ନୂଆଦିଲ୍ଲୀ: ଆଇଟି କମ୍ପାନି ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ୬୫ ବର୍ଷ ବୟସରେ ପାଠ ପଢ଼ିବେ। ଦିଲ୍ଲୀ ବିଶ୍ବବିଦ୍ୟାଳୟ ତାଙ୍କୁ ଏଥିପାଇଁ ସୁଯୋଗ ଦେଇଛି। ପ୍ରାୟ ୪୦ ବର୍ଷ ତଳେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସେ ଆଇନ ଶିକ୍ଷା ଲାଭ କରୁଥିଲେ। କିନ୍ତୁ ୫ଟି ସେମିଷ୍ଟର ଶେଷ କରିବା ପରେ ତାଙ୍କୁ ଦିଲ୍ଲୀ ଛାଡ଼ିବାକୁ ପଡ଼ିଥିଲା। ସେଥିପାଇଁ ସେ ଶେଷ ସେମିଷ୍ଟର ପରୀକ୍ଷା ଦେଇ ପାରି ନଥିଲେ। ଫଳରେ ତାଙ୍କ ଆଇନ ଶିକ୍ଷା ଅଧୁରା ରହି ଯାଇଥିଲା। ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏହାର ଶତବାର୍ଷିକୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଡିଗ୍ରି ଶେଷ କରିବାର ସୁଯୋଗ ପ୍ରଦାନ କରୁଛି। ତେଣୁ ବାଗ୍‌ଚି ତାଙ୍କ ଯୁବକ ବେଳର ସ୍ବପ୍ନକୁ ଏବେ ପୂରଣ କରିବାକୁ ଯାଉଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ବାଗ୍‌ଚି ଦିଲ୍ଲୀର ମନ୍ଦିର ମାର୍ଗ ସ୍ଥିତ ଲ’ ସେଣ୍ଟରରେ ୧୯୭୮ ମସିହାରେ ଏଲ୍‌ଏଲ୍‌ବିରେ ନାମ ଲେଖାଇଥିଲେ। କିନ୍ତୁ ସେହି ସମୟରେ ତାଙ୍କୁ ଦିଲ୍ଲୀ ଛାଡ଼ିବାକୁ ପଡ଼ିଥିଲା। ଫଳରେ ତାଙ୍କ ଆଇନ ପାଠରେ ଡୋରି ବନ୍ଧା ହୋଇଥିଲା। ପାଠ ଶେଷ କରିପାରି ନଥିବା ଛାତ୍ରଛାତ୍ରୀମାନଙ୍କୁ ଚଳିତବର୍ଷ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପାଠପଢ଼ା ଶେଷ କରିବାର ସୁଯୋଗ ଦେଉଛି। ଚଳିତବର୍ଷ ଜାନୁଆରି ୨୮ ତାରିଖରେ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଉକ୍ତ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଥିଲା। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ସମାରୋହ ଚଳିତବର୍ଷ ମେ ୧ ତାରିଖରୁ ଆରମ୍ଭ ହୋଇ ୨୦୨୩ ମେ ୧ ପର୍ଯ୍ୟନ୍ତ ଚାଲିବ। ଅଧାରୁ ପାଠ ଛାଡ଼ିଥିବା ୮୫୦୦ରୁ ଅଧିକ ଛାତ୍ରଛାତ୍ରୀ ବର୍ତ୍ତମାନ ପଢ଼ା ଶେଷ କରିବାର ସୁଯୋଗ ନେବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ବାଗ୍‌ଚି ଜଣେ ବୋଲି ଦିଲ୍ଲୀ ବିଶ୍ବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଲ’ ସେଣ୍ଟରରେ ସଂପୂର୍ଣ୍ଣ କରିଥିବା ୫ଟି ସେମିଷ୍ଟରର ମାର୍କସିଟ୍ ଦେଖିଲେ ମୋତେ କଷ୍ଟ ହେଉଥିଲା। ଯୁବାବସ୍ଥାର କାର୍ଯ୍ୟକୁ ମୁଁ ଶେଷ କରିବାକୁ ଅତ୍ୟନ୍ତ ଆଗ୍ରହୀ ଥିଲି। ବର୍ତ୍ତମାନ ଉକ୍ତ ପରୀକ୍ଷା ଦେବା ପରେ ମୋ ଜୀବନର ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଏହା ମଧ୍ୟ ମୋ ଭଳି ହଜାର ହଜାର ଲୋକଙ୍କୁ ସେମାନଙ୍କ ସ୍ବପ୍ନକୁ ସଫଳ କରିବାରେ ପ୍ରେରଣା ଯୋଗାଇବ ବୋଲି ବାଗ୍‌ଚି କହିଛନ୍ତି। ବାଗ୍‌ଚି ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏଲ୍‌ଏଲ୍‌ବି ପାଠପଢ଼ାରେ ବାଗଚିଙ୍କୁ ଜଣେ ୨୮ ବର୍ଷୀୟ ଶିକ୍ଷକ ଗାଇଡ୍‌ କରୁଛନ୍ତି। ବାଗ୍‌ଚି ନିଜେ ଟ୍ବିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହା ତାଙ୍କ ପାଇଁ ଏକ ସମ୍ମାନର ବିଷୟ। ଏହି ସୁବର୍ଣ୍ଣ ସୁଯୋଗ ପାଇଁ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟର କୁଳପତି, ପ୍ରୋକ୍ଟର ଏବଂ ଡିନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି।