ଦେଶରେ ଏଟିଏମ୍‌ ସଂଖ୍ୟା କମୁଛି

ନୂଆଦିଲ୍ଲୀ: ଭାରତରେ ବ୍ୟାଙ୍କ ଗୁଡ଼ିକ ଏଟିଏମ୍‌ ସଂଖ୍ୟା ହ୍ରାସ କରୁଛନ୍ତି। ଚଳିତବର୍ଷ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଦେଶରେ ୩୫୮ଟି ଏଟିଏମ୍‌କୁ ବନ୍ଦ କରାଯାଇଛି। ମୋଟ ଏଟିଏମ୍‌ର ଏହା ମାତ୍ର ୦.୧୬ ପ୍ରତିଶତ ହେଲେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ପରିବର୍ତନ। ଗତବର୍ଷ ଏଟିଏମ୍‌ ସଂଖ୍ୟା ୩.୬ ହାରରେ ବୃଦ୍ଧି ଘଟିଥିଲା। ଏହା ପୂର୍ବ ୪ ବର୍ଷରେ ଦେଶରେ ଏଟିଏମ୍‌ ସଂଖ୍ୟା ୧୬.୪ ପ୍ରତିଶତ ଚକ୍ରବୃଦ୍ଧି ହାରରେ ବୃଦ୍ଧି ଘଟୁଥିଲା। କିନ୍ତୁ ଚଳିତବର୍ଷ ପ୍ରଥମ ଥର ପାଇଁ ଏଟିଏମ୍‌ ସଂଖ୍ୟା ହ୍ରାସ ଘଟିଛି। ବିମୁଦ୍ରାକରଣର ପ୍ରଭାବ ସମେତ ଏଟିଏମ୍‌ ପରିଚାଳନା ଖର୍ଚ ବୃଦ୍ଧି ଯୋଗୁଁ ଏଟିଏମ୍‌ ସଂଖ୍ୟା ହ୍ରାସ ଘଟିଥିବା କୁହାଯାଉଛି। ଦେଶରେ ସବୁଠୁ ଅଧିକ ସଂଖ୍ୟକ ଏଟିଏମ୍‌ ସ୍ଥାପନ କରିଥିବା ଏସ୍‌ବିଆଇର ଏଟିଏମ୍‌ ସଂଖ୍ୟା ଚଳିତବର୍ଷ ଜୁନ୍‌ରେ ୫୯,୨୯୧ରେ ରହିଥିବାବେଳେ ଅଗଷ୍ଟରେ ଏହି ସଂଖ୍ୟା ୫୯,୨୦୦କୁ ହ୍ରାସ ପାଇଛି। ସେହିଭଳି ପିଏନ୍‌ବିର ଏଟିଏମ୍‌ ସଂଖ୍ୟା ଏହି ସମୟ ମଧ୍ୟରେ ୧୦,୫୦୨ରୁ ୧୦,୦୮୩କୁ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏଟିଏମ୍‌ ସଂଖ୍ୟା ୧୨,୨୩୦ରୁ ୧୨,୨୨୫କୁ ଖସିଆସିଛି। ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଭଳି ବଡ଼ ବଡ଼ ସହରରେ ଏଟିଏମ୍‌ ଭଡ଼ା, ନିରାପତ୍ତା ରକ୍ଷୀ ନିଯୁକ୍ତି, ରକ୍ଷଣାବେକ୍ଷଣ ଖର୍ଚ, ବିଦ୍ୟୁତ ବିଲ୍‌ ଆଦି ବାବଦରେ ବ୍ୟାଙ୍କ ଗୁଡ଼ିକୁ ମାସିକ ୩୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ ବହନ କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର