୨୦୨୩ ପର୍ଯ୍ୟନ୍ତ ମିଳିବ ରୋଜଗାର ଯୋଜନା ଲାଭ, ୨୨,୮୧୦ କୋଟି ଟଙ୍କା ମଞ୍ଜୁର

ଦୁଇ ବର୍ଷ ପର୍ଯ୍ୟନ୍ତ ସରକାର ଦେବେ ଇପିଏଫ୍ ଦେୟ, ମହାମାରୀ ସମୟରେ ଚାକିରି ହରାଇଥିବା, ନୂଆ ଚାକିରି ପାଇଥିବା କର୍ମଚାରୀ ଉପକୃତ ହେବେ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ୨୦୨୩ ପର୍ଯ୍ୟନ୍ତ ଜାରି ରହିବ। ଏହି ଯୋଜନାରେ ସରକାର ମୋଟ ୨୨,୮୧୦ କୋଟି ଟଙ୍କା ବ୍ୟୟ କରିବେ। ସେଥିରୁ ୧୫୮୪ କୋଟି ଟଙ୍କା ଚଳିତ ବର୍ଷ ବ୍ୟୟ କରାଯିବ। ଆଜି ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧ରୁ ୨୦୨୧ ଜୁନ୍ ୩୦ ପର୍ଯ୍ୟନ୍ତ ଯେଉଁ ନୂଆ କର୍ମଚାରୀଙ୍କୁ ନିଯକ୍ତି ମିଳିବ ସେମାନଙ୍କ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ସରକାର ସବ୍‌ସିଡି ପ୍ରଦାନ କରିବେ। ଏକ ହଜାରରୁ କମ୍ କର୍ମଚାରୀ ନିୟୋଜିତ ହୋଇଥିବା ସଂସ୍ଥାରେ ନୂଆ କର୍ମଚାରୀମାନଙ୍କ ପାଇଁ ଉଭୟ ନିଯୁକ୍ତିଦାତାଙ୍କ ୧୨% ଓ କର୍ମଚାରୀଙ୍କ ଭାଗର ୧୨% ଭାବେ ମୋଟ୍ ୨୫% ଇପିଏଫ୍‌ ଦେୟ ଦୁଇ ବର୍ଷ ପର୍ଯ୍ୟନ୍ତ ସରକାର ବହନ କରିବେ।

ଏକ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଥିବା ସଂସ୍ଥାର ନୂଆ କର୍ମଚାରୀମାନଙ୍କ ପାଇଁ ସରକାର ‌‌ଦୁଇ ବର୍ଷ ପର୍ଯ୍ୟନ୍ତ କେବଳ କର୍ମଚାରୀଙ୍କ ଭାଗର ୧୨% ଇପିଏଫ୍ ଦେୟ ପ୍ରଦାନ କରିବେ। ଯେଉଁ କର୍ମଚାରୀଙ୍କ ମାସିକ ଦରମା ୧୫ ହଜାର ଟଙ୍କାରୁ କମ୍ ଥିବ, ୨୦୨୦ ଅକ୍ଟୋବର ୧ ପୂର୍ବରୁ ଇପିଏଫ୍‌ଓରେ ପଞ୍ଜୀକୃତ ଥିବା କୌଣସି ସଂସ୍ଥାରେ କାମ କରିନଥିବେ ଓ ନିଜର ୟୁନିଭର୍ସାଲ୍ ଆକାଉଣ୍ଟ୍‌ ନମ୍ବର (ୟୁଏଏନ୍‌) କିମ୍ବା ଇପିଏଫ୍ ସଦସ୍ୟ ଖାତା ନମ୍ବର ନଥିବ ସେମାନେ ଏହି ସ୍କିମ୍‌ର ଲାଭ ପାଇବେ। ସେହିପରି, ପନ୍ଦର ହଜାର ଟଙ୍କାରୁ କମ୍ ପରିମାଣର ଦରମା ପାଉଥିବା ଏବଂ ୟୁଏଏନ୍‌ ନମ୍ବର ଥିବା କୌଣସି କର୍ମଚାରୀ ଯଦି ୨୦୨୦ର ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୩୦ ଭିତରେ ଚାକିରି ହରାଇଥିବେ ଏବଂ ଇପିଏଫ୍‌ ଅଧୀନରେ ଆସୁଥିବା କୌଣସି ସଂସ୍ଥା ଯୋଗ ଦେଇନଥିବେ ସେମାନେ ମଧ୍ୟ ଏହି ସ୍କିମ୍‌ର ଲାଭ ପାଇବେ। ଇପିଏଫ୍‌ଓ ପକ୍ଷରୁ ଆଧାର ଲିଙ୍କ୍‌ ହୋଇଥିବା ଖାତା ନମ୍ବରରେ ଲାଭ ବାବାଦ ଟଙ୍କା ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପ୍ରେରଣ କରାଯିବ। ଏହି ସ୍କିମ୍ ପାଇଁ ଇପିଏଫ୍‌ଓ ସଫ୍‌ଟଓୟାର ବିକଶିତ କରିବ।

ସମ୍ବନ୍ଧିତ ଖବର