ନୂଆଦିଲ୍ଲୀ: ନିର୍ବାଚନ ପରେ ଏଟିଏମ୍‌ରୁ ଟଙ୍କା ଉଠାଇବା ବାବଦରେ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଇଣ୍ଟରଚେଞ୍ଜ ଫି’କୁ ୨୦ରୁ ୨୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ତେବେ ଡିବିଟି ହିତାଧିକାରୀଙ୍କ ଟଙ୍କା ଉଠାଣକୁ ଦୃଷ୍ଟିରେ ରଖି ଉକ୍ତ ଚାର୍ଜରେ ଭିନ୍ନତା ରହିପାରେ। ନିକଟରେ ଏଟିଏମ୍‌ ଶିଳ୍ପ ମହାସଂଘ (କନଫେଡେରେସନ ଅଫ୍ ଏଟିଏମ୍‌ ଇଣ୍ଡଷ୍ଟ୍ରି) ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଛି। ବ୍ୟାଙ୍କ ଶାଖା ନଥିବା ଅଞ୍ଚଳରେ ଏଟିଏମ୍‌ ସ୍ଥାପନ କିଭଳି ଅଧିକ ମାତ୍ରାରେ ହୋଇପାରିବ ତାହା ଉପରେ ଅନୁଧ୍ୟାନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଆଇବିଏର ତତ୍କାଳୀନ ସିଇଓ ଭି. ଜି. କାନନଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲା। ଉକ୍ତ କମିଟି ୨୦୧୯ ଅକ୍ଟୋବର ୨୨ରେ ଏହାର ରିପୋର୍ଟ ଦେଇଥିଲା। ୨୦୨୧ ଅଗଷ୍ଟ ପହିଲାରୁ ଆର୍ଥିକ କାରବାର ପାଇଁ ଇଣ୍ଟରଚେଞ୍ଜ ଫି ୧୫ ଟଙ୍କାରୁ ୧୭ ଟଙ୍କାକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯେଉଁ ୧୭ ଟଙ୍କାର ଇଣ୍ଟରଚେଞ୍ଜ ଫି ରହିଛି ତାହା ୨୦୧୨ ପୂର୍ବରୁ ୧୮ ଟଙ୍କା ରହିଥିଲା। ୨୦୧୨ରେ ଉକ୍ତ ଚାର୍ଜକୁ ୧୮ ଟଙ୍କାରୁ ୧୫ ଟଙ୍କାକୁ କମାଇ ଦିଆଯାଇଥିଲା।

Advertisment

ବ୍ୟାଙ୍କଗୁଡ଼ିକର ଏଟିଏମ୍ ବାବଦ ଖର୍ଚ୍ଚ ବୃଦ୍ଧି ପାଇଛି। ଘର ଭଡ଼ା, ଇନ୍ଧନ ଖର୍ଚ୍ଚ, କ୍ୟାସ୍ ଭର୍ତ୍ତି ଚାର୍ଜ ଏବଂ ଗୃହ ମନ୍ତ୍ରାଳୟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଳନ ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଦ୍ବାରା ଏଟିଏମ୍‌ ପରିଚାଳନା ଖର୍ଚ୍ଚ ବଢ଼ିଯାଇଛି। ଏଥିସହିତ ୨୦୦୦ ଟଙ୍କିଆ ନୋଟ୍‌କୁ ପ୍ରଚଳନରୁ ରିଜର୍ଭ ବ୍ୟାଙ୍କ କାଢ଼ି ନେବା ଫଳରେ ଏଟିଏମ୍‌ରେ ପୂର୍ବାପେକ୍ଷା ଅଧିକ ଥର ଟଙ୍କା ଭର୍ତ୍ତି କରିବାକୁ ପଡ଼ୁଛି। ଗ୍ରାହକଙ୍କ ଏଟିଏମ୍‌ ବ୍ୟବହାର ଚାର୍ଜ ସହିତ ଇଣ୍ଟରଚେଞ୍ଜ ଚାର୍ଜକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରିବା ପାଇଁ କାନନ କମିଟି ମତ ଦେଇଥିଲା। ତେଣୁ ଇଣ୍ଟରଚେଞ୍ଜ ଚାର୍ଜ ୨୦ କିମ୍ବା ୨୩ ଟଙ୍କାକୁ ବଢ଼ିପାରେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ଏଟିଏମ୍‌ କାର୍ଡ ଜାରି କରିଥିବା ବ୍ୟାଙ୍କର ଗ୍ରାହକ ଯେତେବେଳେ ଅନ୍ୟ ବ୍ୟାଙ୍କର ଏଟିଏମ୍‌ (ହ୍ବାଇଟ୍ ଲେବେଲ ଏଟିଏମ୍‌ ସମେତ) ବ୍ୟବହାର କରେ ସେତେବେଳେ ଯେଉଁ ଚାର୍ଜ ଆଦାୟ କରାଯାଇଥାଏ ତାହାକୁ ଇଣ୍ଟରଚେଞ୍ଜ ଚାର୍ଜ କୁହାଯାଇଥାଏ।