୪୩ ବର୍ଷରେ ଇପିଏଫ୍‌ ସୁଧ ହେଲା ସର୍ବନିମ୍ନ: ବଜାର ସ୍ଥିତିକୁ ଦାୟୀ କଲେ ଶ୍ରମ ମନ୍ତ୍ରୀ

ଏହା ବିଜେପି ବିଜୟର ପାଲଟା ଉପହାର: କଂଗ୍ରେସ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହାର ସଦସ୍ୟମାନଙ୍କୁ ୮.୧% ହାରରେ ସୁଧ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଏହା ୨୦୨୦-୨୧ର ୮.୫% ସୁଧ ତୁଳନାରେ ୦.୪% କମ୍। ଗତ ଚାରି ଦଶନ୍ଧି ମଧ୍ୟରେ ଇପିଏଫ୍‌ଓ ସୁଧ ହାର ସର୍ବନିମ୍ନ ସୋପାନକୁ ଖସିଆସିଛି। ଶେଷ ଥର ଲାଗି ୧୯୭୭-୭୮ରେ ଇପିଏଫ୍‌ଓ ସବୁଠୁ କମ୍ ୮% ସୁଧ ଜମା କରିଥିଲା। ତାହାର ପରବର୍ତ୍ତୀ ସମୟରେ ସୁଧ ୮.୨୫% କିମ୍ବା ତା’ଠାରୁ ଅଧିକ ରହୁଥିଲା। ଶେଷ ଥର ଲାଗି ୨୦୧୧-୧୨ ଆର୍ଥିକ ବର୍ଷରେ ସଦସ୍ୟମାନଙ୍କୁ ୮.୨୫% ସୁଧ ପ୍ରଦାନ କରାଯାଇଥିଲା। କରୋନା ମହାମାରୀ ଇପିଏଫ୍‌ଓର ଆୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେଣୁ, ୨୦୧୯-୨୦ ଆର୍ଥିକ ବର୍ଷର ୮.୫% ସୁଧ ଦେବାରେ ବହୁ ବିଳମ୍ବ ହୋଇଥିଲା ଏବଂ ଶେଷରେ ତାହାକୁ ଦୁଇଟି କିସ୍ତିରେ ଜମା କରାଯାଇଥିଲା।

୨୦୨୧-୨୨ ଆର୍ଥିକ ବର୍ଷରେ ଇପିଏଫ୍‌ଓର ଆୟ ୭୬,୭୬୮ କୋଟି ଟଙ୍କା ରହିଛି। ଏହା ଏକ କଠିନ ବର୍ଷ ଥିଲା। ଡେବ୍‌ଟ ନିବେଶରୁ ହୋଇଥିବା ଆୟ ବ୍ୟତୀତ ‌େସୗଭାଗ୍ୟବସତଃ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପୂର୍ବରୁ ଇକ୍ବିଟି ଟ୍ରେଡେଡ୍‌ ଫଣ୍ଡ୍ (ଇଟିଏଫ୍) ବିକ୍ରି ସମ୍ଭବ ହେବାରୁ ଇପିଏଫ୍‌ଓର ପାଣ୍ଠି ବୃଦ୍ଧି ପାଇଥିଲା। ମୋଟ ପାଣ୍ଠି ପରିମାଣ ଯଦିଓ ୧୩% ବଢ଼ିଥିଲା, ମାତ୍ର ସୁଧରୁ ହେଉଥିବା ଆୟ ୮%ରେ ସୀମିତ ରହିଥିଲା। ସମସ୍ତ ଉତ୍ସରୁ ହୋଇଥିବା ଆୟ ବିଚାରକୁ ନେବା ପରେ ୮.୧% ସୁଧ ଦେବାକୁ ନିଷ୍ପତ୍ତି ହୋଇଛି। ସୁଧ ଜମା କରିବା ପରେ ଇପିଏଫ୍‌ଓ ପାଖରେ ୪୫୦ କୋଟି ଟଙ୍କାର ବଳକା ରହିବ ଯାହାକୁ ପେନ୍‌ସନ୍ ପାଣ୍ଠିରେ ଜମା କରାଯିବ। ଶନିବାର ଗୌହ୍ବାଟିରେ ଅନୁଷ୍ଠିତ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ସୁଧ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସୁଧ ହ୍ରାସ ପାଇ ବଜାର ସ୍ଥିତିକୁ ଦାୟୀ କରିଛନ୍ତି ଶ୍ରମ ମନ୍ତ୍ରୀ ଭୁପେନ୍ଦର ସିଂହ ଯାଦବ। ସେ କହିଛନ୍ତି ଯେ ବିଶ୍ବ ସ୍ତରରେ ଘଟୁଥିବା ଘଟଣାବଳୀ ଓ ଇକ୍ବିଟି ବଜାର ସ୍ଥିତି ଉପରେ ନଜରରେ ରଖି ସାମାଜିକ ନିରାପତ୍ତା ସହ ନିବେଶରେ ସନ୍ତୁଳନ ରକ୍ଷା କରିବାକୁ ଆମେ ପ୍ରାଥମିକତା ଦେଉଛୁ। ଆମେ ଅଧିକ ବିପଦ ଥିବା ଆର୍ଥିକ ଉପକରଣରେ ନିବେଶ କରିବା ବିକଳ୍ପ ଚୟନ କରିପାରିବୁ ନାହିଁ। ଆମେ ବଜାରର ସ୍ଥିତି ନିର୍ଧାରଣ କରିପାରିବୁ ନାହିଁ। ତେଣୁ ଟ୍ରଷ୍ଟି ବୋର୍ଡ ୮.୧% ସୁଧ ପାଇଁ ସୁପାରିସ କରିଛି। କେନ୍ଦ୍ରୀୟ ଟ୍ରଷ୍ଟି ବୋ‌ର୍ଡର ସଦସ୍ୟ ଏ କେ ପଦ୍ମନାଭନ କହିଛନ୍ତି ଯେ ସୁଧ ହରରେ ହ୍ରାସ ଇପିଏଫ୍‌ଓର ନିୟୁତାଧିକ ସଦସ୍ୟମାନଙ୍କ ପାଇଁ ବଡ଼ ନିରାଶାର ବିଷୟ। ସାରା ଅର୍ଥନୀତି ଦୁର୍ଦ୍ଦଶା ଦେଇ ଗତି କରୁଛି। ସୁଧ ହାର ହ୍ରାସରେ ତାହା ପ୍ରତିଫଳିତ ହୋଇଥିବା ସେ କହିଛନ୍ତି। ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋ‌ର୍ଡ ହେଉଛି ତ୍ରିପାକ୍ଷିକ ବୋର୍ଡ ଯେଉଁଥିରେ ସରକାର, ଶ୍ରମ ସଂଗଠନ ଓ ନିଯୁକ୍ତିଦାତାଙ୍କ ପ୍ରତିନିଧି ସଦସ୍ୟ ରହିଛନ୍ତି। ଟ୍ରଷ୍ଟି ବୋର୍ଡର ସୁପାରିସକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରି ବିଜ୍ଞପ୍ତି ଜାରି ହେବା ପରେ ସୁଧ ରାଶି ସଦସ୍ୟଙ୍କ ଖାତାରେ ଜମା ହୋଇଥାଏ।

ଏହା ବିଜେପି ବିଜୟର ପାଲଟା ଉପହାର: କଂଗ୍ରେସ
ନୂଆଦିଲ୍ଲୀ: ଇପିଏଫ୍‌ଓ ସୁଧ ହାରରେ ହ୍ରାସ କରାଯାଇଥିବାରୁ ସରକାରଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଏହା ବିଜେପି ବିଜୟର ପାଲଟା ଉପହାର ବୋଲି କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି। ସେ କହିଛନ୍ତି ଯେ ଦେଶର ୮୪% ଲୋକଙ୍କ ଆୟ ହ୍ରାସ ପାଇଛି। ନିର୍ବାଚନୀ ବିଜୟ ଆଧାରରେ କୋଟି କୋଟି କର୍ମଚାରୀଙ୍କ ସଞ୍ଚୟ ଉପରେ ଆକ୍ରମଣ କରିବା ଠିକ୍ କି? ଇପିଏଫ୍‌ଓ ପକ୍ଷରୁ ପିଏଫ୍‌ ଜମା ଉପରେ ମିଳୁଥିବା ସୁଧ ହାରକୁ ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସାଇ ଦିଆଯାଇଛି। ଏହା କ’ଣ ବିଜେପି ବିଜୟର ‘ପାଲଟା ଉପହାର’ କି ବୋଲି ସୁରଜେୱାଲା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର