ଭୁବନେଶ୍ବର: ଫୋନ୍‌ପେ, ଗୁଗୁଲ୍‌ପେ ଜରିଆରେ ଲୋକମାନେ ବ୍ୟାପକ ଡିଜିଟାଲ୍ କାରବାର କରୁଥିଲେ ମଧ୍ୟ ନଗଦ ରାଶିର ଚାହିଦା କମ୍ ହୋଇନାହିଁ। ଏବେବି ଲୋକମାନେ ବିଭିନ୍ନ ଜିନିଷ କିଣିବା ଲାଗି ନଗଦ ଟଙ୍କା ବ୍ୟବହାର କରୁଛନ୍ତି। ସିଏମ୍‌ଏସ୍‌ ପକ୍ଷରୁ ଜାରି କରାଯାଇଥିବା ‘ଭାରତର ଖର୍ଚ୍ଚ କାହାଣୀ ୨୦୨୫’ ରିପୋର୍ଟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପ୍ରତି ମାସରେ ଏଟିଏମ୍‌ରୁ ଉଠାଯାଉଥିବା ଟଙ୍କା ପରିମାଣ ବୃଦ୍ଧି ପାଇଛି। ଓଡ଼ିଶାରେ ଏଟିଏମ୍‌ରୁ ଉଠାଣରେ ୧ ପ୍ରତିଶତର ବୃଦ୍ଧି ଘଟିଛି।

Advertisment

ରିପୋର୍ଟ ଅନୁସାରେ ଏଟିଏମ୍‌ରୁ ଉଠାଣରେ ସର୍ବାଧିକ ବୃଦ୍ଧି ବିହାର (୮ ପ୍ରତିଶତ), ନୂଆଦିଲ୍ଲୀ (୪ ପ୍ରତିଶତ), ଉତ୍ତରପ୍ରଦେଶ (୪ ପ୍ରତିଶତ), ହିମାଚଳପ୍ରଦେଶ (୩ ପ୍ରତିଶତ) ଓ ଛତିଶଗଡ଼ (୨ ପ୍ରତିଶତ)ରେ ଦେଖିବାକୁ ମିଳିଛି। ସର୍ବଭାରତୀୟ ସ୍ତରରେ ୨୦୧୬-୧୭ରେ ଏଟିଏମ୍‌ ପିଛା ଟଙ୍କା ଉଠାଣ ପରିମାଣ ୧.୦୨ କୋଟି ଟଙ୍କା ଥିଲା। ୨୦୨୪-୨୫ରେ ତାହା ୧.୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତାମିଲନାଡ଼ୁ, ହରିୟାଣା ଓ ଉତ୍ତରାଖଣ୍ଡରେ ଏଟିଏମ୍‌ରୁ ଉଠାଣରେ ଶୂନ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁଳ କେରଳରେ ଏଟିଏମ୍‌ରୁ ଉଠାଣ ୧୪ ପ୍ରତିଶତ କମିଥିବା ବେଳେ ତ୍ରୀପୁରାରେ ୨୩ ପ୍ରତିଶତ, ମିଜୋରାମରେ ୧୬ ପ୍ରତିଶତ, ଆସାମରେ ୮ ପ୍ରତିଶତ, କର୍ଣ୍ଣାଟକରେ ୨ ପ୍ରତିଶତ, ମଧ୍ୟପ୍ରଦେଶରେ ୨ ପ୍ରତିଶତ, ରାଜସ୍ଥାନରେ ୩ ପ୍ରତିଶତ, ପଞ୍ଜାବରେ ୨ ପ୍ରତିଶତ, ଜମ୍ମୁ ଓ କାଶ୍ମୀରେ ୩ ପ୍ରତିଶତ ହ୍ରାସ ଘଟିଛି।