ନୂଆଦିଲ୍ଲୀ: ଅଶୋକା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଣବ ଗୁପ୍ତା ଓ ବିନୀତ ଗୁପ୍ତାଙ୍କ ବିରୋଧରେ ଋଣ ଠକେଇ ଅଭିଯୋଗ ରହିଛି। ଚଣ୍ଡିଗଡ଼ରେ ଥିବା ନିଜ ଔଷଧ କଂପାନି ପାରାବୋଲିକ୍ ଡ୍ରଗ୍ସ ଲାଗି ଏହି ଦୁଇ ଭାଇ ୧,୬୨୬ କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଅନ୍ୟ ୧୧ଟି ବ୍ୟାଙ୍କ ଠାରୁ ସେମାନେ ଋଣ ଆଣି ହେରଫେର କରିଥିବା ସିବିଆଇ କହିଛି। ଗତ ଡିସେମ୍ବର ୩୧ରେ ଏହି ଦୁଇ ଭାଇଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ଉ କରାଯାଇଥିଲା।
ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ ପାରାବୋଲିକ୍ ଡ୍ରଗ୍ସ କାଗଜପତ୍ରରେ ଜାଲିଆତି କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ପଟିଆଲା, ଆଇସିଆଇସିଆଇ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ହାଇଦ୍ରାବାଦ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ଏକ୍ଜିମ୍ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ସିଡ୍ବି ଠାରୁ ଋଣ ହାସଲ କରିଥିଲା। ୨୦୧୨ ପରେ କଂପାନି ଋଣ ପରିଶୋଧ କରିବା ବନ୍ଦ କରିଦେବାରୁ ସେଣ୍ଟ୍ରାଲ୍ ବ୍ୟାଙ୍କ ପକ୍ଷରୁ ସେ ନେଇ ସିବିଆଇରେ ଅଭିଯୋଗ କରାଯାଇଥିଲା। ଅଭିଯୋଗରେ ବ୍ୟାଙ୍କ ଦର୍ଶାଇ ଥିଲା ଯେ କାଗଜପତ୍ର ଜାଲିଆତି କରି କଂପାନି ଋଣ ହାସଲ କରିବା ପରେ ବିଭିନ୍ନ ଉପାୟରେ ସେହି ପାଣ୍ଠିକୁ ଆତ୍ମସାତ କରାଯାଇଛି। ପାଣ୍ଠିର କିଛି ଅଂଶକୁ ଅନ୍ୟତ୍ର ପଠାଇ ଦିଆଯାଇଛି। ଋଣ ରାଶି ଫେରସ୍ତ କରାନଯିବାରୁ ବ୍ୟାଙ୍କକୁ କ୍ଷତି ସହିବାକୁ ପଡ଼ିଛି। ୨୦୧୪ରେ ପାରାବୋଲିକ୍ ଡ୍ରଗ୍ସର ଋଣ ଖାତାକୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଏନ୍ପିଏ ବର୍ଗରେ ସାମିଲ କରିଥିଲା।