ସରକାରୀ ସ୍କିମ୍‌କୁ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ନିତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିୟା ପ୍ରଶଂସା କରିଛନ୍ତି। ଆୟୁଷ୍ମାନ ଭାରତ, ପିଏମ୍-କିସାନ ଏବଂ ଗ୍ରାମୀଣ ବିଦ୍ୟୁତ୍‌କରଣ ଯୋଜନା ବିଶେଷ ସଫଳତା ହାସଲ କରିଥିବା ସେ କହିଛନ୍ତି। ମୋଦୀଙ୍କ ନେତୃତ୍ବରେ ପରିଚାଳିତ ଏନ୍‌ଡିଏ ସରକାରଙ୍କ ଅମଳରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି), ଇନସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟା‌ଙ୍କରପ୍‌ସି କୋଡ୍ (ଆଇବିସି) ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଭଳି ତିନି ପ୍ରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ରୋକିବାରେ ମଧ୍ୟ ସଫଳତା ମିଳିଛି ବୋଲି ସେ କହିଛନ୍ତି। ସେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ନିତି ଆୟୋଗ ମୁଖ୍ୟ ଭାବେ କାମ କରିଥିଲେ। ସରକାରୀ ତଥ୍ୟରେ ହେରଫେର ହେଉଥିବା ଅଭିଯୋଗ ବିଷୟରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଯେଉଁ ୧୦୦ରୁ ଅଧିକ ଅର୍ଥନୈତିକ ତଥ୍ୟକୁ ନେଇ ଆପତ୍ତି ଉଠାଇଥିଲେ, ସେମାନେ ଦେଇଥିବା ୪୦ ପୃଷ୍ଠାର କାଗଜପତ୍ରରେ କିଛି ନିର୍ଦିଷ୍ଟ ସମସ୍ୟା ବିଷୟରେ ଅବଗତ କରିନାହାନ୍ତି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍), ବିଶ୍ବବ୍ୟାଙ୍କ ଓ ଜାତିସଂଘ ଭଳି ବିଶ୍ବ ସ୍ତରୀୟ ସଂସ୍ଥା ଆଜି ପର୍ଯ୍ୟନ୍ତ ସରକାରୀ ତଥ୍ୟ ଉପରେ ସନ୍ଦେହ ପ୍ରକଟ କରିନାହାନ୍ତି। ସରକାରଙ୍କୁ ସୁହାଇବା ଭଳି ତଥ୍ୟ ପ୍ରସ୍ତୁତ କରାଯାଉଥିବାର କୌଣସି ଠୋସ୍‌ ପ୍ରମାଣ ମଧ୍ୟ ନାହିଁ ବୋଲି ସେ କହିଛନ୍ତି। ଜିଡିପିର ପିଛିଲା ବର୍ଷଗୁଡ଼ିକର ତଥ୍ୟକୁ ସଂଶୋଧନ କରାଯିବା ବିଷୟରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଏହା କିଛି ନୂଆ କଥା ନୁହେଁ। ଏହା ଏକ ପ୍ରତିଷ୍ଠିତ ପ୍ରକ୍ରିୟା।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତର ୭% ଜିଡିପି ଅଭିବୃଦ୍ଧି ଉପରେ ସନ୍ଦେହ ପ୍ରକଟ କରିଥିଲେ। ଯଥେଷ୍ଟ ପରିମାଣର ନିଯୁକ୍ତି ସୃଷ୍ଟି ହେଉନଥିବା ବେଳେ କିଭଳି ଏତେ ଅଭିବୃଦ୍ଧି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଡିପି ତଥ୍ୟ ଉପରେ ଯେଉଁ କଳାବାଦଲ ରହିଛି ତାହାକୁ ହଟାଇବା ଦିଗରେ ସରକାର କାମ କରିବା ଦରକାର ବୋଲି ସେ କହିଥିଲେ। ସେହିପରି ସରକାରୀ ତଥ୍ୟରେ ହେଉଥିବା ହେରଫେର ଉପରେ ୧୦୮ ଜଣ ଅର୍ଥନୀତିଜ୍ଞ ଆପତ୍ତି ଉଠାଇଥିଲେ।

ସମ୍ବନ୍ଧିତ ଖବର