ଏଟିଏମ୍ ଅଦଳବଦଳ ଫି’ ବଢ଼ିଲା: ୯ ବର୍ଷ ପରେ ହେଲା ୧୭ ଟଙ୍କା, ଗ୍ରାହକଙ୍କ ପାଇଁ ଶୁଳ୍କ ୧ ଟଙ୍କା ବଢ଼ିଲା

ଅଧିକ ଥର ଅନ୍ୟ ବ୍ୟାଙ୍କ ଏଟିଏମ୍ ବ୍ୟବହାର କଲେ ଗଣିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଟିଏମ୍ ଅଦଳବଦଳ ଫି’ରେ ବୃଦ୍ଧି ଘୋଷଣା କରାଯାଇଛି। ବର୍ତ୍ତମାନ ଆର୍ଥିକ କାରବାର ପିଛା ୧୫ ଟଙ୍କା ଓ ଅଣ-ଆର୍ଥିକ କାରବାର ପାଇଁ ୫ ଟଙ୍କାର ଫି’ ଆଦାୟ କରାଯାଉଛି। ଆସନ୍ତା ଅଗଷ୍ଟ ୧ରୁ ଆର୍ଥିକ କାରବାର ଫି’ ଦୁଇ ଟଙ୍କା ବୃଦ୍ଧି ପାଇ ୧୭ ଟଙ୍କା ଓ ଅଣ-ଆର୍ଥିକ କାରବାର ଫି’ ୧ ଟଙ୍କା ବୃଦ୍ଧି ପାଇ ୬ ଟଙ୍କା ହେବ। ବ୍ୟାଙ୍କଗୁଡ଼ିକ ଏଟିଏମ୍ ଅପରେଟରମାନଙ୍କୁ ଏହି ଫି’ ଦିଅନ୍ତି। ଯେତେବେଳେ ଗୋଟିଏ ବ୍ୟାଙ୍କର ଗ୍ରାହକ ଅନ୍ୟ ଏକ ବ୍ୟାଙ୍କର ଏଟିଏମ୍‌କୁ ବ୍ୟବହାର କରନ୍ତି ସେହି ସମୟରେ ଏଟିଏମ୍ ଅଦଳବଦଳ ଫି’ ଲାଗୁ ହୋଇଥାଏ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଗ୍ରାହକମାନେ ପ୍ରତି ମାସରେ ନିଜ ବ୍ୟାଙ୍କ ଏଟିଏମ୍‌କୁ ବିନା ମୂଲ୍ୟରେ ପାଞ୍ଚ ଥର କାରବାର ଲାଗି ବ୍ୟବହାର କରିପାରିବେ। ମେଟ୍ରୋ ସହରଗୁଡ଼ିକରେ ମାସକୁ ତିନି ଥର ବିନା ମୂଲ୍ୟରେ ଅନ୍ୟ ବ୍ୟାଙ୍କର ଏଟିଏମ୍‌କୁ ଗ୍ରାହକମାନେ ବ୍ୟବହାର କରିପାରିବେ। ଅଣ ମେଟ୍ରୋ ସହରର ଗ୍ରାହକମାନେ ମାସକୁ ପାଞ୍ଚ ଥର ବିନା ମୂଲ୍ୟରେ ଅନ୍ୟ ବ୍ୟାଙ୍କ ଏଟିଏମ୍‌କୁ ବ୍ୟବହାର କରିପାରିବେ। ନିର୍ଧାରିତ ସୀମା ଠାରୁ ଅଧିକ ଥର ଅନ୍ୟ ବ୍ୟାଙ୍କର ଏଟିଏମ୍‌କୁ ବ୍ୟବହାର କଲେ ପ୍ରତି କାରବାର ପିଛା ଗ୍ରାହକଙ୍କୁ ୨୦ ଟଙ୍କା ଗଣିବାକୁ ପଡ଼ୁଛି। ସେହି ଫି’ରେ ରିଜର୍ଭ ବ୍ୟାଙ୍କ ୧ ଟଙ୍କା ବୃଦ୍ଧି କରି ୨୧ ଟଙ୍କା କରିଛନ୍ତି। ଏହି ନିଷ୍ପତ୍ତିକୁ ୨୦୨୨ ଜାନୁଆରି ୧ ଠାରୁ ଲାଗୁ କରାଯିବ।

ଏଟିଏମ୍ ସ୍ଥାପନ ଓ ପରିଚାଳନା କରିବାରେ ଖର୍ଚ୍ଚ ବହୁତ ବଢ଼ିଥିବାରୁ ଏହି ଫି’ ପରିମାଣ ବଢ଼ାଇବା ଲାଗି ଏଟିଏମ୍ ଅପରେଟରଗୁଡ଼ିକ ଦୀର୍ଘଦିନରୁ ଦାବି କରୁଥିଲେ। ଦୀର୍ଘ ୯ ବର୍ଷ ପରେ ଫି’ ବଢ଼ାଇବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏଟିଏମ୍ ଅଦଳବଦଳ ଫି’ ବଢ଼ାଇବା ଲାଗି ଅପରେଟରମାନେ ଦାବି କରୁଥିବା ବେଳେ ବ୍ୟାଙ୍କଗୁଡ଼ିକ ତାହାକୁ ସମର୍ଥନ କରୁନଥିଲେ। କାରଣ ଫି’ ବଢ଼ାଇବାର ଅର୍ଥ ହେଉଛି ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କ ଉପରେ ସେହି ବୋଝ ଲଦ‌ିବେ। ଯାହା ଫଳରେ ଗ୍ରାହକମାନଙ୍କ ପାଇଁ ଏଟିଏମ୍ ବ୍ୟବହାର ମହଙ୍ଗା ହେବ। ଏଟିଏମ୍ ସମ୍ପର୍କିତ ବିଭିନ୍ନ ଫି’ ଓ ଶୁଳ୍କର ସମୀକ୍ଷା କରିବା ଲାଗି ରିଜର୍ଭ ବ୍ୟାଙ୍କ ତରଫରୁ ୨୦୧୯ ଜୁନ୍‌ରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ସୁପାରିସ୍‌କୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଥିଲା ଯେ ଏଟିଏମ୍ ଅଦଳବଦଳ ଫି’ ଶେଷ ଥର ଲାଗି ୨୦୧୨ ଅଗଷ୍ଟରେ ପରିବର୍ତ୍ତନ ହୋଇଥିଲା। ଗ୍ରାହକମାନଙ୍କ ଠାରୁ ଅସୁଲ କରାଯାଉଥିବା ଶୁଳ୍କରେ ଶେଷ ଥର ପାଇଁ ୨୦୧୪ ଅଗଷ୍ଟରେ ସଂଶୋଧନ କରାଯାଇଥିଲା।

ସମ୍ବନ୍ଧିତ ଖବର