ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେଇ ବିଦେଶ ଚାଲି ଯାଇଥିଲେ। କିନ୍ତୁ କିଛିଦିନ ପୂର୍ବେ ସେ ପୁଣି ଭାରତକୁ ଫେରିଛନ୍ତି। ତାଙ୍କୁ ଭାରତରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍ ପଲିସି (ଏନଆଇପିଏଫପି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଚଳିତମାସ ୨୨ ତାରିଖରୁ ୪ ବର୍ଷ ପାଇଁ ଏହି ପଦରେ ସେ କାର୍ଯ୍ୟ କରିବେ। ତେବେ ଉର୍ଜିତଙ୍କ ପରେ ଏବେ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍ ଭାରତକୁ ଫେରିଛନ୍ତି। ତେବେ ସେ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବେ ନାହିଁ ବରଂ ଅଶୋକ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗରେ ପ୍ରଫେସର ହେବେ। ସୁବ୍ରମଣ୍ୟନ୍ ଆସନ୍ତା ଜୁଲାଇରୁ ଅଶୋକ ବିଶ୍ବବିଦ୍ୟାଳୟରେ ଯୋଗଦେବେ। ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହିତ ସେ ନ୍ୟୁ ଅଶୋକ ସେଣ୍ଟର ଫର୍ ଇକୋନୋମିକ୍ ପଲିସିର ପ୍ରତିଷ୍ଠାତା ନିର୍ଦ୍ଦେଶକଭାବେ ମଧ୍ୟ କାର୍ଯ୍ୟ କରିବେ।

Advertisment

ସୁବ୍ରମଣ୍ୟନ୍ ଏବେ ହାର୍ଭାର୍ଡ କେନେଡି ସ୍କୁଲରେ ଭିଜିଟିଂ ଲେକଚର ଭାବେ ପାଠ ପଢ଼ାଉଛନ୍ତି। ସୁବ୍ରମଣ୍ୟନଙ୍କ କାର୍ଯ୍ୟକାଳ ଶେଷହେବାର ପ୍ରାୟ ବର୍ଷେ ପୂର୍ବରୁ ସେ ଏହି ପଦରୁ ଇସ୍ତଫା ଦେଇ ଆମେରିକାକୁ ପଳାଇଥିଲେ। ଗତବର୍ଷ ସେ ଏକ ବିବାଦୀୟ ବୟାନ ଦେଇ ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ। ସରକାର ୨୦୧୧-୧୨ରୁ ୨୦୧୬-୧୭ ମଧ୍ୟରେ ଦେଶର ଜିଡିପିକୁ ୨.୫ ପ୍ରତିଶତ ବଢ଼େଇ ଚଢ଼େଇ ଦେଖାଇଛନ୍ତି ବୋଲି ସେ କହିଥିଲେ। ଏନଆଇପିଏଫପିକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ, ପୂର୍ବର ଯୋଜନା ଆୟୋଗ ଏବଂ କେତୋଟି ରାଜ୍ୟ ସରକାର ମିଶି ମିଳିତଭାବେ ପ୍ରତିଷ୍ଠା କରିଥିଲେ। ସରକାରଙ୍କ ଦ୍ବାରା ସ୍ଥାପିତ ହୋଇଥିଲେ ମଧ୍ୟ ଏହା ଏକ ସ୍ବାଧୀନ ଏବଂ ବେସରକାରୀ ସଂସ୍ଥାଭାବେ କାର୍ଯ୍ୟ କରିଥାଏ। ତେବେ ଉର୍ଜିତଙ୍କ ଅଭିଜ୍ଞତାକୁ କେନ୍ଦ୍ର ସରକାର ବର୍ତ୍ତମାନର କରୋନା ପରିପ୍ରେକ୍ଷୀରେ ନିମ୍ନଗାମୀ ହୋଇଥିବା ଅର୍ଥନୀତିର ସୁଧାର ଦିଗରେ ଉପଯୋଗ କରିବେ ବୋଲି ଆଶା କରାଯାଉଛି।