ଅଟଳ ପେନ୍‌ସନ୍‌ ଯୋଜନା ବୟସ ସୀମା ବଢ଼ିବ, ୪୦ରୁ ବୃଦ୍ଧି ପାଇ ୫୦ ବର୍ଷ ହେବ

ନୂଆଦିଲ୍ଲୀ: ଅଟଳ ପେନ୍‌ସନ୍ ଯୋଜନ (ଏପିୱାଇ)ରେ ବୟସ ସୀମା ବଢ଼ାଇବାକୁ ମୋଦୀ ସରକାର ଯୋଜନା ରଖିଛନ୍ତି। ଏହି ଯୋଜନା ପାଇଁ ଏବେ ସର୍ବାଧିକ ବସୟ ସୀମା ୪୦ ବର୍ଷ ରଖାଯାଇଛି। ତାହାକୁ ୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ଉପରେ ବିଚାର କରାଯାଉଛି। କେବଳ ସେତିକି ନୁହେଁ, ସର୍ବନିମ୍ନ ପେନ୍‌ସନ୍ ପରିମାଣ ଯାହା ଏବେ ୫୦୦୦ ଟଙ୍କା ରହିଛି ତାହାକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ଉପରେ ବିଚାର କରାଯାଉଛି ବୋଲି ଆର୍ଥିକ ସେବା ସଚିବ ରାଜୀବ କୁମାର କହିଛନ୍ତି। ଅଟଳ ପେନ୍‌ସନ୍‌ ଯୋଜନାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ କେତେକ ପରିବର୍ତ୍ତନ କରିବାକୁ ପେନ୍‌ସନ୍ ପାଣ୍ଠି ନିୟାମକ ସଂସ୍ଥା ପିଏଫ୍‌ଆର୍‌ଡିଏ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ ଅନୁମତି ମଗାଯାଇଛି। ‌ଏହି ପେନ୍‌ସନ୍ ଯୋଜନା ଯେଭଳି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ସେଥିପ୍ରତି ଗୁରୁତ୍ବ ‌ପ୍ରଦାନ କରିବାକୁ ଶ୍ରୀ କୁମାର ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ମୁଦ୍ରା ଋଣର ହିତାଧିକାରୀ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଖରେ ଏହି ଯୋଜନା ପହଞ୍ଚାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଅଣସଂଗଠିତ କ୍ଷେତ୍ରର ଲୋକମାନଙ୍କ ପାଇଁ ପେନ୍‌ସନ୍ ସୁବିଧା ପ୍ରଦାନ କରିବା ନିମନ୍ତେ ୨୦୧୫ ମେ’ ୯ ତାରିଖରେ ଅଟଳ ପେନ୍‌ସନ୍ ଯୋଜନା ଘୋଷଣା କରାଯାଇଥିଲା। ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିଥିବା ବ୍ୟାଙ୍କଗୁଡ଼ିକୁ ପୁରସ୍କୃତ ମଧ୍ୟ କରାଯାଉଛି।

ସମ୍ବନ୍ଧିତ ଖବର