ରେପୋ ହାର ଅନୁସାରେ ବଦଳିବ ସୁଧ, ମେ ପହିଲାରୁ କାର୍ଯ୍ୟକାରୀ କରିବ ଏସବିଆଇ

୧ ଲକ୍ଷ ଟଙ୍କାରୁ ଅଧିକ ଜମା, ଋଣ ଉପରେ ଲାଗୁ ହେବ

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଜମାରାଶି ଉପରେ ପ୍ରଦାନ କରୁଥିବା ସୁଧ ଏବଂ ଋଣ ଉପରେ ଆଦାୟ କରୁଥିବା ସୁଧକୁ ରିଜର୍ଭ ବ୍ୟାଙ୍କର ରେପୋ ହାର ସହିତ ‌ଯୋଡ଼ିବ ବୋଲି ଘୋଷଣା କରିଛି। ୧ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଜମା ଏବଂ ଋଣ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। ଆସନ୍ତା ମେ ପହିଲାରୁ ନୂଆ ନିୟମ ଲାଗୁ ହେବ। ତେବେ ୧ ଲକ୍ଷ ଟଙ୍କାରୁ କମ୍ ଜମା ଓ ଋଣ ପାଇଁ ବ୍ୟାଙ୍କ ପୂର୍ବଭଳି ଏମସିଏଲଆର୍ ଅନୁସାରେ ସୁଧ ହାର ଧାର୍ଯ୍ୟ କରିବ। ଦେଶର ସର୍ବବୃହତ୍ ବ୍ୟାଙ୍କ ଶୁକ୍ରବାର ରାତିରେ ଏହି ବଡ଼ ନିଷ୍ପତ୍ତି ନେଇଛି। ଦେଶର କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରରେ ଆଣୁଥିବା ପରିବର୍ତ୍ତନର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି ଷ୍ଟେଟ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି। ରେପୋ ହାର ଏବେ ୬.୨୫ ପ୍ରତିଶତ ରହିଛି। ଜମାକାରୀମାନେ ରେପୋ ‌ହାର ତୁଳନାରେ ୨.୭୫ ପ୍ରତିଶତ କମ୍ ସୁଧ ପାଇବାକୁ ଥିବାବେଳେ ଋଣ ନେଉଥିବା ବ୍ୟକ୍ତିମାନେ ରେପୋ ହାରଠାରୁ ୨.୨୫ ପ୍ରତିଶତ ଅଧିକ ସୁଧ ପ୍ରଦାନ କରିବେ। ରେପୋ ହାର ଏବେ ୬.୨୫ ପ୍ରତିଶତ ଥିବାରୁ ଜମାକାରୀମାନେ ୪.୫୦ ପ୍ରତିଶତ ସୁଧ ସେମାନଙ୍କ ଜମା ଉପରେ ପାଇବେ ଏବଂ ଋଣ ନେଉଥିବା ବ୍ୟକ୍ତିମାନେ ୮.୫୦ ପ୍ରତିଶତ ସୁଧ ଗଣିବେ। ‌ତେବେ ଋଣ ସୁଧ ହାର ବର୍ତ୍ତମାନ ଯେଭଳି ଋଣ ନେଉଥିବା ବ୍ୟକ୍ତିର ରିସ୍କ ପ୍ରୋଫାଇଲ ଉପରେ ନିର୍ଭର କରୁଛି ନୂଆ ବ୍ୟବସ୍ଥାରେ ମଧ୍ୟ ତାହା ବଳବତ୍ତର ରହିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିକଟରେ ବ୍ୟାଙ୍କ ମୁଖ୍ୟମାନଙ୍କ ସହିତ ରେପୋ ହାରର ପ୍ରତିଫଳନ କିଭଳି ବ୍ୟାଙ୍କର ଜମା ଓ ଋଣ ସୁଧରେ ଶୀଘ୍ର ପ୍ରତିଫଳନ ହେବ ସେ ନେଇ ବିଚାରବିମର୍ଶ କରିଥିଲେ। ଏହାପରେ ଷ୍ଟେଟ ବ୍ୟାଙ୍କ ପ୍ରଥମ ବ୍ୟାଙ୍କ ଭାବେ ଏହାର ଜମା ଏବଂ ଋଣ ସୁଧ ହାରକୁ ରେପୋ ହାର ସହ ଯୋଡ଼ିବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କ ଗୁଡ଼ିକ ମଧ୍ୟ ଏଭଳି ନିଷ୍ପତ୍ତି ନେବେ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି। କ୍ଷୁଦ୍ର ଜମା, ଋଣ ପାଇଁ ନିୟମ ବଦଳିବନି ବୋଲି ଶନିବାର ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର