ଆରୋଗ୍ୟ ସେତୁ ଆପ୍‌ ବିବାଦ କାହିଁକି?

କରୋନା ସମୟରେ ସଂସ୍ପର୍ଶ ଠାବ ପାଇଁ ସରକାର ଲୋକମାନଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରିବା ନିମନ୍ତେ ଉତ୍ସାହିତ କରିଆସୁଛନ୍ତି। ତେବେ ଏହି ଆପ୍‌ର ନିର୍ମାତା କିଏ ଏବଂ ଏଥିରେ ଲୋକଙ୍କ ତଥ୍ୟ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ଉକ୍ତ ଆପ୍‌ର ନିର୍ମାତା କିଏ ତାହା ଜାଣିବା ପାଇଁ ଜଣେ ସୂଚନା ଅଧିକାରୀ କର୍ମୀ ତଥ୍ୟ ମାଗିଥିଲେ ମଧ୍ୟ ତାଙ୍କୁ ତାହା ପ୍ରଦାନ କରାଯାଇ ନାହିଁ। ଫଳରେ ସୌରଭ ଦାସ ନାମକ ଏହି ସୂଚନା ଅଧିକାର କର୍ମୀଙ୍କୁ କେନ୍ଦ୍ରୀୟ ସୂଚନା କମିସନଙ୍କ ଦ୍ବାରସ୍ଥ ହେବାକୁ ପଡ଼ିଥିଲା। ସେହି ସମୟରେ କମିସନ ଏହି ତଥ୍ୟ ପ୍ରଦାନ କାହିଁକି ପ୍ରଦାନ କରାଯାଇ ନାହିଁ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହିତ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଓ ଏହା ଅଧୀନ ଅନ୍ୟ ବିଭାଗ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ନଭେମ୍ବର ମାସରେ ଏହି ମାମଲାର ଶୁଣାଣି ହେବ। ଏହି ବିବାଦ କାହିଁକି ଦେଖାଦେଇଛି ସେ ସଂପର୍କିତ ତଥ୍ୟ ଏଠାରେ ପ୍ରଦାନ କରାଯାଇଛି।

ବିବାଦ କ’ଣ?
ସୂଚନା ଅଧିକାରୀ କର୍ମୀ ସୌରଭ ଦାସ ଆରଟିଆଇ ଅଧୀନରେ ଏହି ଆପ୍‌ର ନିର୍ମାତା କିଏ ତାହା ଜାଣିବା ଲାଗି ଏକାଧିକ ଆବେଦନ କରିଥିଲେ। ଶ୍ରୀ ଦାସ ଇଲେ‌କଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ, ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର, ନ୍ୟାସନାଲ ଇ-ଗଭର୍ଣ୍ଣାନ୍ସ ଡିଭିଜନ ଆଦିର ମୁଖ୍ୟ ସୂଚନା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ ମଧ୍ୟ ତାହା ତାଙ୍କୁ ପ୍ରଦାନ କରାଯାଇ ନାହିଁ। ଶ୍ରୀ ଦାସ ତାଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନ ଅଗଷ୍ଟରେ ପଚାରିଥିଲେ। କିନ୍ତୁ ନ୍ୟାସନାଲ ଇଗଭର୍ଣ୍ଣାନ୍ସ ଡିଭିଜନ ତାଙ୍କୁ ଏହାର ଉତ୍ତର ନାହିଁ ବୋଲି ଅକ୍ଟୋବର ୨ ତାରିଖରେ ଜଣାଇଥିଲା। ସେହିଭଳି ତଥ୍ୟର ସୁରକ୍ଷା ଏବଂ ସମ୍ବେଦନଶୀଳ ତଥ୍ୟକୁ ସରକାର ଓ ଅନ୍ୟ ତୃତୀୟ ପକ୍ଷଙ୍କୁ ପ୍ରଦାନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କୌଣସି ସ୍ପଷ୍ଟତା ନଥିଲା। ତେଣୁ ଶ୍ରୀ ଦାସ ଏହି ପ୍ରସଙ୍ଗକୁ ଜନ ସ୍ବାର୍ଥ ବୋଲି ଉଲ୍ଲେଖ କରି କେନ୍ଦ୍ରୀୟ ସୂଚନା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ।

ପ୍ରସଙ୍ଗ ସାମ୍ନାକୁ ଆସିଲା କାହିଁକି?
ଶ୍ରୀ ଦାସଙ୍କ ଆବେଦନ ଉପରେ ସିଆଇସି କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟକୁ କାରଣ ଦର୍ଶାଅ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୪ ତାରିଖରେ ଉକ୍ତ ମାମଲାର ଶୁଣାଣି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଡାକିଛନ୍ତି। ସୂଚନା କମିସନର ବନଜା ଏନ ସର୍‌ନା କହିଛନ୍ତି ଯେ ଶ୍ରୀ ଦାସଙ୍କୁ କୌଣସି ସିପିଆଇଓ ଏହି ଆପ୍‌ର ପ୍ରତିଷ୍ଠାତା କିଏ ସେ ସଂପର୍କରେ ସୂଚନା ଦେବାକୁ ସଫଳ ହୋଇନାହାନ୍ତି। ଆରଟିଆଇ ଆଇନ ଧାରା ୨୫ ଅଧୀନରେ ଜରିମାନା କାହିଁକି ଆଦାୟ କରା ନଯିବ ତାହା ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟରକୁ ପଚରାଯାଇଛି। ସେହିଭଳି ଆରଟିଆଇ ଆବେଦନର ଉତ୍ତର ଦେବାକୁ ଦୁଇମାସ କାହିଁକି ବିଳମ୍ବ ‌ହେଲା ତାହାର ଉତ୍ତର ରଖିବାକୁ ମଧ୍ୟ ନ୍ୟାସନାଲ ଇ-ଗଭର୍ଣ୍ଣାନ୍ସ ଡିଭିଜନକୁ କୁହାଯାଇଛି।

