ଚୀନ୍‌ରେ ରିୟଲ୍‌ ଇଷ୍ଟେଟ୍‌ ସଙ୍କଟ: ଅର୍ଦ୍ଧେକ ସମ୍ପଦ ହରାଇଲେ ଏସିଆର ସବୁଠୁ ଧନୀ ମହିଳା

ନୂଆଦିଲ୍ଲୀ: ଚୀନ୍‌ରେ ରିୟଲ୍‌ ଇଷ୍ଟେଟ୍‌ ସଙ୍କଟ ବୃଦ୍ଧି ପାଇବାରୁ ଚଳିତ ବର୍ଷ ଏସିଆର ସବୁଠୁ ଧନୀ ମହିଳା ୟାଙ୍ଗ୍ ହୁୟିୟାନ୍‌ ତାଙ୍କ ସମ୍ପତ୍ତିରୁ ଅଧାରୁ ଅଧିକ ହରାଇ ଥିବା କଥା ‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ’ ସୂଚକାଙ୍କରୁ ଜଣାପଡ଼ିଛି। ପ୍ରାୟ ୨୪ ବିଲିୟନ୍‌ ଡଲାର୍‌ ଥିବା ତାଙ୍କ ସମ୍ପତ୍ତି ୧୧ ବିଲିୟନ୍‌ ଡଲାର୍‌କୁ ହ୍ରାସ ପାଇଛି।

ବିକ୍ରୟ ଆଧାରରେ ଚୀନାର ବୃହତ୍ତମ ରିୟଲ୍‌ ଇଷ୍ଟେଟ୍‌ ଡେଭ୍‌ଲପର୍‌ ‘କଣ୍ଟ୍ରି ଗାର୍ଡେନ୍‌ ହୋଲ୍‌ଡିଙ୍ଗ୍‌’କୁ ୪୧ ବର୍ଷୀୟ ନିୟନ୍ତ୍ରଣ କରନ୍ତି। ଏହି କମ୍ପାନିରେ ଥିବା ହୁୟିୟାନ୍‌ଙ୍କ ଅଂଶଧନର ବହୁଳାଂଶ ତାଙ୍କ ବାପାଙ୍କ ଠାରୁ ପାଇଛନ୍ତି। ୧୯୯୨ରେ ଗୁଆଙ୍ଗ୍‌ଡଙ୍ଗ୍‌ ପ୍ରଦେଶର ଫୋଶନ୍‌ରେ ତାଙ୍କ ବାପା ୟାଙ୍ଗ୍‌ ଗୁଓକ୍ବିଆଙ୍ଗ୍‌ ଉକ୍ତ ରିୟଲ୍‌ ଇଷ୍ଟେଲ୍‌ କମ୍ପାନି ‘କଣ୍ଟ୍ରି ଗାର୍ଡେନ୍‌ ହୋଲ୍‌ଡିଙ୍ଗ୍‌’ସଂସ୍ଥାପନା କରିଥିଲେ।

Image Courtesy of WION

ଗତବର୍ଷଠାରୁ ଘର ଦାମ୍‌ ହ୍ରାସ, କ୍ରେତାମାନଙ୍କର କମ୍‌ ଚାହିଦା ଏବଂ ଋଣ କିସ୍ତି ପରିଶୋଧ ସଙ୍କଟ ହେତୁ ଚଳିତ ବର୍ଷ ‘କଣ୍ଟ୍ରି ଗାର୍ଡେନ୍‌ ହୋଲ୍‌ଡିଙ୍ଗ୍‌’ ତା’ର ଅର୍ଦ୍ଧାଧିକ ସେୟାର୍‌ ହରାଇଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ସମ୍ପତ୍ତିର ଅର୍ଦ୍ଧାଧିକ ହରାଇ ମଧ୍ୟ ହୁଇୟାନ୍‌ ଏସିଆର ସବୁଠୁ ବଡ଼ ଧନୀ ମହିଳା ହୋଇ ରହିଛନ୍ତି ବୋଲି ‘ବ୍ଲୁମ୍‌ବର୍ଗ ବିଲିୟନେୟାର୍‌ ଇନ୍‌ଡେକ୍ସ୍’ରେ ଉଲ୍ଲେଖ ଅଛି। କିନ୍ତୁ, ତାଙ୍କ କମ୍ପାନିର ନିଟ୍‌ ମୂଲ୍ୟ ପତନ ପରେ ଚୀନ୍‌ରେ ଥିବା ତାଙ୍କ ସାଥୀ ମହିଳା ବିଲିୟନେୟାର୍‌ଙ୍କ ମଧ୍ୟରେ ଦୂରତ୍ବ ସଙ୍କୁଚିତ ହେଉଛି। ଆଉ ମାତ୍ର ୧୦୦ ମିଲିୟନ୍‌ ଡଲାର୍‌ ଉପାର୍ଜନ କରିପାରିଲେ ହୋଙ୍ଗେଇ ନାମରେ ଜଣେ ମହିଳା ଉଦ୍ୟୋଗୀ ତାଙ୍କୁ ଟପିଯିବେ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ହୋଙ୍ଗ୍ୱେଇ ରାସାୟନିକ ତନ୍ତୁ ଉତ୍ପାଦନ କରୁଥିବା କମ୍ପାନି ‘ହେଙ୍ଗେଲି ଫାର୍ମାସ୍ୟୁଟିକାଲ୍‌’ର ଅଧ୍ୟକ୍ଷା ଅଛନ୍ତି।

ସମ୍ବନ୍ଧିତ ଖବର