ନୂଆଦିଲ୍ଲୀ: ଆର୍ଥିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଭାବରେ ମେ’ ମାସରେ ଆମେରିକାରେ ୪୦୦୦ ଲୋକ ଚାକିରି ହରାଇଛନ୍ତି। ଗ୍ୟାଲେଞ୍ଜର, ଗ୍ରେ ଆଣ୍ଡ୍ ଖ୍ରିଷ୍ଟମାସ ରିପୋର୍ଟରେ କୁହାଯାଇଛି ଯେ ଆମେରିକାରେ ମେ’ରେ ଯେତିକି ଲୋକଙ୍କ ଛଟେଇ ହୋଇଥିଲା ସେଥିରୁ ପ୍ରାୟ ୫ ପ୍ରତିଶତ ଲୋକ ଏଆଇ ପାଇଁ ଚାକିରି ହରାଇଛନ୍ତି। ଚଳିତ ବର୍ଷ ଜାନୁଆରିରୁ ମେ’ ମଧ୍ୟରେ ଆମେରିକାରେ ୪,୧୭,୫୦୦ ଲୋକ ଛଟେଇର ଶିକାର ହୋଇଛନ୍ତି। ୨୦୨୦ର କୋଭିଡ୍ ମହାମାରୀ ପରେ ଛଟେଇକୁ ନେଇ ଆମେରିକାରେ ଏହାକୁ ଅନ୍ୟତମ ଖରାପ ସ୍ଥିତି ଭାବେ ବିଚାର କରାଯାଉଛି। କୋଭିଡ୍ ମହାମାରୀ ସମୟରେ ସେଠାରେ ୧୪ ଲକ୍ଷ ଲୋକ ବେରୋଜଗାର ହୋଇପଡ଼ିଥିଲେ। ଏହା ବ୍ୟତୀତ ୨୦୦୯ରେ ଆମେରିକାରେ ୮,୨୦,୦୦୦ ଲୋକ ଛଟେଇ ହୋଇଥିଲେ। ଅନ୍ୟ କୌଣସି ବର୍ଷରେ ୨୦୨୩ ଭଳି ଖରାପ ସ୍ଥିତି ଦେଖିବାକୁ ମିଳିନଥିଲା।
ରିପୋର୍ଟରେ କୁହାଯାଇଛି ଯେ ଉପଭୋକ୍ତାମାନଙ୍କ ବିଶ୍ବାସ ଛଅ ମାସର ନିମ୍ନ ସ୍ତରରେ ଥିବା ବେଳେ ନୂଆ ନିଯୁକ୍ତି ଏକପ୍ରକାର ସ୍ଥିର ହୋଇଯାଇଛି। ମାନ୍ଦାବସ୍ଥା ଭୟ ଥିବାରୁ କଂପାନିଗୁଡ଼ିକ ନୂତନ ନିଯୁକ୍ତିରେ ରୋକ ଲଗାଇଛନ୍ତି। ଏଆଇର ପ୍ରଭାବ ବ୍ୟତୀତ ବ୍ୟବସାୟ ବନ୍ଦ ହେବା କାରଣରୁ ଆମେରିକାରେ ଅଧିକ ଲୋକ ଛଟେଇର ଶିକାର ହୋଇଛନ୍ତି। ବ୍ୟବସାୟ ବନ୍ଦ ପାଇଁ ୧୯,୬୦୦ ଲୋକ ଚାକିରି ହରାଇଛନ୍ତି। ବଜାର ଓ ଅର୍ଥନୈତିକ ସ୍ଥିତି ପାଇଁ ୧୪,୬୦୦ ଛଟେଇ ହୋଇଛି। ଅନ୍ୟ ୧୨,୯୦୦ ଛଟେଇର କୌଣସି ନିର୍ଦିଷ୍ଟ କାରଣ ନାହିଁ। ଏଆଇ ପ୍ରଭାବରେ ଲେଖାଲେଖି, ପ୍ରଶାସନିକ ଓ କିରାଣୀ କାର୍ଯ୍ୟ କରୁଥିବା ଲୋକମାନେ ଚାକିରି ହରାଉଛନ୍ତି। ଲୋକପ୍ରିୟ ଏଆଇ ଟୁଲ୍ ଚାଟ୍ଜିପିଟିକୁ ବ୍ୟବହାର କରିବା ପରେ ସିନେଟ୍ ନାମକ ସଂସ୍ଥା ସାମ୍ବାଦିକମାନଙ୍କୁ ଛଟେଇ କରିଛି। ଗତ ମାର୍ଚ୍ଚରେ ଗୋଲ୍ଡମ୍ୟାନ୍ ସଚ୍ସ ଏହାର ରିପୋର୍ଟରେ ଆକଳନ କରିଥିଲା ଯେ ଏଆଇ ପ୍ରଭାବରେ ସାରା ବିଶ୍ବରେ ୩୦ କୋଟି ସ୍ଥାୟୀ ଚାକିରି ଉଭାନ ହୋଇଯିବ।
ଭାରତ ଆସିବେ ଓପନ୍ଏଆଇ ସିଇଓ
ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଲୋକପ୍ରିୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ଚାଟ୍ଜିପିଟି ବିକାଶ କରିଥିବା ଆମେରିକୀୟ ସଂସ୍ଥା ଓପନ୍ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ଭାରତ ଆସିବେ। ଆସନ୍ତା ସପ୍ତାହରେ ସେ ଭାରତ ସମେତ ୬ଟି ଦେଶ ଗସ୍ତ କରିବେ। ଇସ୍ରାଏଲ୍, ଜୋର୍ଡାନ, କତାର, ୟୁଏଇ, ଭାରତ ଓ ଦକ୍ଷିଣ କୋରିଆ ଗସ୍ତ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ଅଛି ବୋଲି ଅଲ୍ଟମ୍ୟାନ୍ ଟୁଇଟ୍ କରିଛନ୍ତି। ଓପନ୍ଏଆଇର ଚାଟ୍ଜିପିଟି ଏତେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ଯେ ଏଆଇକୁ ନେଇ ବିଶ୍ବର ଅଧିକାଂଶ ଦେଶ ଚିନ୍ତା ପ୍ରକଟ କରିଛନ୍ତି। ଏଆଇ ମାନବ ସମାଜ ଲାଗି ବିନାଶକାରୀ ସାବ୍ୟସ୍ତ ହେବ ବୋଲି ବହୁ ବିଶେଷଜ୍ଞ ଚେତାବନୀ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/54654gd65gddgjgjd.jpg)