ଭୂଷଣ ଷ୍ଟିଲ ଅଧିଗ୍ରହଣ ଦୌଡ଼ରେ ଆର୍ସେଲର ମିତ୍ତଲ

କୋଲକାତା: ଭୂଷଣ ଷ୍ଟିଲକୁ ଅଧିଗ୍ରହଣ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ବିଶ୍ୱର ସର୍ବବୃହତ ଇସ୍ପାତ କମ୍ପାନି ଆର୍ସେଲର ମିତ୍ତଲ ସାମିଲ ହୋଇଛି। ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କ ସୂତ୍ରରୁ ଜଣାଯାଇଛି ଭୂଷଣ ଷ୍ଟିଲକୁ ଅଧିଗ୍ରହଣ ପାଇଁ ଆର୍ସେଲର ମିତ୍ତଲ ଇଓଆଇ ବା ଏକ୍ସପ୍ରେସନ ଅଫ୍‌ ଇଣ୍ଟ୍ରେଷ୍ଟ ପ୍ରକାଶ କରିଛି। ଦେବାଳିଆ କୋଡ୍‌ ଅଧୀନରେ ଏସବୁ ପ୍ରସ୍ତାବକୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)କୁ ପଠାଇ ଦିଆଯାଇଛି। ତେବେ ଏହା ଉପରେ ଆର୍ସେଲର ମିତ୍ତଲ ପକ୍ଷରୁ ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ମିଶ୍ରଣ ଓ ଅଧିଗ୍ରଣ ସମ୍ପର୍କରେ କୌଣସି ପ୍ରକାର କଳ୍ପନାଜଳ୍ପନା ଓ ଗୁଜବ ଉପରେ ଆମେ ମତ ପ୍ରକାଶ କରୁନା ବୋଲି ଆର୍ସେଲର ମିତ୍ତଲର ପ୍ରବକ୍ତା କହିଛନ୍ତି। ଉଲ୍ଲେଖଯୋଗ୍ୟ ଭୂଷଣ ଷ୍ଟିଲ ଏବଂ ଏସାର ଷ୍ଟିଲ ଭଳି ଅଧିକ ଋଣଭାରରେ ରହିଥିବା କମ୍ପାନିକୁ ଅଧିଗ୍ରହଣ କରିବା ଲାଗି ଦକ୍ଷିଣ କୋରିଆର ପୋସ୍କୋ ମଧ୍ୟ ଆଗ୍ରହୀ ରହିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଭୂଷଣ ଷ୍ଟିଲ୍‌ର କାରଖାନା ରହିଛି। ଏହି କମ୍ପାନି ଉପରେ ବ୍ୟାଙ୍କ ଗୁଡ଼ିକର ପ୍ରାୟ ୪୨ ହଜାର କୋଟି ଟଙ୍କାର ଋଣବୋଝ ରହିଛି।

ସମ୍ବନ୍ଧିତ ଖବର