ଉଦବେଗ କାହିଁକି?
ଏହି ଆପ୍‌କୁ ଡାଉନଲୋଡ କରିଥିବା ଭାରତୀୟମାନଙ୍କ ସମ୍ବେଦନଶୀଳ ତଥ୍ୟକୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରୁଛନ୍ତି। ଚଳିତବର୍ଷ ଏପ୍ରିଲ ୨ରେ ଏହି ଆପ୍ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୬ କୋଟିରୁ ଅଧିକ ଲୋକ ଏହି ଆପ୍‌କୁ ଡାଉନଲୋଡ୍‌ କରିସାରିଲେଣି। ତେବେ ଲୋକଙ୍କ ତଥ୍ୟର ଗୋପନୀୟତା ବଜାୟ ରହିବା ନେଇ ସଂଶୟ ରହିଛି।

ସରକାରଙ୍କ ଉତ୍ତର କ’ଣ?
ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ସୂଚନା ଅନୁଯାୟୀ ଆରୋଗ୍ୟ ସେତୁ ଆପ୍‌ର ବିକାଶ ଭାରତ ସରକାରଙ୍କ ପକ୍ଷରୁ ସରକାରୀ-ଘରୋଇ ସହଭାଗିତାରେ ହୋଇଛି। ଏପ୍ରିଲ ୨ ତାରିଖରେ ଏହା ଆସିଛି। କରୋନା ମହାମାରୀ ପରିପ୍ରେକ୍ଷୀରେ ୨୧ ଦିନରେ ଉକ୍ତ ଆପ୍‌ର ବିକାଶ କରାଯାଇଛି। ଆପ୍‌ର ବିକାଶ ଏବଂ ପରିଚାଳନାରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କ ନାମକୁ ପବ୍ଲିକ ଡୋମେନରେ ସୋର୍ସ କୋର୍ଡ ପ୍ରକାଶ ସମୟରେ ପ୍ରଦାନ କରାଯାଇଥିଲା। https://github.com/nicdelhi/Aarogyasetu_Android/blob/master/Contributors.md ରୁ ଏହା ଜଣାଯାଇପାରିବ। ଏଥିସହିତ ଏହା ମଧ୍ୟ ଜଣାଯାଇଛି ଯେ, ସୂଚନା ପ୍ରଦାନରେ ଯେଉଁ ଅବହେଳା ହୋଇଥିବା ଅଭିଯୋଗ ହୋଇଛି ତାହାକୁ ଗୁରୁତ୍ବର ସହ ଗ୍ରହଣ କରିଛି ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ। ଦାୟୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନେବା ପାଇଁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଛି। କେନ୍ଦ୍ରୀୟ ସୂଚନା କମିସନ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ମଧ୍ୟ ମନ୍ତ୍ରାଳୟ ପ୍ରତିବଦ୍ଧ ରହିଛି।

ଆପ୍‌ ବିକାଶରେ କେଉଁମାନେ ସାମିଲ?
ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା କେ ବିଜୟରାଘବନ, ନିତି ଆୟୋଗ ସିଇଓ ଅମିତାଭ କାନ୍ତ, ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ସଚିବ ଅଜୟ ସାହାଣୀ, ଏନଆଇସି ମହାନିର୍ଦ୍ଦେଶିକା ନୀତା ବର୍ମା ଏହି ଆପ୍‌ ବିକାଶ କାର୍ଯ୍ୟରେ ସାମିଲ ହୋଇଥିବାବେଳେ ଆଇଟି ଶିଳ୍ପ ପକ୍ଷରୁ ଗୁଗୁଲ୍‌ର ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀ ଲଳିତେଶ କାଟ୍‌ରାଗଡ଼ା, ଆଇଆଇଟି ମାଡ୍ରାସର ଭି କାମକୋଟି, ମେକ୍ ମାଇଁ ଟ୍ରିପ୍‌ର ସହ ପ୍ରତିଷ୍ଠାତା ଦୀପ କାଲ୍‌ରା, ଆଇନ ଫାର୍ମ ଟ୍ରିଲିଗାଲ୍‌ର ସହପ୍ରତିଷ୍ଠାତା ରାହୁଲ ମୈଥାନ, ନିତି ଆୟୋଗର ଅର୍ଣ୍ଣବ କୁମାର, ବିଧି ସେଣ୍ଟର ଫର ଲିଗାଲ ପଲିସିର ନିର୍ଦ୍ଦେଶକ ଅର୍ଘ୍ୟ ସେନଗୁପ୍ତା ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର