ନୂଆଦିଲ୍ଲୀ: ମାଳଦ୍ବୀପର ପ୍ରମୁଖ ଆତିଥେୟତା ସେବା ପ୍ରଦାନକାରୀ କମ୍ପାନି ଆଟମୋସ୍ଫିୟର କୋର୍ ଭାରତରେ ପ୍ରବେଶ କରିଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ କମ୍ପାନି ପକ୍ଷରୁ ଦେଶର ବିଭିନ୍ନ ସହରରେ ୮ଟି ନୂଆ ହୋଟେଲ ଏବଂ ରିସର୍ଟ ସ୍ଥାପନ ନେଇ ଘୋଷଣା କରାଯାଇଛି। ଏଥିସହିତ ଆସନ୍ତା ୨୦୨୫ ମସିହା ସୁଦ୍ଧା କମ୍ପାନି ଭାରତରେ ଏହାର ହୋଟେଲ ସଂଖ୍ୟାକୁ ବୃଦ୍ଧି କରି ୨୫ରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି। ୮ଟି ଯାକ ହୋଟେଲ ଦୁଇଟି ବ୍ରାଣ୍ଡ୍ ଯଥା ଓଜେନ୍ ଏବଂ ଆଟମୋସ୍ଫିୟର ନାମରେ ଆସିବ। ଭୁବନେଶ୍ବର,କୋଲକାତା, ଗୋଆ, ବାଙ୍ଗାଲୋର, ଭୋପାଳ, କୁର୍ଗ ଓ କନ୍ନୁରରେ ଉକ୍ତ ହୋଟେଲ ସ୍ଥାପନ କରାଯିବ। ହୋଟେଲଗୁଡ଼ିକ ଓଜେନ ମାନସନ କୋଲକାତା, ଓଜେନ ପ୍ରିଭାଡ଼ୋ ଗୋଆ, ଓଜେନ ନନ୍ଦୀ ହିଲ୍ସ ବ‌ାଙ୍ଗାଲୋର, ସଦର ମଞ୍ଜିଲ ହେରିଟେଜ୍ ବାଏ ଆଟମୋସ୍ଫିୟର ଭୋପାଳ, ଷ୍ଟିଲଉଡ଼ ରିଟ୍ରିଟ୍ ଏ ସିଗନେଚର୍ ଆଟମୋସ୍ଫିୟର କୁର୍ଗ, ଭରସା ଏଲିମେଣ୍ଟସ ଅଫ୍ ନେଚର ବାଏ ଆଟମୋସ୍ଫିୟର କନ୍ନୁର, ଆଟମୋସ୍ଫିୟର ଭୁବନେଶ୍ବର ଏବଂ ଆଟମୋସ୍ଫିୟର ଲେକ୍ ଭିୟୁ କୋଲକାତା ନାମରେ ଆସିବ।

Advertisment

ଭାରତରେ ଆଟମୋସ୍ଫିୟରକୁ ଏକ ପ୍ରମୁଖ ହୋଟେଲ ବ୍ରାଣ୍ଡ୍ ଭାବେ ପରିଣତ କରିବା ଲକ୍ଷ୍ୟ ରହିଛି ବୋଲି ଏହି ଅବସରରେ ଆଟମୋସ୍ଫିୟର ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଦୀପ୍ତି ରଂଜନ ପଟ୍ଟନାୟକ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ଅତିଥିମାନଙ୍କୁ ‘ଜୟ ଅଫ ଗିଭିଂ’ ବା ଦେବାର ଆନନ୍ଦ ପ୍ରଦାନ ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଏସବୁ ହୋଟେଲରେ ଅତିଥିମାନଙ୍କୁ ଅନନ୍ୟ ଅନୁଭୂତି ମିଳିବ। କମ୍ପାନି ଆତିଥେୟତା ଅଭିଜ୍ଞତାକୁ ଭାରତରେ ନୂଆ ସଂଜ୍ଞା ପ୍ରଦାନ କରିବ ବୋଲି ଆଟମୋସ୍ଫିୟର କୋର୍‌ର ଏମ୍‌ଡି ସଲିଲ ପାଣିଗ୍ରାହୀ ଏହି ଅବସରରେ କହିଛନ୍ତି। ଆଟମୋସ୍ଫିୟର କୋର୍‌ର ଏମ୍‌ଡି (ଭାରତ, ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ) ସୌଭାଗ୍ୟ ମହାପାତ୍ର ଦକ୍ଷିଣ ଏସିଆରେ କମ୍ପାନିର ସଂପ୍ରସାରଣ ଯୋଜନା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ମାଳଦ୍ବୀପରେ କମ୍ପାନି ଆତିଥେୟତା ଶିଳ୍ପରେ ଯେଉଁ ନୂଆ ମାନଦଣ୍ଡ ଆଣିଛି ଭାରତରେ ତାହା ଦେଖିବାକୁ ମିଳିବ ବୋଲି ସେ ସୂଚନା ଦେଇଥିଲେ।