ବ୍ୟାଙ୍କ ଘରୋଇକରଣ  ପାଇଁ ଦାବିକଲା ଶିଳ୍ପଜଗତ

ଆଉ କେତେ ଦିନ ବ୍ୟାଙ୍କମାନେ କ୍ଷତି କରିଚାଲିଥିବେ ଓ ସରକାର କ୍ଷତିଭରଣା କରୁଥିବେ ? : ଆସୋଚାମ

ନୂଆଦିଲ୍ଲୀ : ଗୋଟିକ ପରେ ଗୋଟିଏ ବ୍ୟାଙ୍କ ଦୁର୍ନୀତି ସାମନାକୁ ଆସିବା ପରେ ପୁଣି ଥରେ ବ୍ୟାଙ୍କ ଘରୋଇକରଣ କଥା ଉଠିଛି । ଗତକାଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ବ୍ୟାଙ୍କ ଘରୋଇକରଣ ଉପରେ ଚିନ୍ତା କରିବାର ସମୟ ଆସିଛି ବୋଲି କହିଥିଲେ ।  ସେହିପରି ଶିଳ୍ପ ସଂଗଠନ ଆସୋଚାମ ପକ୍ଷରୁ ମଧ୍ୟ ସମାନ ଦାବି ଉଠିଛି ।  କିନ୍ତୁ ବ୍ୟାଙ୍କ ଘରୋ ଇକରଣକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ବିରୋଧ କରିଛନ୍ତି ।

ଆସୋଚାମ ପକ୍ଷରୁ କୁହାଯାଇଛି ଯେ ୧୧,୪୦୦ କୋଟିର ପିଏନବି ଦୁର୍ନୀତି ଘଟଣାରୁ ଶିକ୍ଷା ନେଇ ସରକାର ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରୁ ନିଜର ନିୟନ୍ତ୍ରଣ ହଟାଇବା ସହ ଅଂଶଧନକୁ ୫୦ ପ୍ରତିଶତ ତଳକୁ ନେଇ ଆସିବା ଉଚିତ । ଏପରି ହେଲେ ଦେଶର ବ୍ୟାଙ୍କ ଉଦ୍ୟୋଗରେ ସୁଧାର ଆସିପାରିବ । ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକ କେତେ ଦିନ କ୍ଷତି ପରେ କ୍ଷତି କରିଚାଲିଥିବେ ଓ ଭାରତ ସରକାର ଦେଶର ଗରିବ ଟିକସଦାତାଙ୍କ ଅର୍ଥରେ ପୁଞ୍ଜି ଭର୍ତ୍ତି କରିଚାଲିଥିବେ ? ଆସୋଚାମ ଆହୁରି ମଧ୍ୟ କହିଛି ଯେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକର ଅଧିକାଂଶ ସମୟ ଓ ଶ୍ରମ ନେତାମନ୍ତ୍ରୀ ଓ ଅମଲାଙ୍କ ନିର୍ଦ୍ଦେଶ ପାଳନ କରିବାରେ ଯାଉଛି । ବ୍ୟାଙ୍କର ଅସଲି କାରବାର ଉପରେ ଧ୍ୟାନ ଦେବାକୁ ସେମାନଙ୍କ ପାଖରେ ସମୟ ନାହିଁ । କିନ୍ତୁ ବ୍ୟାଙ୍କଗୁଡ଼ିକରୁ ସରକାରଙ୍କ ଅଂଶଧନ ହ୍ରାସ ପାଇଲେ ନେତାମନ୍ତ୍ରୀ ଓ ଅଫିସରଙ୍କ ପତିଆରା କମିବ ଓ ବ୍ୟାଙ୍କ ଗୁଡିକ ସ୍ୱାଧୀନ ଭାବେ କାରବାର କରିପାରିବେ ।

ସୂଚନାଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଅମଳରେ ଦେଶରେ ଥିବା ବ୍ୟାଙ୍କ ଗୁଡ଼ିକର ଜାତୀୟକରଣ ହୋଇଥିଲା । ୧୯ ଜୁଲାଇ ୧୯୬୯ରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି  ଦେଶର ୧୪ଟି ପ୍ରମୁଖ ବ୍ୟାଙ୍କର ଜାତୀୟ କରଣ କରାଯାଇଥିଲା ।

ସମ୍ବନ୍ଧିତ ଖବର