ଆର୍ସେଲର ମିତ୍ତଲକୁ ସହଜରେ ମିଳିବନି ଏସାର୍‌ ଷ୍ଟିଲ୍

ବାଟ ଓଗାଳିଲେ ଏସାର୍‌ ଷ୍ଟିଲ୍‌ର ପୂର୍ବତନ ନିର୍ଦେଶକ

ନୂଆଦିଲ୍ଲୀ: ଏସାର ଷ୍ଟିଲ୍‌କୁ ପାଇବା ପାଇଁ ଦୀର୍ଘ ଏକ ବର୍ଷ ହେଲାଣି ଉଦ୍ୟମ କରୁଥିବା ଆର୍ସେଲର ମିତ୍ତଲ ପାଇଁ ପୁଣି ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଏସାର ପାଇଁ ଆର୍ସେଲର ମିତ୍ତଲ ଯେଉଁ ୪୨ ହଜାର କୋଟି ଟଙ୍କାର ବିଡ୍ ଦାଖଲ କରିଥିଲା ତାହାକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି) ମଞ୍ଜୁରି ଦେଇଥିଲେ। ତେଣୁ ସହଜରେ ଆର୍ସେଲର ମିତ୍ତଲ ଅଧୀନକୁ ଏସାର ଷ୍ଟିଲ୍ ଚାଲିଆସିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଶେଷ ମୁହୂର୍ତରେ ଏସାର ଷ୍ଟିଲ୍‌ର ପୂର୍ବତନ ନିର୍ଦେଶକ ପ୍ରଶାନ୍ତ ରୁଇୟା ଏନ୍‌ସିଏଲ୍‌ଟିରେ ଆର୍ସେଲର ମିତ୍ତଲ ବିରୋଧରେ ଆବେଦନ କରିଛନ୍ତି।
ଏନ୍‌ସିଏଲ୍‌ଟିର ଅହମ୍ମଦାବାଦ ଖଣ୍ଡପୀଠ ଆର୍ସେଲର ମିତ୍ତଲ ସପକ୍ଷରେ ରାୟ ଦେଇଥିଲେ। ସେହି ରାୟକୁ ପ୍ରଶାନ୍ତ ଚ୍ୟାଲେଞ୍ଜ କରିଛନ୍ତି। ଏସାର ଷ୍ଟିଲ୍‌କୁ ଋଣ ‌େଦଇଥିବା ଏକ ଘରୋଇ ବ୍ୟାଙ୍କ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ପକ୍ଷରୁ ମଧ୍ୟ ଏନ୍‌ସିଏଲ୍‌ଟି ଅମ୍ମଦାବାଦ ଖଣ୍ଡପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇଛି। ଏସାର ଷ୍ଟିଲ୍‌କୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକର ପ୍ରତିନିଧିଙ୍କୁ ନେଇ କମିଟି ଅଫ୍ କ୍ରେଡିଟର୍‌ (ସିଓସି) ଗଠନ କରାଯାଇଛି। ସିଓସିର ପୂର୍ବ ବୈଠକରେ ଅନ୍ୟ ବ୍ୟାଙ୍କଗୁଡ଼ିକ ଆର୍ସେଲର ମିତ୍ତଲ ବିଡ୍‌କୁ ସମର୍ଥନ କରିଥିବା ବେଳେ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ଏକମାତ୍ର ସଂସ୍ଥା ଭାବେ ଏହି ବିଡ୍‌କୁ ବିରୋଧ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଏସାର ଷ୍ଟିଲକୁ କୌଣସି ପରିସ୍ଥିତିରେ ରୁଇୟା ପରିବାର ହରାଇବାକୁ ଚାହୁଁନାହିଁ। କଂପାନିର ପ୍ରତିଷ୍ଠାତାମାନେ ଶେଷ ମୁହୂର୍ତରେ ୫୪,୩୮୯ କୋଟି ଟଙ୍କାର ଏକ ବିଡ୍ ଦାଖଲ କରିଥିଲେ ଯାହା ଆର୍ସେଲର ମିତ୍ତଲର ୪୨ ହଜାର କୋଟି ଟଙ୍କା ବିଡ୍ ଠାରୁ ଅଧିକ। କିନ୍ତୁ ସମସ୍ୟା ହେଉଛି ଯେ, ପ୍ରତିଷ୍ଠାତାମାନେ ନିର୍ଧାରିତ ଅବଧି ଶେଷ ହେବା ପରେ ଏହି ବିଡ୍‌ ଦାଖଲ କରିଥିଲେ। ସେଥିପାଇଁ ତାହାର ଗୁରୁତ୍ବ କମିଯାଇଥିଲା।

ସମ୍ବନ୍ଧିତ ଖବର