ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ଇସ୍ତଫା

ଅରବିନ୍ଦଙ୍କ ପଥରେ ଆଉ ଜଣେ ଅରବିନ୍ଦ

ନୂଆଦିଲ୍ଲୀ, : ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍‌ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଆସନ୍ତା ମାସେ ଦୁଇ ମାସ ଭିତରେ ସେ ଅର୍ଥ ମନ୍ତ୍ରଣାଳୟରୁ ବିଦାୟ ନେବେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦ ଛାଡ଼ିଛନ୍ତି। ସେପ୍ଟେମ୍ବର ସୁଦ୍ଧା ସେ ଆମେରିକା ଚାଲିଯିବେ। ତାଙ୍କ ଇସ୍ତଫା ବିଷୟରେ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଫେସବୁକ୍‌ରେ ସୂଚନା ଦେଇଥିଲେ। ବ୍ୟକ୍ତିଗତ ଭାବେ ମୁଁ ତାଙ୍କୁ ବହୁତ ମିସ୍‌ କରିବି ବୋଲି ଜେଟ୍‌ଲି କହିଛନ୍ତି। ବିଗତ ୧୨ ମାସ ଭିତରେ କ୍ଷମତାସମ୍ପନ୍ନ ସରକାରୀ ପଦ ଛାଡ଼ିବାରେ ସେ ହେଉଛନ୍ତି ଦ୍ୱିତୀୟ ବରିଷ୍ଠ ଅଧିକାରୀ। ତାଙ୍କ ପୂର୍ବରୁ ନିତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟା ନିଜ ପଦରୁ ଇସ୍ତଫା ଦେଇଥିଲେ। କାର୍ଯ୍ୟକାଳ ଶେଷ ହେବାର ଦୁଇ ବର୍ଷ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ୨୦୧୭ ଅଗଷ୍ଟରେ ପଦ ଛାଡ଼ିଥିଲେ। ଉଭୟ ଅରବିନ୍ଦ ପାନାଗାରିୟା ଓ ଅରବିନ୍ଦ ସୁବ୍ରମଣିଅନ୍‌ଙ୍କୁ ଏନ୍‌ଡିଏ ସରକାର ଚୟନ କରି ନିଯୁକ୍ତି ଦେଇଥିଲେ। ଉଭୟ ଅରବିନ୍ଦ ବ୍ୟକ୍ତିଗତ କାରଣ ଦର୍ଶାଇ ଅଧାରୁ ଚାକିରି ଛାଡ଼ିଛନ୍ତି। ଅରବିନ୍ଦ ସୁବ୍ରମଣିଅନ୍‌ଙ୍କୁ ୨୦୧୪ ଏପ୍ରିଲ୍‌ ୧୬ରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ଅର୍ଥ ମନ୍ତ୍ରଣାଳୟରେ ନିଯୁକ୍ତି ଦିଆଯାଇଥିଲା। ପ୍ରଥମେ ତାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ମିଳିଥିଲା ଓ ଗତବର୍ଷ ତାଙ୍କ କାର୍ଯ୍ୟକାଳକୁ ୨୦୧୯ ମେ’ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ନିଜ ଇସ୍ତଫା ବିଷୟରେ ସୁବ୍ରମଣିଅନ୍‌ କହିଛନ୍ତି ଯେ, ସେପ୍ଟେମ୍ବର ମାସରେ ଆମର ନାତି/ନାତୁଣି ଜନ୍ମ ହେବାର ଅଛି। ସେହି କାରଣ ପାଇଁ ମୋତେ ସେମାନଙ୍କ ପାଖକୁ ଯିବାକୁ ପଡ଼ିବ। ନିଜର ନିଷ୍ପତ୍ତି ସମ୍ପର୍କରେ ସେ ଅର୍ଥମନ୍ତ୍ରୀ ଜେଟ୍‌ଲିଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଥିଲେ। ଅର୍ଥନୈତିକ ପରାମର୍ଶଦାତା ଭାବେ କାମ କରିବା ସବୁଠୁ ଭଲ ଅନୁଭୂତି ଥିଲା ଓ ଏହା ମୋର ଶ୍ରେଷ୍ଠ ଚାକିରି ବୋଲି ସେ କହିଛନ୍ତି। ଅରୁଣ ଜେଟ୍‌ଲିଙ୍କୁ ସେ ନିଜର ଡ୍ରିମ୍‌ ବସ୍‌ ବୋଲି କହିଛନ୍ତି। ଅର୍ଥନୈତିକ ସର୍ଭେର ରୂପରେଖ ବଦଳାଇବାରେ ସୁବ୍ରମଣିଅନ୍‌ଙ୍କ ପ୍ରମୁଖ ଭୂମିକା ଥିଲା। ସେ ବିଗ୍‌ ଡାଟାକୁ ବ୍ୟବହାର କରି ଅନେକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସୂଚନା ସର୍ଭେରେ ପ୍ରଦାନ କରି ପ୍ରଶସିଂତ ହୋଇଥିଲେ। ନିଜ କାର୍ଯ୍ୟକାଳ ସମୟର ବଡ଼ ଉପଲବ୍ଧି ଭାବେ ସେ ଜିଏସ୍‌ଟି ଓ ଅର୍ଥନୈତିକ ସର୍ଭେ କଥା କହିଥିଲେ। ଆଲ୍‌କୋହଲ୍‌କୁ ଜିଏସ୍‌ଟିରେ ସାମିଲ କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଚୟନ କରିବା ଶୀଘ୍ର ଆରମ୍ଭ ହେବ ବୋଲି ସୁବ୍ରମଣିଅନ୍‌ କହିଛନ୍ତି। ନିଜ ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ ଯେ, ଏବେଠାରୁ ସେ ବିଷୟରେ କିଛି କହିପାରିବି ନାହିଁ। ସମୟ ଆସିଲେ ଆପଣମାନେ ଜାଣିପାରିବେ ବୋଲି ସେ କହିଛନ୍ତି।

ବୁଡ଼ିଲା ଜାହଜରୁ ପ୍ରତିଭାବାନ୍‌ଙ୍କ ପଳାୟନ: ରାହୁଲ
ନୂଆଦିଲ୍ଲୀ: ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନଙ୍କ ଇସ୍ତଫାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ପ୍ରତିଭାବାନ୍‌୍‌ମାନେ ପଦ ଛାଡ଼ୁଥିବା ବେଳେ ଅର୍ଥମନ୍ତ୍ରୀ ଏହି ସୂଚନା ଫେସ୍‌ବୁକ୍‌ରେ ଦେଉଛନ୍ତି ବୋଲି ସେ ସମାଲୋଚନା କରି କହିଛନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି ଯେ ପ୍ରତିଭାବାନ୍‌ମାନେ ବୁଡ଼ିଲା ଜାହଜରୁ ପଳାୟନ କରୁଥିବା ବେଳେ ଆରଏସ୍‌ଏସ୍‌ର ଅଦୃଶ୍ୟ ହାତ ଏହାକୁ ପଥର ଆଡ଼କୁ ଟାଣି ନେଉଛନ୍ତି। ବିମୁଦ୍ରାକରଣର ଅଧିନାୟକ ଶୋଇଛନ୍ତି ବୋଲି ସେ ଲେଖିଛନ୍ତି। କଂଗ୍ରେସର ପ୍ରବକ୍ତା ରଣଦୀପ ସୁର୍ଜେଓ୍ଵାଲା ମଧ୍ୟ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଅରବିନ୍ଦଙ୍କ ଇସ୍ତଫା ଅପ୍ରତ୍ୟାଶିତ ନୁହେଁ। ବିଶେଷଜ୍ଞମାନେ ସରକାରଙ୍କ ଆର୍ଥିକ ଅରାଜକତାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର