ନୂଆଦିଲ୍ଲୀ: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ଗୁଡ଼ିକର ବିକ୍ରି ଅଗଷ୍ଟ ମାସରେ ହ୍ରାସ ପାଇଛି। ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଗାଡ଼ି ବିକ୍ରିରେ ଏହି ମନ୍ଥରତା ଦେଖାଦେଇଛି। ଅଟୋ‌ମୋବାଇଲ ଶିଳ୍ପରେ ଦେଖାଦେଇଥିବା ବିକ୍ରି ମନ୍ଥରତାରେ ସୁଧାର ଆଣିବା ଲାଗି ଭାରତୀୟ ଅଟୋମୋବାଇଲ ଶିଳ୍ପ ସଂଘ (ସିଆମ୍) ସରକାରଙ୍କର ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛି। ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ହ୍ରାସ ସମେତ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଦାବି କରିଛି।

Advertisment

ସିଆମ୍ ପକ୍ଷରୁ କୁହାଯାଇଛି ଯେ, ଦେଶରେ ବାଣିଜ୍ୟିକ ଯାନ ସମେତ ଦୁଇ ଚକିଆ ଯାନର ବିକ୍ରି ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିରୁ ପ୍ରମାଣିତ ହେଉଛି ଯେ, ଗତମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାନ୍ଦାବସ୍ଥାର ମୁକାବିଲା ପାଇଁ ଘୋଷଣା କରିଥିବା ପଦକ୍ଷେପର ସକରାତ୍ମକ ପ୍ରଭାବ ଅଟୋମୋବାଇଲ ଶିଳ୍ପ ଉପରେ ପଡ଼ିନାହିଁ। ଗ୍ରାହକଙ୍କୁ ଉତ୍ସାହିତ କରିବା ଲାଗି ଅଟୋମୋବାଇଲ ଶିଳ୍ପ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ଆକର୍ଷଣୀୟ ରିହାତି ମଧ୍ୟ ଦିଆଯାଇଛି। ଏହାସତ୍ତ୍ବେ ଗ୍ରାହକଙ୍କୁ ବଡ଼ ଧରଣର ରିହାତି ପ୍ରଦାନ କରିବା ସାମର୍ଥ୍ୟ କମ୍ପାନିଙ୍କ ନିକଟରେ ନାହିଁ। ତେଣୁ ସରକାର ଗାଡ଼ି ଉପରେ ଜିଏସ୍‌ଟି ହାରକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇବା ପାଇଁ ସିଆମ ସଭାପତି ରାଜନ ୱାଧେରା ଦାବି କରିଛନ୍ତି। ଏହାହେଲେ ଗାଡ଼ି ମୂଲ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ଫଳରେ ଦେଶରେ ଚାହିଦା ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏଥିସହିତ ଅର୍ଥମନ୍ତ୍ରୀ ଗତ ବଜେଟରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଦେଶରେ ଏକ ସମନ୍ବିତ ଏବଂ ପ୍ରୋତ୍ସାହନଭିତ୍ତିକ ସ୍କ୍ରାପେଜ୍ ନୀତି ଅଟୋମୋବାଇଲ ଶିଳ୍ପ ପାଇଁ ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଦେଶରେ ଏବେ ପାର୍ବଣ ଋତୁ ଆସିଗଲାଣି। ତେଣୁ ସରକାର ବିଳମ୍ବ ନକରି ଯେତେ‌ଶୀଘ୍ର ପଦକ୍ଷେପ ନେବେ ବା ଘୋଷଣା କରିବେ ତାହା ଅଟୋଶିଳ୍ପ ପାଇଁ ଭଲ ହେବ। ଏହାହେଲେ ପୂଜା ସମୟରେ ଅଟୋମୋବାଇଲ ଶିଳ୍ପରେ ସୁଧାର ଆସିଯିବାର ଆଶା ରହିବ ବୋଲି ସେ ମତ ଦେଇଛନ୍ତି। ରବିବାର ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ଗୁଡ଼ିକ ସେମାନଙ୍କ ଅଗଷ୍ଟ ମାସର ବିକ୍ରି ଫଳାଫଳ ଘୋଷଣା କରିଥିଲେ। ପ୍ରାୟ ଅଧିକାଂଶ କମ୍ପାନିଙ୍କ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ହ୍ରାସ ପରିଲକ୍ଷିତ ହୋଇଛି। ମାରୁତି ସୁଜୁକି, ହୁଣ୍ଡାଇ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ ଏବଂ ହୋଣ୍ଡା ଆଦି କମ୍ପାନିର ବିକ୍ରି ହ୍ରାସ ପାଇଛି। ମାରୁତିର ବିକ୍ରିରେ ୩୩ ପ୍ରତିଶତ ହ୍ରାସ ଘଟିଥିବାବେଳେ ଟାଟା ମୋଟର୍ସର ଯାତ୍ରୀବାହୀ ଯାନ ବିକ୍ରିରେ ୫୮ ପ୍ରତିଶତ ହ୍ରାସ ଘଟିଛି। ସେହିଭଳି ହୋଣ୍ଡା କାର୍‌ସ ଇଣ୍ଡିଆ ଏବଂ ଟୟୋଟା କିର୍ଲୋସ୍କର ମୋଟରର ବିକ୍ରି ଯଥାକ୍ରମେ ୫୧ ପ୍ରତିଶତ ଓ ୨୧ ପ୍ରତିଶତ ହ୍ରାସ ଘଟିଛି। ଘରୋଇ ବଜାରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଗାଡ଼ି ବିକ୍ରି ୨୬ ପ୍ରତିଶତ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତମାସ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ଏବଂ ଅଟୋମୋବାଇଲ ଶିଳ୍ପରେ ସୁଧାର ଆଣିବା ଲାଗି ଅନେକ ଗୁଡ଼ିଏ ପଦକ୍ଷେପ ଘୋଷଣା କରିଥିଲେ। ତେବେ ଗତକାଲି ଚେନ୍ନାଇଠାରେ ଅର୍ଥମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି, ପରୋକ୍ଷ ଟିକସ ହ୍ରାସ ସେ କରିପାରିବେ ନାହିଁ। ଯାହା କିଛି ନିଷ୍ପତ୍ତି ଜିଏସଟି ପରିଷଦ ନେବ। ତେଣୁ ଅଟୋମୋବାଇଲ ଉପରୁ ଶୁଳ୍କ ହ୍ରାସ ପାଇଁ ସେ ଜିଏସ୍‌ଟି ପରିଷଦରେ ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି। ଜିଏସଟି ପରିଷଦର ବୈଠକ ଆସନ୍ତା ୨୦ ତାରିଖରେ ଗୋଆଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

୭ମ ମାସ ପାଇଁ ଉତ୍ପାଦନ କମାଇଲା ମାରୁତି
ନୂଆଦିଲ୍ଲୀ: ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ଅଟୋମୋବାଇଲ ଶିଳ୍ପ ଉପରେ ବିଶେଷ ମାତ୍ରାରେ ପଡ଼ିଛି। ଅଟୋମୋବାଇଲ କମ୍ପାନି ଗୁଡ଼ିକର ବିକ୍ରି ମନ୍ଥର ହେବା ଫଳରେ ସେମାନେ ଉତ୍ପାଦନ ହ୍ରାସ କରିବାରେ ଲାଗିଛନ୍ତି। ଏହିକ୍ରମରେ କ୍ରମାଗତଭାବେ ୭ମ ମାସ ପାଇଁ ମାରୁତି ସୁଜୁକି ଇଣ୍ଡିଆ ଅଗଷ୍ଟରେ ଏହାର ଉତ୍ପାଦନ ହ୍ରାସ କରିଛି। ଅଗଷ୍ଟରେ କମ୍ପାନିର ଉତ୍ପାଦନ ୩୩.୯୯ ପ୍ରତିଶତ ହ୍ରାସ ଘଟିଛି। କମ୍ପାନି ୨୦୧୮ ଅଗଷ୍ଟରେ ୧,୬୮,୭୨୫ ୟୁନିଟ୍ ଗାଡ଼ି ଉତ୍ପାଦନ କରିଥିବାବେଳେ ଚଳିତବର୍ଷ ଅଗଷ୍ଟରେ ଏହା ୧,୧୧,୩୭୦ ୟୁନିଟ୍‌କୁ ହ୍ରାସ ପାଇଛି। କମ୍ପାନି ପକ୍ଷରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ସୋମବାର ଏହି ସୂଚନା ଦିଆଯାଇଛି। ଜୁଲାଇରେ କମ୍ପାନିର ଉତ୍ପାଦନ ୨୫.୧୫ ପ୍ରତିଶତ ହ୍ରାସ ଘଟି ୧,୩୩,୬୨୫ ୟୁନିଟ୍ ରହିଥିଲା।