ଏସେଲ୍‌ ଗ୍ରୁପ୍‌ରେ ଆର୍ଥିକ ସଙ୍କଟ

୧୩ ହଜାର କୋଟିର ଋଣ ଶୁଝି ପାରୁନି ଭିତ୍ତିଭୂମି କାରବାରରେ ୫୦୦୦ କୋଟି କ୍ଷତି

ନୂଆଦିଲ୍ଲୀ: ସୁଭାଷ ଚନ୍ଦ୍ରାଙ୍କ ଦ୍ବାରା ପରିଚାଳିତ ଏସଲେ୍‌ ଗ୍ରୁପ୍ ଋଣ ସଙ୍କଟରେ ଫସିଯାଇଛି। ବିଭିନ୍ନ ଆର୍ଥିକ ସଂସ୍ଥା ଠାରୁ କଂପାନି ନେଇଥିବା ୧୩ ହଜାର କୋଟି ଟଙ୍କାର ଋଣ ଫେରାଇବାରେ ସଂଘର୍ଷ କରୁଛି। ସେୟାର ବନ୍ଧକ ରଖି କଂପାନି ଋଣ ନେଇଥିଲା। ସେହି ସେୟାରଗୁଡ଼ିକୁ ‘ଡିଫଲ୍ଟ’ (ଖିଲାପ) ଘୋଷଣା କରିବାକୁ ଆର୍ଥିକ ସଂସ୍ଥାଗୁଡ଼ିକ ସଜବାଜ ହେଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା।
ସେହି ଖବର ଉପରେ ପ୍ରତିକ୍ରିୟା ରଖିଛି ଏସେଲ୍ ଗ୍ରୁପ୍। କଂପାନି ପକ୍ଷରୁ କୁହାଯାଇଛି ଯେ, ଆମେ ଆର୍ଥିକ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିଛୁ। କଂପାନିକୁ ଦେବାଳିଆ ଘୋଷଣା କରିବେ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ଦିନ ତଳେ ସୁଭାଷ ଚନ୍ଦ୍ରା‌ କହିଥିଲେ ଯେ, କଂପାନି ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ନାକରାତ୍ମକ ଶକ୍ତି ଯୋଗୁ କଂପାନିର ସେୟାର ମୂଲ୍ୟ ହ୍ରାସ ପାଉଛି ବୋଲି ସେ ଅଭିଯୋଗ କରିଥିଲେ। ଆଜି ସେ ମ୍ୟୁଚୁଆଲ୍ ଫଣ୍ଡ୍ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ଋଣ ପ୍ରଦାନ କରିଥିବା ସଂସ୍ଥାଗୁଡ଼ିକ ଏସେଲ୍ ଗ୍ରୁପ୍‌ର କେତେକ ବ୍ୟବସାୟ ଉପରେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି। ବିଶେଷ କରି ଏହାର ମନୋରଞ୍ଜନ ଓ ଡିଟିଏଚ୍‌ ବ୍ୟବସାୟ ଉପରେ ପୂର୍ଣ୍ଣ ବିଶ୍ବାସ ଅଛି ବୋଲି କହିଛନ୍ତି। ସେୟାର ମୂଲ୍ୟରେ ହ୍ରାସ ହେଲେ ମଧ୍ୟ କଂପାନିକୁ ଦେବାଳିଆ ଘୋଷଣା କରିବେ ନାହିଁ ବୋଲି ଋଣ ପ୍ରଦାନ କରିଥିବା ସଂସ୍ଥାଗୁଡ଼ିକୁ ଭରସା ପ୍ରଦାନ କରିଛନ୍ତି।
ସୁଭାଷ ନିଜର ଦୁଇ ସଫଳ କଂପାନିର ସେୟାରକୁ ବନ୍ଧକ ରଖି ୧୩ ହଜାର କୋଟି ଟଙ୍କାର ଋଣ ନେଇଥିଲେ। ସେହି ଟଙ୍କାକୁ ନେଇ ନୂତନ ବ୍ୟବସାୟରେ ନିବେଶ କରିଥିଲେ। ସେଗୁଡ଼ିକ କିନ୍ତୁ ବିଶେଷ ସଫଳତା ହାସଲ କରିପାରିଲା ନାହିଁ। ଫଳରେ ଋଣ ଅର୍ଥ ପରିଶୋଧ କରିବାକୁ ସୁଭାଷ ସଂଘର୍ଷ କରୁଛନ୍ତି। ଋଣ ପ୍ରଦାନକାରୀମାନଙ୍କୁ କ୍ଷମା ପ୍ରାର୍ଥନା କରି ସୁଭାଷ କହିଛନ୍ତି ଯେ, କେବଳ ଭିତ୍ତିଭୂମି କାରବାରରେ ୫୦୦୦ କୋଟି ଟଙ୍କାର କ୍ଷତି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ବିମୁଦ୍ରୀକରଣ ବ‌େଳେ ୩୦୦୦ କୋଟି ଟଙ୍କାର ଜମାକୁ ନେଇ ଚାଲିଥିବା ତଦନ୍ତ ବେଳେ ଏହି ଗ୍ରୁପ୍‌ର ଏକ କଂପାନି ନାମ ଅନ୍ୟ ଏକ ସଂସ୍ଥା ସହ ସାମ୍ନାକୁ ଆସିବା ପରେ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଦୁଇ ଦିନ ଭିତରେ କଂପାନିର ସେୟାର ମୂଲ୍ୟ ୨୬% ଖସିଯାଇଥିଲା।

ସମ୍ବନ୍ଧିତ ଖବର