ମନରେଗାରେ ୧୧ କୋଟି ଲୋକଙ୍କୁ କାମ, ଓଡ଼ିଶାରେ ୩୫ ଲକ୍ଷ ଲୋକ ଉପକୃତ

ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ଦେଶବ୍ୟାପୀ କଠୋର ଲକ୍‌ଡାଉନ୍ ଘୋଷଣା କରାଯିବାରୁ ଜୀବନଜୀବିକାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ରୋଜଗାର ଆଶାରେ ସହର ଯାଇଥିବା ଅନେକ ଲୋକ ନିଜ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ। ସେଭଳି ଲୋକମାନଙ୍କର ସାହାରା ପାଲଟିଥିଲା ମହାତ୍ମା ଗାନ୍ଧୀ ଗ୍ରାମୀର ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)। ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଜରିଆରେ ୧୧ କୋଟିରୁ ଅଧିକ ଲୋକଙ୍କୁ କାମ ମିଳିଥିଲା। ଲୋକସଭାରେ ଆଜି ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଏହି ସୂଚନା ଦେଇଛନ୍ତି। ସେ ଦେଇଥିବା ଲିଖିତ ଉତ୍ତରରେ ଉଲ୍ଲେଖ ରହିଛି ଯେ ୨୦୨୦-୨୧ରେ ୧୧ କୋଟି ୧୯ ଲକ୍ଷରୁ ଅଧିକ ଲୋକଙ୍କୁ ମନରେଗାରେ କାମ ଦିଆଯାଇଥିଲା।

ଚଳିତ ବର୍ଷ ମଧ୍ୟ ଏହି ସ୍କିମ୍‌ରେ ଲୋକମାନେ କାମ ମାଗିବା ଜାରି ରଖିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଜୁଲାଇ ୨୩ ତାରିଖ ସୁଦ୍ଧା ୬ କୋଟି ୫୧ ଲକ୍ଷ ଲୋକଙ୍କୁ କାମ ଦିଆଯାଇଛି। ଚଳିତ ବର୍ଷ ଓଡ଼ିଶାର ୩୫ ଲକ୍ଷ ୩୧ ହଜାର ଲୋକ ଏହି ଯୋଜନା ଦ୍ବାରା ଉପକୃତ ହୋଇଛନ୍ତି। ମନରେଗା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧,୧୧,୧୭୦ କୋଟି ଟଙ୍କା ଜାରି କରାଯାଇଥିଲା। ଚଳିତ ବର୍ଷ ଜୁଲାଇ ୨୦ ସୁଦ୍ଧା ଏହି ସ୍କିମ୍ ପାଇଁ ୪୧,୧୮୭ କୋଟି ଟଙ୍କା ଜାରି କରାଯାଇସାରିଲାଣି ବୋଲି ‌ମନ୍ତ୍ରୀ ସୂଚନା ଦେଇଛନ୍ତି। ମନରେଗା ହେଉଛି ଏଭଳି ଏକ ସ୍କିମ୍ ଯେଉଁଥିରେ ବର୍ଷକୁ ୧୦୦ ଦିନର ନିଶ୍ଚିତ କାମ ଯୋଗାଇବାର ପ୍ରତିଶ୍ରୁତି ଦିଆଯାଇଛି। ଏହା ହେଉଛି ଚାହିଦା ଭିତ୍ତିକ ସ୍କିମ୍। ଅର୍ଥାତ ଯେଉଁମାନେ ସ୍ବେଚ୍ଛାଧୀନ ଭାବେ କାମ ମାଗିବେ ସେମାନଙ୍କୁ କାମ ଦିଆଯିବ। ଏହି ସ୍କିମ୍‌ରେ ଜାତୀୟ ସମ୍ପତ୍ତି ସୃଷ୍ଟି କରାଯାଉଛି। ବିଶେଷ କରି ଅଣ-କୁଶଳୀ ଶ୍ରମିକମାନେ ଏହି କାମରେ ନିୟୋଜିତ ହୋଇଥାନ୍ତି।

ଯେଉଁମାନେ ଏଭଳି କାମ କରିବାକୁ ରାଜି ସେମାନେ ମନରେଗାରେ କାମ ମାଗିଥାନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗାରେ ୨୫ ଲକ୍ଷ ସମ୍ପତ୍ତି ସୃଷ୍ଟି କରାଯାଇଛି। ଚଳିତ ବର୍ଷ ୭୩% ରାଶି କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରରେ ବିନିଯୋଗ କରାଯାଇଛି। ଚଳିତ ବର୍ଷ ମନରେଗାରେ ଆନ୍ଧ୍ରପ୍ରଦେଶର ସର୍ବାଧିକ ୭୧ ଲକ୍ଷ ୪୬ ହଜାର ଲୋକ କାମ ମାଗିଛନ୍ତି। ପଶ୍ଚିମବଙ୍ଗର ୫୭ ଲକ୍ଷ, ଉତ୍ତରପ୍ରଦେଶର ୪୫ ଲକ୍ଷ ୭୮ ହଜାର, ତାମିଲନାଡ଼ୁର ୫୪ ଲକ୍ଷ ୯୯ ହଜାର, ରାଜସ୍ଥାନର ୫୨ ଲକ୍ଷ ୫୫ ହଜାର, ମଧ୍ୟପ୍ରଦେଶର ୬୫ ଲକ୍ଷ ୩୭ ହଜାର, କର୍ଣ୍ଣାଟକର ୪୧ ଲକ୍ଷ ୫୧ ହଜାର ଓ ଛତିଶଗଡ଼ର ୩୯ ଲକ୍ଷ ୯୧ ହଜାର ଲୋକ କାମ ମାଗିଛନ୍ତି।

ସମ୍ବନ୍ଧିତ ଖବର