ ସ୍ଥାପନ କରାଯାଇଥିବା ନୂଆ ଷ୍ଟୋର୍ରେ ଆଜି କୁକ୍ଙ୍କୁ ବିଭିନ୍ନ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଭେଟିଛନ୍ତି। କ୍ରିକେଟ ତାରକା ଅନିଲ କୁମ୍ବଲେ, ନିଲେଶ କୁଲ୍କର୍ଣ୍ଣି, ସଙ୍ଗିତ ଜଗତର ଅର୍ମାନ୍ ମଲ୍ଲିକ, ବଲିଉଡ୍ ନାୟିକା ନେହା ଧୁପିଆ, ମାଧୁରୀଙ୍କ ସ୍ବାମୀ ଶ୍ରୀରାମ ନେନେ, ଏ ଆର୍ ରେହମାନ୍, ସୁରଜ ନାମ୍ବିଆର, ଫରାହ୍ ଅଲ୍ଲୀ ଖାନ୍ ମୌନି ରାୟ ଆଦି ଭେଟିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କୁକ୍ଙ୍କ ସହ ସେଲ୍ଫି ଉଠାଇଛନ୍ତି।
ଭାରତ ଗସ୍ତ ଅବସରରେ କୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ ବୋଲି ଚର୍ଚ୍ଚା ହେଉଛି। ଚୀନ୍ରୁ ମୁହଁ ଫେରାଇ ଭାରତରେ ନିଜର ଆଇଫୋନ୍ ଓ ଅନ୍ୟାନ୍ୟ ଉତ୍ପାଦର ଉତ୍ପାଦନ ବଢ଼ାଇବା ଉପରେ ଆପଲ୍ ଜୋର ଦେଉଛି। ତେଣୁ ସେହି ଦୃଷ୍ଟିରୁ କଂପାନି ପାଇଁ ଭାରତ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଭାବେ ଉଭା ହୋଇଛି। ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସହ ସେ ବିଭିନ୍ନ ବିଷୟରେ ସେ ଆଲୋଚନା କରିପାରନ୍ତି। ଏହା ସହିତ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ଭାରତ ଗସ୍ତ ସମୟରେ ଆପଲ୍ ସିଇଓ ଶ୍ରୀ କୁକ୍ କିଛି ଗ୍ରାହକମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ରିସେଲରମାନଙ୍କ ଜରିଆରେ ଭାରତରେ ଆପଲ୍ ଏହାର ଉତ୍ପାଦ ବିକ୍ରି କରୁଥିଲା। ଏବେ ନିଜସ୍ବ ଷ୍ଟୋର୍ ଜରିଆରେ ବିକ୍ରି ବଢ଼ାଇବାକୁ ଉଦ୍ୟମ କରିବ। ବର୍ତ୍ତମାନ ତିନିଟି କଂପାନି ଫକ୍ସକନ୍, ୱିଷ୍ଟ୍ରନ୍ ଓ ପେଗାଟ୍ରନ୍ ଭାରତରେ ଆଇଫୋନ୍ ତିଆରି କରୁଛନ୍ତି। ଖୁବ୍ଶୀଘ୍ର ସେମାନେ ଆଇପ୍ୟାଡ୍ ଓ ଆଇପଡ୍ ଉତ୍ପାଦନ ଆରମ୍ଭ କରିବେ। ଭାରତରେ ଆପଲ୍ ୬୦୦ କୋଟି ଡଲାରରୁ ଅଧିକ ଆଇଫୋନ୍ ବିକ୍ରି କରିଛି। କଂପାନି ଏବେ ଭାରତକୁ ଅଧିକ ଗୁରୁତ୍ବ ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/54d654g65a4g65d.jpg)