ପେଗାସସ୍‌ ହ୍ୟାକିଂ ପାଇଁ ଆପଲ୍‌, ଗୁଗୁଲ୍ ଦାୟୀ: ଟେଲିଗ୍ରାମ୍ ସିଇଓ

ଜାଣିଶୁଣି ଫୋନ୍‌ରେ ଗଳାବାଟ ରଖିଛନ୍ତି

ନୂଆଦିଲ୍ଲୀ: ସାରା ବିଶ୍ବରେ ହ୍ବାଟସ୍‌ଆପ୍‌ର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଥିବା ଟେଲିଗ୍ରାମ୍‌ର ସିଇଓ ପା‌ଭେଲ୍ ଡୁରୋଭ୍ ପେଗାସସ୍ ହ୍ୟାକିଂ ମାମଲାରେ ମୁହଁ ଖୋଲିଛନ୍ତି। ଏଥିପାଇଁ ସେ ଆପଲ୍ ଓ ଗୁଗୁଲ୍‌କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଇ କଂପାନି ଫୋନ୍ ପାଇଁ ଅପରେଟିଂ ସିଷ୍ଟମ୍ ଯୋଗାଉଥିବା ବେଳେ ସଫ୍ଟଓୟାରରେ ସେଭଳି ଦୃଢ଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ସେଥିପାଇଁ ଫୋନ୍‌ଗୁଡ଼ିକ ସହଜରେ ହ୍ୟାକ୍ ହୋଇପାରୁଛି। ସେ ଟେଲିଗ୍ରାମ୍‌ର ଏକ ପୋଷ୍ଟ୍‌ରେ ଲେଖିଛନ୍ତି ଯେ ଏଡ୍‌ୱାର୍ଡ ସ୍ନୋଡେନ୍‌ ୨୦୧୩ରେ ଯେଉଁ ତଥ୍ୟ ପ୍ରଘଟ କରିଥିଲେ ସେଥିରୁ ଜଣାପଡ଼ୁଛି ଯେ ବିଶ୍ବସ୍ତରରେ ଲୋକମାନଙ୍କ ଉପରେ ନଜର ରଖିବା ଲାଗି ଯେଉଁ ଅଭିଯାନ ଜାରି ରହିଛି, ଗୁଗୁଲ୍ ଓ ଆପଲ୍ ତାହାର ଏକ ଅଂଶ ହୋଇ ରହିଛନ୍ତି। ସେଥିପାଇଁ ଏହି ଦୁଇ କଂପାନି ଫୋନ୍‌ରେ ଜାଣିଶୁଣି ଗଳାବାଟ ରଖିଛନ୍ତି ଯାହା ଜରିଆରେ ତାହାକୁ ସହଜରେ ହ୍ୟାକ୍ କରାଯାଇପାରିବ।

ଏହି ଗଳା ବାଟକୁ ପ୍ରଯୁକ୍ତି ଭାଷାରେ ସିକ୍ୟୁରିଟି ବଗ୍ କୁହାଯାଉଛି। ସେହି ବାଟ ଦେଇ ଆମେରିକାର ନିରାପତ୍ତା ଏଜେନ୍ସିଗୁଡ଼ିକ ବିଶ୍ବର ଯେକୌଣସି ସ୍ମାର୍ଟଫୋନ୍‌କୁ ହ୍ୟାକ୍ କରିପାରୁଛନ୍ତି। ସେ କହିଛନ୍ତି ଯେ ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଆପଲ୍ ଓ ଗୁଗୁଲ୍ ଯେଉଁ ଗଳାବାଟ ସୃଷ୍ଟି କରିଛନ୍ତି ତାହାର ଫାଇଦା କେବଳ କୌଣସି ଗୋଟିଏ ଏଜେନ୍ସି ନୁହେଁ ବରଂ ସବୁ ପ୍ରକାର ହ୍ୟାକର୍‌ ପାଇପାରୁଛନ୍ତି। ଯଦି ଆମେରିକୀୟ ଏଜେନ୍ସି କୌଣସି ଆପଲ୍ କିମ୍ବା ଆଣ୍ଡ୍ରଏଡ୍‌ ଫୋନ୍‌କୁ ହ୍ୟାକ୍ କରିପାରୁଛନ୍ତି ତେବେ ସେହି ବାଟ ଦେଇ ଅନ୍ୟ ହ୍ୟାକର୍‌ମାନେ ମଧ୍ୟ ଫୋନ୍‌କୁ ସହଜରେ ହ୍ୟାକ୍ କରିପାରିବେ। ସ୍ମାର୍ଟଫୋନ୍ ବଜାରରେ ଗୁଗୁଲ୍‌ ଓ ଆପଲ୍‌ର ଆଧିପତ୍ୟ ରହିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିବା ଲାଗି ସେ ସମଗ୍ର ବିଶ୍ବର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆପଲ୍ ବିରୋଧରେ ଡୁରୋଭ୍ ଏହା ପୂର୍ବରୁ ମଧ୍ୟ ମତ ରଖିଥିଲେ।

ସମ୍ବନ୍ଧିତ ଖବର