ନେଟଫ୍ଲିକ୍ସ ଓ ଆମାଜନ୍ ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ଏସିଆର ଦୁଇ ଧନୀ ବ୍ୟବସାୟୀ

ରିଲାଏନ୍ସ ଓ ଭାୟାକମ୍ ୧୮ ପକ୍ଷରୁ ବୋଧି ଟ୍ରି ସିଷ୍ଟମ୍ସ ସହ ସହଯୋଗିତା ସ୍ଥାପନ ଘୋଷଣା

ମୁମ୍ବାଇ/ ଭୁବନେଶ୍ୱର: ଏସିଆ ମହାଦେଶର ଦୁଇ ଧନୀ ବ୍ୟବସାୟୀ ବର୍ତ୍ତମାନ ମନୋରଞ୍ଜନ ଶିଳ୍ପରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ଲାଗି ଯୋଜନା କରୁଛନ୍ତି । ମୁଖ୍ୟତଃ ନେଟଫ୍ଲିକ୍ସ ଓ ଆମାଜନ କବଳରେ ଥିବା ଓଟିଟି ବଜାରରେ ରିଲାଏନ୍ସ ଓ ଆଦାନି ଗ୍ରୁପ ନିଜ ଉପସ୍ଥିତିକୁ ଆଗକୁ ନେଉଛନ୍ତି  । ଫଳରେ ଖୁବ୍ ଶୀଘ୍ର ନେଟଫ୍ଲିକ୍ସ ଓ ଆମାଜନ ପ୍ରତିନ୍ଦ୍ବନ୍ଦ୍ବିତାର ସମ୍ମୁଖୀନ ହେବେ।  ଓଟିଟି ପ୍ଲାଟଫର୍ମର କ୍ରମବର୍ଦ୍ଧିଷ୍ଣୁ ଚାହିଦା ଓ ବଜାରକୁ ଦୃଷ୍ଟିରେ ରଖି ଅମ୍ବାନୀ ଓ ଆଦାନି ଏପରି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି। ଭାୟାକମ୍୧୮ରେ ୧୩,୫୦୦ କୋଟି ଟଙ୍କା ନିବେଶ କରିବ ବୋଧି ଟ୍ରି ସିଷ୍ଟମ୍ସ ଏବଂ ରିଲାଏନ୍ସ ପ୍ରୋଜେକ୍ଟସ୍ ଆଣ୍ଡ୍ ପ୍ରପର୍ଟି ମ୍ୟାନେଜମେଂଟ୍ ସର୍ଭିସେସ୍ ୧,୬୪୫ କୋଟି ନିବେଶ କରିବ। ସେହିପରି ଆଦାନି ଗ୍ରୁପ ପକ୍ଷରୁ ଏକ ସ୍ବତନ୍ତ୍ର ମିଡିଆ ଭେଞ୍ଚର ଆରମ୍ଭ କରାଯାଉଥିବା ସୂଚନା ରହିଛି।

ଜେମ୍ସ ମୁର୍ଦୋଚ୍ଚଙ୍କ ଲୁପା ସିଷ୍ଟମ୍ସର ନିବେଶ ସଂସ୍ଥା ବୋଧି ଟ୍ରି ସିଷ୍ଟମ୍ସ ଓ ଉଦୟ ଶଙ୍କର ପ୍ରସାରଣ ସେବା କ୍ଷେତ୍ର ସହ ଜଡ଼ିତ କଂପାନି ଭାୟାକମ୍୧୮ରେ ୧୩,୫୦୦ କୋଟି ଟଙ୍କା ନିବେଶ କରିବା ବିଷୟରେ ଘୋଷଣା କରିଛନ୍ତି। ଉଦୟ ଶଙ୍କର ହେଉଛନ୍ତି ଷ୍ଟାର ଓ ଡିଜ୍ନି ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ । ମୁକେଶ ଅମ୍ବାନୀଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ତ୍ରିପାକ୍ଷିକ ଭାଗିଦାରୀ ଜରିଆରେ ଏହି ନିବେଶ କରାଯିବ । ଏହା ଦ୍ୱାରା ଦେଶର ସବୁଠୁ ବଡ଼ ଟିଭି ଓ ଡିଜିଟାଲ୍ ଷ୍ଟ୍ରିମିଂ କଂପାନିକୁ ଏକ ଆକାର ମିଳିବ ।

ଏହି ସହଯୋଗିତା ଜରିଆରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସଂସ୍ଥା ରିଲାଏନ୍ସ ପ୍ରୋଜେକ୍ଟସ୍ ଆଣ୍ଡ୍ ପ୍ରପର୍ଟି ମ୍ୟାନେଜମେଂଟ୍ ସର୍ଭିସେସ୍ ଲିମିଟେଡ୍ (ଆରପିପିଏମ୍ଏସ୍ଏଲ୍) ୧,୬୪୫ କୋଟି ଟଙ୍କାର ନିବେଶ କରିବ । ଏହା ବ୍ୟତୀତ ଲୋକପ୍ରିୟ ଜିଓ ସିନେମା ଓଟିଟି ଆପକୁ ଭାୟାକମ୍୧୮କୁ ସ୍ଥାନାନ୍ତର କରାଯିବ । ଟେଲିଭିଜନ, ଓଭର ଦି ଟପ୍ (ଓଟିଟି), ବିତରଣ ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା କ୍ଷେତ୍ରରେ ଆର୍ପିପିଏମ୍ଏସ୍ଏଲର ଉଲ୍ଲେଖନୀୟ ଉପସ୍ଥିତି ରହିଛି । ପାରାମାଉଂଟ୍ ଗ୍ଲୋବାଲ୍ (ପୂର୍ବରୁ ଭାୟାକମ୍ ସିବିଏସ୍) ଭାୟାକମ୍୧୮ର ଅଂଶଧନକାରୀ ହୋଇରହିବ । ଭାୟାକମ୍୧୮କୁ ଏହା ନିଜର ପ୍ରମୁଖ ବିଶ୍ୱସ୍ତରୀୟ ଉତ୍ପାଦଗୁଡ଼ିକୁ ପ୍ରଦାନ କରିବା ଜାରି ରଖିବ ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଡି ଅମ୍ବାନି କହିଛନ୍ତି ଯେ, “ଜେମ୍ସ ଓ ଉଦୟଙ୍କ ଟ୍ରାକ୍ ରେକର୍ଡ ଅତୁଳନୀୟ । ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତ, ଏସିଆ ଓ ସାରା ଦୁନିଆରେ ମିଡିଆ ବ୍ୟବସ୍ଥାକୁ ଆକାର ପ୍ରଦାନ କରିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ବୋଧି ଟ୍ରି ସହିତ ସହଯୋଗିତା ସ୍ଥାପନ କରିବା ଏବଂ ଏକ ଷ୍ଟ୍ରିମିଂ ପ୍ରଥମ ମିଡିଆ ବଜାର ଆଡ଼କୁ ଭାରତର ରୂପାନ୍ତରଣର ନେତୃତ୍ୱ ନେଉଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଏହି ସହଯୋଗିତା ଜରିଆରେ ଭାରତୀୟ ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ମିଡିଆ ଓ ମନୋରଂଜନ ସେବା ଆଣିବାକୁ ଆମେ ପ୍ରତିବଦ୍ଧ ରହିଛୁ ।’’

ସମ୍ବନ୍ଧିତ ଖବର