ଅକ୍ଟୋବର ସୁଦ୍ଧା ୫ଜି: ଓଡ଼ିଶାରେ ମିଳିବନି; ପ୍ରାରମ୍ଭିକ ପର୍ଯ୍ୟାୟରେ ୧୩ଟି ସହରରେ ମିଳିବ

ସୁଲଭ ମୂଲ୍ୟରେ ‌ମିଳିବ, ୨-୩ ବର୍ଷରେ ସବୁ ଆଡ଼େ ଉପଲବ୍ଧ ହେବ

ନୂଆଦିଲ୍ଲୀ: ଦେଶରେ ଆସନ୍ତା ଅକ୍ଟୋବର ୧୨ ସୁଦ୍ଧା ୫ଜି ଟେଲିକମ୍ ସେବା ଆରମ୍ଭ ନେଇ ଲକ୍ଷ୍ୟ ରଖାଯାଇଛି। ଆଜି ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ‌ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ପର୍ଯ୍ୟାୟକ୍ରମେ ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୫ଜି ସେବା ଆରମ୍ଭ ହେବ। ଦୁଇରୁ ତିନି ବର୍ଷ ମଧ୍ୟରେ ଏହା ଦେଶର ସବୁ ଅଞ୍ଚଳରେ ପହଞ୍ଚିବ ବୋଲି ଆଶା ରଖାଯାଇଛି। କେବଳ ସେତିକି ନୁହେଁ, ସୁଲଭ ମୂଲ୍ୟରେ ଏହା ଯେଭଳି ଉପଲବ୍ଧ ହେବ ତାହାକୁ ନିଶ୍ଚିତ କରାଯିବ। ଦ୍ରୁତଗତିରେ ୫ଜି ସେବା ଆରମ୍ଭ ପାଇଁ ଆମେ ଯୋଜନା ଚଳାଇଛୁ। ଟେଲିକମ୍ ଅପରେଟରମାନେ ସେ ଦିଗରେ କାର୍ଯ୍ୟ କରୁଛନ୍ତି। ଅକ୍ଟୋବର ୧୨ ସୁଦ୍ଧା ଉକ୍ତ ସେବାର ଶୁଭାରମ୍ଭ ନେଇ ଆଶା ରହିଥିବା ସେ କହିଛନ୍ତି।
୫ଜି ହେଉଛି ପରବର୍ତ୍ତୀ ପିଢ଼ିର ଟେଲିକମ୍ ସେବା ଯେଉଁଥିରେ ୪ଜି ତୁଳନାରେ ୧୦ ଗୁଣା ଅଧିକ ବେଗରେ ଡାଟା ମିଳିବ। ଇଣ୍ଟରନେଟ୍‌ରେ ହେଉଥିବା ବିଳମ୍ବ ହ୍ରାସ ପାଇବ, ତେଣୁ ବହୁ ଗୁରୁତ୍ବପୂର୍ଣ୍ଣ କାମକୁ ଦୂର ସ୍ଥାନରେ ରହି ଦ୍ରୁତ ଇଣ୍ଟରନେଟ୍ ସ୍ପିଡ୍‌ ଜରିଆରେ କରାଯାଇପାରିବ। ଚିକିତ୍ସା ବିଜ୍ଞାନଠାରୁ ଆରମ୍ଭ କରି ଯାନବାହନ, ଘର ଓ କୃଷି ପର୍ଯ୍ୟନ୍ତ ବିବିଧ କ୍ଷେତ୍ରରେ ୫ଜିକୁ ବ୍ୟବହାର କରିବାର ସମ୍ଭାବନା ରହିଛି।

ଦେଶର ଚାରିଟି ଟେଲିକମ୍ କଂପାନି ୫ଜି ସ୍ପେକ୍ଟ୍ରମ୍ କିଣିଛନ୍ତି। ସେହି କମ୍ପାନିଗୁଡ଼ିକ ହେଲେ ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓ, ଆଦାନି ଡାଟା ନେଟୱର୍କସ ଏବଂ ଭୋଡାଫୋନ ଆଇଡିଆ। ସ୍ପେକ୍ଟ୍ରମ ବାବଦରେ ଟେଲିକମ୍‌ ବିଭାଗ ୧୭,୮୭୬ କୋଟି ଟଙ୍କା ପାଇସାରିଛି। ଟେଲିକମ୍ କମ୍ପାନି ଗୁଡ଼ିକ ମୋଟ ୧.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ସ୍ପେକ୍ଟ୍ରମ କିଣିଥିବାବେଳେ ଏଥିରୁ ପାଖାପାଖି ଅଧା ସ୍ପେକ୍ଟ୍ରମ ରିଲାଏନ୍ସ ଜିଓ ୮୭୯୪୬.୯୩ କୋଟି ଟଙ୍କାରେ କିଣିଛି। କଂପାନିଗୁଡ଼ିକ ସ୍ପେକ୍ଟ୍ରମ୍ ଆବଣ୍ଟନ କରିବା ପରେ ଶୀଘ୍ର ସେବା ଆରମ୍ଭ କରିବା ଲାଗି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସେମାନଙ୍କୁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୩ଟି ସହରରେ ୫ଜି ସେବା ଉପଲବ୍ଧ ହେବ। ସେଥ‌ିରେ ଓଡ଼ିଶାର କୌଣସି ସହରର ନାମ ନାହିଁ। ନୂଆଦିଲ୍ଲୀ, ଚଣ୍ଡିଗଡ଼, ଗୁରୁଗ୍ରାମ, ମୁମ୍ବାଇ, ଗାନ୍ଧୀନଗର, ଅହମଦାବାଦ, ଜାମନଗର, ପୁଣେ, ଲକ୍ଷ୍ନୌ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇରେ ୫ଜି ସେବା ମିଳିବ। ୫ଜି ସେବା ଲାଗି ୫ଜି ସ୍ମାର୍ଟଫୋନ୍‌ର ଗ୍ରହଣୀୟତା ବଢ଼ିବ। ରିଲାଏନ୍ସ ଜିଓ ନିଜସ୍ବ ୫ଜି ମୋବାଇଲ୍ ଉନ୍ମୋଚନ କରିବା ବିଷୟରେ ଯୋଜନା ରଖିଛି। ତାହାର ଦାମ୍ ୧୨,୫୦୦ ଟଙ୍କା ରହିବ। ଗ୍ରାହକମାନେ ଅଢ଼େଇ ହଜାର ଟଙ୍କା ଦେଇ ଫୋନ୍‌ କିଣିବେ ଓ ବଳକା ଟଙ୍କାକୁ କିସ୍ତି ଆକାରରେ ପରିଶୋଧ କରିବା ସୁବିଧା ପାଇବେ। ଫୋନ୍ ସହ ଅସୀମିତ ଡାଟା ଓ କଲ୍‌ ସୁବିଧା ଥିବା ଅଫର ମଧ୍ୟ ଉପଲବ୍ଧ ହେବ।

ଘରୋଇ ସମ୍ପତ୍ତିରେ ଟାୱାର ବସାଇବା ପାଇଁ ମଞ୍ଜୁରି ଦରକାର ନାହିଁ

ଦ୍ରୁତ ଗତିରେ ୫ଜି ସେବାର ସମ୍ପ୍ରସାରଣ କରିବା ଲାଗି କେନ୍ଦ୍ର ସରକାର ଆଜି ଇଣ୍ଡିଆନ ଟେଲିଗ୍ରାଫ୍‌ ରାଇଟ୍‌ ଅଫ୍‌ ୱେ ନିୟମ, ୨୦୧୬ରେ ସଂଶୋଧନ କରିଛନ୍ତି। ଏଥି ସହିତ ଗତି ଶକ୍ତି ସଞ୍ଚାର ପୋର୍ଟାଲ୍‌ରେ ନୂଆ ୫ଜି ଆର୍‌ଓଡବ୍ଲୁ ଫର୍ମ ଉପଲବ୍ଧ କରାଯାଇଛି। ୨୦୧୯‌ରେ ଆର୍‌ଓଡବ୍ଲୁ ଆବେଦନ ମଞ୍ଜୁର କରିବା ଲାଗି ୪୩୫ ଦିନ ଲାଗୁଥିଲା। ଚଳିତ ବର୍ଷ ଜୁଲାଇ ସୁଦ୍ଧା ସେହି ସମୟ ୧୬ ଦିନକୁ ହ୍ରାସ ପାଇଛି। ବିଭିନ୍ନ ଫି’କୁ ମଧ୍ୟ ହ୍ରାସ କରାଯାଇଛି। ବର୍ଷକୁ ୧୦୦-୩୦୦ ଟଙ୍କା ଭଳି କମ୍ ଫି’ରେ ଭିତ୍ତିଭୂମିକୁ ବ୍ୟବହାର କରିବା ସୁବିଧା ମିଳିବ। ଏହି ସଂଶୋଧନରେ ଖୁଣ୍ଟ ଓ ଟାୱାରର ସଂଜ୍ଞା ନିର୍ଧାରଣ କରାଯାଇଛି। ଆଠ ମିଟର ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ବ୍ୟବସ୍ଥାକୁ ଖୁଣ୍ଟ ଭାବେ ବିଚାର କରାଯିବ। ଏହାଠାରୁ ଉଚ୍ଚତା ଅଧିକ ରହିଲେ ତାହାକୁ ଟାୱାର କୁହାଯାଇଛି। ଖୁଣ୍ଟ ଲଗାଇବା ଲାଗି ସର୍ବନିମ୍ନ ନିୟାମକ ମଞ୍ଜୁରି ଦରକାର ପଡ଼ିବ। କେନ୍ଦ୍ର ସରକାର କିମ୍ବା ତାଙ୍କ ସଂସ୍ଥା ପରିସର ଜମିରେ ଖୁଣ୍ଟ ସ୍ଥାପନ କଲେ କୌଣସି ପ୍ରଶାସନିକ ଫି’ ଦେବାକୁ ପଡ଼ିବନି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଜମି ପାଇଁ ଖୁଣ୍ଟ ପିଛା ୧୦୦୦ ଟଙ୍କା ଦେବାକୁ ହେବ। ଫାଇବର କେବୁଲ ବିଛାଇବା ଲାଗି କିଲୋମିଟର ପିଛା ୧୦୦୦ ଟଙ୍କା ଗଣିବାକୁ ପଡ଼ିବ। ଖୁଣ୍ଟ ଲଗାଇବା ଲାଗି କଂପାନିଙ୍କୁ କୌଣସି କ୍ଷତିପୂରଣ ଦେବାକୁ ପଡ଼ିବନି। ଘରୋଇ ସମ୍ପତ୍ତି ଉପରେ ଟାୱାର ଭଳି ଟେଲିକମ୍ ଭିତ୍ତିଭୂମି ସ୍ଥାପନ ଲାଗି କର୍ତ୍ତୃପକ୍ଷଙ୍କଠାରୁ କୌଣସି ଅନୁମତି ନେବାକୁ ପଡ଼ିବନି।

ସମ୍ବନ୍ଧିତ ଖବର