ନୂଆଦିଲ୍ଲୀ: ଦିନକୁ ଦିନ ତୈଳ ଦର ବୃଦ୍ଧି ହେଉଥିବା ବେଳେ ଏବେ ଲୋକେ ବିଦ୍ୟୁତ ଚାଳିତ ଗାଡ଼ି(ଇଭି) ବ୍ୟବହାର କରିବାକୁ ମନ ବଳାଇଲେଣି। ବାଇକ୍ ସହ ବିଦ୍ୟୁତ ଚାଳିତ କାର ଚଳାଇବାକୁ ଲୋକେ ଇଚ୍ଛା ପ୍ରକାଶ କରୁଥିବା ବେଳେ କିଛି ଦିନ ତଳେ ଟେସଲା ଭାରତରେ ଇଭି ଲଞ୍ଚ କରିବ ବୋଲି ଘୋଷଣା କରିଥିଲା। ହେଲେ ଏବେ ଟେସଲାର ସିଇଓ ଏଲନ ମସ୍କଙ୍କ ଦୋମୁହାଁ ନୀତି ସାମ୍ନାକୁ ଆସିଛି। ଆମେରିକା ଭଳି ବିକଶିତ ଦେଶକୁ ଇଭି ଲଞ୍ଚ କରିବା ପାଇଁ ସବସିଡି ମାଗୁନଥିବା ଟେସଲା ଭାରତ ଭଳି ବିକାଶଶୀଳ ଦେଶକୁ ଇଭି ଲଞ୍ଚ କରିବା ପାଇଁ ସବସିଡି ମାଗୁଥିବା ଜଣାପଡ଼ିଛି।
ଏନେଇ କମ୍ପାନି ପକ୍ଷରୁ ଆଶ୍ଚର୍ଯ୍ୟ କଲାଭଳି କାରଣ ଦିଆଯାଇଛି। ଆମେରିକା ସବସିଡି ଦେଲେ ଏହା ଦେଶର ବଜେଟର ନିଅଣ୍ଟକୁ ଆହୁରି ଖରାପ କରିବ ବୋଲି କହିଛି ଟେସଲା। କମ୍ପାନିର ଏଭଳି ଦୋମୁହାଁ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ଅନେକ ଥର ଏଲନ ମସ୍କ କହିଛନ୍ତି ଯେ, ଭାରତରେ ଇଭି ଲଞ୍ଚ ପୂର୍ବରୁ ସବସିଡି ପାଇଁ କମ୍ପାନି ଭାରତ ସରକାରଙ୍କ ସହ ଯୋଗାଯୋଗରେ ରହିଛି।
ଅନ୍ୟପକ୍ଷରେ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି , ଯେକୌଣସି ବିଦେଶୀ କମ୍ପାନିକୁ ଇଭି ଲଞ୍ଚ ପାଇଁ ସବସିଡି ଦିଆଯିବ, ସେମାନଙ୍କୁ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନର ଏକ ଅଂଶ ଭାବରେ ଭାରତରେ ସେମାନଙ୍କର ବୈଦ୍ୟୁତିକ ଯାନକୁ ଆସେମ୍ବଲ କରିବାକୁ ପଡ଼ିବ।