ବ୍ୟାଟେରୀ ମୂଲ୍ୟ ୪ହଜାର ଟଙ୍କା ପର୍ଯ୍ୟନ୍ତ କମାଇଲା ଆପଲ

ନୂଆଦିଲ୍ଲୀ: ନିଜର ନୂଆ ଆଇଫୋନ ଗୁଡ଼ିକର ବିକ୍ରିକୁ ବଢାଇବା ପାଇଁ ପୁରୁଣା ଆଇଫୋନ ଗୁଡ଼ିକୁ ଜାଣିଶୁଣି ଧୀମା କରିଦେଉଥିବା ଅଭିଯୋଗକୁ ଆଂଶିକ ଭାବେ ସ୍ୱୀକାର କରିଛି ବିଶ୍ୱର ସବୁଠୁ ଲୋକପ୍ରିୟ ସ୍ମାର୍ଟଫୋନ କମ୍ପାନି ଆପଲ । ଏଥିଲାଗି କମ୍ପାନି ଗ୍ରାହକଙ୍କୁ କ୍ଷମା ମାଗିବା ସହ ବ୍ୟାଟେରୀ ଦରକୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । ଏହି ହ୍ରାସ ଫଳରେ ଆପଲ ଆଇଫୋନ-୬ ବା ତା ଉପର ମଡେଲ ଫୋନର ବ୍ୟାଟେରୀ ୬ ହଜାର ଟଙ୍କାରୁ ୨ ହଜାର ଟଙ୍କାକୁ ହ୍ରାସ ପାଇଛି ।

କ୍ଷମା ମାଗିବା ସହ ଆଗକୁ ବ୍ୟାଟେରୀର ଦକ୍ଷତା ବାବଦରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବାକୁ କମ୍ପାନି ସଂକେତ ଦେଇଛି । ଏ ସଂପର୍କରେ ଆପଲ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ପୁରୁଣା ସେଟ୍‌ଗୁଡିକର ଦକ୍ଷତା ହ୍ରାସ ଲାଗି ଜାଣିଶୁଣି କୌଣସି କାର୍ଯ୍ୟକରାଯିବ ନାହିଁ । କମ୍ପାନି ପକ୍ଷରୁ ୨୦୧୮ ଆରମ୍ଭରେ ଆଇଫୋନ ଅପରେଟିଂ ସିଷ୍ଟମ ଅପଗ୍ରେଡ୍‌ କରାଯିବ । ଏଥିରେ ବ୍ୟାଟେରୀର ଅବସ୍ଥା ସଂପର୍କରେ ବ୍ୟବହାରକାରୀମାନେ ଜାଣିପାରିବେ ।

ଆପଲ ପୁରୁଣା ଆଇଫୋନ ଗୁଡ଼ିକୁ ଜାଣିଶୁଣି ଧୀମା କରିଦେଉଥିବା ଜଣାପଡ଼ିବା ପରେ ବିଶ୍ୱ ବ୍ୟାପୀ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କେତେକ ଦେଶରେ ଏଥିପାଇଁ ଆପଲ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି ।

ସମ୍ବନ୍ଧିତ ଖବର