ଚୀନ୍‌ ଛାଡ଼ି ଭାରତ ଆସିବ ‘ଆପଲ୍‌’

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ପ୍ରଯୁକ୍ତି କଂପାନି ଆପଲ୍‌ ଚୀନ୍‌ରେ ଥିବା ଏହାର କାରଖାନାକୁ ବନ୍ଦ କରି ଭାରତ ଆସିବାର ସମ୍ଭାବନା ଉପରେ ବିଚାର କରୁଛି। ବିଗତ କିଛି ମାସ ଭିତରେ ଏହି ଆମେରିକୀୟ କଂପାନିର ବରିଷ୍ଠ ଅଧିକାରୀ ଏବଂ ଭାରତ ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି। ଚୀନ୍‌ କାରଖାନାର ଏକ ପଞ୍ଚାମାଂଶ ଉତ୍ପାଦନ କ୍ଷମତାକୁ ଭାରତ ସ୍ଥାନାନ୍ତର କରିବା ଉପରେ ଆପଲ୍‌ ବିଚାର କରୁଛି। ଭାରତରେ ଅଧିକ ଆଇଫୋନ୍ ଉତ୍ପାଦନ କରି ତାହାକୁ ବିଭିନ୍ନ ଦେଶକୁ ପଠାଇବା ଲାଗି ଆପଲ୍‌ ଚାହୁଛି। ଯଦି ଏହା ସମ୍ଭବ ହେବ ତେବେ ଆପଲ୍‌ ହେବ ଭାରତର ସବୁଠୁ ବଡ଼ ରପ୍ତାନିକାରୀ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଭାରତରେ ପ୍ରାୟ ୪୦୦୦ ‌କୋଟି ଡଲାର ମୂଲ୍ୟର ସ୍ମାର୍ଟଫୋନ୍ ଉତ୍ପାଦନ କରି ତାହାକୁ ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି। ୱିନଷ୍ଟ୍ରୋନ୍ ଓ ଫକ୍ସକନ୍ ଭଳି କଣ୍ଟ୍ରାକ୍ଟ ମାନୁଫାକ୍‌ଚରଙ୍କ ଜରିଆରେ ଆପଲ୍ ନିଜର ଫୋନ୍‌ଗୁଡ଼ିକୁ ପ୍ରସ୍ତୁତ କରିବ। ଏହା ଉତ୍ପାଦନ ସହ ଜଡ଼ିତ ଥିବା ପ୍ରୋତ୍ସାହନ ସ୍କିମ୍‌ର ଲାଭ ନେବ। ତେବେ ଏହି ସ୍କିମ୍‌ର କେତେକ ଧାରାରେ ସମସ୍ୟା ଥିବା କୁହାଯାଉଛି। ଚୀନ୍‌ରେ ଥିବା କାରଖାନା ଏବଂ ସେଠାରେ ବ୍ୟବହୃତ ମେସିନ୍‌ର ମୂଲ୍ୟକୁ ୪୦ ପ୍ରତିଶତ ହାରରେ ହିସାବ କରିବା ଏବଂ ବ୍ୟବସାୟକୁ ନେଇ ଅନ୍ୟାନ୍ୟ ସୂଚନା ମାଗିବା ଭଳି କେତେକ ସର୍ତ୍ତକୁ ନେଇ କଂପାନିଗୁଡ଼ିକ ଅସନ୍ତୋଷ ଜାହିର କରିଛନ୍ତି। ଏହି ସବୁ ସମସ୍ୟାଗୁଡ଼ିକ ସରକାର ସମାଧାନ କରିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର