ମୁମ୍ବାଇ: ଲୋକଙ୍କ ମଧ୍ୟରେ ସୋସିଆଲ୍ ମିଡିଆର କ୍ରେଜ୍ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସୋସିଆଲ୍ ମିଡିଆ ବା ସାମାଜିକ ଗଣମାଧ୍ୟମରେ ଫଟୋ ଓ ଭିଡିଓ ଅପଲୋଡ୍ କରିବାର ଅଭ୍ୟାସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେହି କେହି ରିଲ୍ ତିଆରି କରନ୍ତି ଏବଂ କେହି କେହି ପୋଷ୍ଟ କରନ୍ତି। କିଛି ଲୋକ ନିଜ ପିଲାମାନଙ୍କର ବି ଫଟୋ, ଭିଡିଓ ପୋଷ୍ଟ କରନ୍ତି।
ପ୍ରେମିକ-ପ୍ରେମିକାରୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ସୋସିଆଲ ସାଇଟରେ ସେମାନଙ୍କର ଖୁସିର ମୁହୂର୍ତ୍ତ ବାଣ୍ଟୁଥିବାର ଆମେ ଦେଖିବାକୁ ପାଇଥାନ୍ତି। କିନ୍ତୁ ବର୍ତ୍ତମାନ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି। ଜାଣିରଖନ୍ତୁ ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ମାଧ୍ୟମରେ ଖୁବ୍ ସହଜରେ ସ୍ୱର ଚୋରି ହୋଇପାରୁଛି।
ଏପରି ହୋଇପାରେ ଯେ, ଆପଣଙ୍କୁ ଏକ କଲ ମିଳିବ ଏବଂ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସେ ଆପଣଙ୍କ ପୁଅ, ସ୍ୱାମୀ କିମ୍ବା ବନ୍ଧୁ ବୋଲି କହିବେ। ତା’ପରେ ଆପଣ ଖୁବ୍ ସହଜରେ ଠକାମୀର ଶିକାର ହୋଇଯିବେ। ଆପଣ ଭାବୁଥିବେ ଯେ ନିଜ ଲୋକଙ୍କ କଣ୍ଠସ୍ବର ଚିହ୍ନିବାରେ କେବେ ଭୁଲ୍ ହେବ ନାହିଁ। ମାତ୍ର ମନେ ରଖନ୍ତୁ ଚୋରି ହୋଇଥିବା ସ୍ବରକୁ ବ୍ୟବହାର କରାଯାଇ ଯେଉଁ ସ୍ବର ସୃଷ୍ଟି କରାଯାଇଥିବ, ସେଥିରୁ ଆପଣ କିଛି ବି ଜାଣିପାରିବେ ନାହିଁ। ଆପଣଙ୍କୁ ସେ ସ୍ବର ଅବିକଳ ଆତ୍ମୀୟଙ୍କ ସ୍ବର ପରି ଲାଗିବ। ଆପଣ ବାଧ୍ୟ ହୋଇପଡ଼ିବେ ଠକାମୀରେ ପଡ଼ିବାକୁ।
କାନାଡାରୁ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ସେଠାକାର ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ସ୍ବର ଚୋରି ହୋଇଥିବା ଅଭିଯୋଗ ଆଣିବା ପରେ ଏହି ଭୟ ଆହୁରି ବଢ଼ିଯାଇଛି। ବୃଦ୍ଧ ଦମ୍ପତିଙ୍କ ନିକଟକୁ ଏକ କଲ ଆସିଲା। ଫୋନରେ ଥିବା ସ୍ୱର ତାଙ୍କ ନାତିଙ୍କର ଥିଲା, ଯିଏକି ଅନ୍ୟ ସହରରେ ରହୁଥିଲେ। ତାଙ୍କ ନାତି ନିଜ ଜେଜେଙ୍କୁ ଅସୁବିଧାରେ ଥିବାର ଜଣାଇଥିଲେ। ମୁଁ ଜେଲରେ ଅଛି ଏବଂ ବାହାରକୁ ଯିବା ପାଇଁ ମୋତେ ଟଙ୍କା ଦରକାର ବୋଲି ନାତି ଜଣକ କହି ୧୮ ଲକ୍ଷ ଟଙ୍କା ମାଗିଥିଲେ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାହା ନକଲି ଫୋନ୍ କଲ୍ ଥିଲା। ସେମାନଙ୍କ ନାତି କିଛି ବି ଅସୁବିଧାରେ ନଥିଲେ। ବୃଦ୍ଧ ଦମ୍ପତିଙ୍କୁ ସନ୍ଦେହ ଉପୁଜିବାରେ ସେମାନେ ଟଙ୍କା ଦେଇନଥିଲେ।
ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଅପଲୋଡ୍ ହେଉଥିବା ଭିଡିଓଗୁଡ଼ିକର ସାହାଯ୍ୟରେ ଏହି ସ୍ବର ଚୋରି କରାଯାଇପାରେ। ଏଭଳି ଠକେଇ ମାମଲା ଆମ ଦେଶରେ ମଧ୍ୟ ଆସିଛି। ନିକଟରେ ଛତିଶଗଡରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା।