ୱାସିଂଟନ: ବହୁ ଚର୍ଚ୍ଚିତ ପ୍ରଯୁକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନିୟନ୍ତ୍ରଣ କରିବା ଲାଗି ଆମେରିକା ମନ ସ୍ଥିର କରିଛି। କିନ୍ତୁ କିଭଳି ତାହାକୁ ନିୟନ୍ତ୍ରଣ କରାଯିବ, କେଉଁ ଦିଗଗୁଡ଼ିକୁ ନିୟନ୍ତ୍ରଣ କରାଯିବ ଓ କ’ଣ ଖୋଲା ରହିବ ସେନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ। ବିଭିନ୍ନ ବିକଳ୍ପ ଉପରେ କେବଳ ବିଚାର ଚାଲିଛି। ଆମେରିକାର ସିନେଟର, କଂଗ୍ରେସ ଷ୍ଟାଫ୍, ଏଆଇ କଂପାନି ଓ ନାଗରିକ ସମାଜର ପ୍ରତିନିଧି ଭିନ୍ନ ଭିନ୍ନ ପ୍ରସ୍ତାବ ସବୁ ଦେଉଛନ୍ତି।
ଲୋକଙ୍କ ଜୀବନୀଜୀବିକା ପ୍ରତି ବିପଦ ସୃଷ୍ଟି ହେବାକୁ ଥିବା କ୍ଷେତ୍ରରେ ଏଆଇ ବ୍ୟବହାର ଉପରେ ରୋକ ଲଗାଇବାକୁ କିଛି ପକ୍ଷ ପ୍ରସ୍ତାବ ଦେଇଛନ୍ତି। ସେହିପରି ନାଗରିକ ଅଧିକାର ଉଲ୍ଲଂଘନ ହେଉଥିବା କ୍ଷେତ୍ରରେ ମଧ୍ୟ ତାହାର ବ୍ୟବହାର ନକରିବାକୁ ଆଉ କିଛି ପକ୍ଷ ଚାହୁଛନ୍ତି। ଏଆଇ ଡେଭେଲପରମାନଙ୍କୁ ନିୟନ୍ତ୍ରଣ କରାଯିବ ନା ଏଆଇ ଟୁଲ୍ ବ୍ୟବହାର କରୁଥିବା କଂପାନିଙ୍କୁ, ତାହା ସ୍ପଷ୍ଟ ହୋଇପାରୁନି। କିଛି ପକ୍ଷ ସ୍ବାଧୀନ ନିୟାମକ ବ୍ୟବସ୍ଥା ବିଷୟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏଆଇ ଟୁଲ୍ ବଜାରକୁ ଆସିବା ପୂର୍ବରୁ ବିଶେଷଜ୍ଞଙ୍କ ଜରିଆରେ ତାହାର ପରୀକ୍ଷା କରିବା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି।
ଜେନେରେଟିଭ୍ ଏଆଇ ଚାଟ୍ଜପିଟିର ଲୋକପ୍ରିୟତା ଆମେରିକା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାର ପ୍ରଭାବକୁ ନେଇ ହ୍ବାଇଟ୍ ହାଉସ୍ରେ ବୈଠକ ହୋଇଛି ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓପନ୍ଏଆଇ, ମାଇକ୍ରୋସଫ୍ଟ, ଆଲ୍ଫାବେଟ୍ର ସିଇଓଙ୍କ ସହ ଆଲୋଚନା କରିଛନ୍ତି। ଲୋକପ୍ରିୟ ଏଆଇ ଟୁଲ୍ ଚାଟ୍ଜିପିଟିକୁ ପ୍ରସ୍ତୁତ କରିଥିବା ସଂସ୍ଥା ଓପନ୍ଏଆଇର ସିଇଓ ସାମ ଅଲ୍ଟମ୍ୟାନ୍ ଏକ ସିନେଟ୍ କମିଟିରେ ହାଜର ହୋଇଥିଲେ। ଯଦିଓ ଏଆଇକୁ ନେଇ ଏତେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି, କିନ୍ତୁ ଆମେରିକାର ନୀତି ନିର୍ଧାରକମାନେ ଏବେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ଓ ଋଣ ସୀମା ବଢ଼ାଇ ଦେଶକୁ ଋଣ ଖିଲାପରୁ ଉଦ୍ଧାର କରିବା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି।
ମୃତ୍ୟୁ ପରେ ବି ମୁଁ ସିନେମାରେ ଆସିପାରିବି: ଟମ୍ ହାଙ୍କସ୍
ୱାସିଂଟନ: ଫରେଷ୍ଟ୍ ଗମ୍ପ୍ ଓ କାଷ୍ଟ୍ ଆୱେ ଭଳି ହଲିଉଡ୍ ସିନେମାରେ ଅଭିନୟ କରିଥିବା ଚର୍ଚ୍ଚିତ ନାୟକ ଟମ୍ ହାଙ୍କ୍ସ କହିଛନ୍ତି ଯେ ଏଆଇ ପ୍ରଯୁକ୍ତି ଦ୍ବାରା ମୃତ୍ୟୁ ପରେ ବି ସେ ସିନେମାରେ ଆସିପାରିବେ। କିନ୍ତୁ ଏଥିରେ କଳାତ୍ମକ ଓ ଆଇନଗତ ଆହ୍ବାନ ଦେଖାଦେଇପାରେ ବୋଲି ସେ ସ୍ବୀକାର କରିଛନ୍ତି। ଏଆଇ କିମ୍ବା ଡିପ୍ ଫେକ୍ ପ୍ରଯୁକ୍ତି ବ୍ୟବହାର କରି ଯେକୌଣସି ବ୍ୟକ୍ତି ଯେକୌଣସି ବୟସରେ ନିଜ ଛବିକୁ ପୁନର୍ବାର ସୃଷ୍ଟି କରିପାରିବେ ବୋଲି ସେ କହିଛନ୍ତି।