ଭୁବନେଶ୍ବର: ଡିଜିଟାଲ ବ୍ୟାଙ୍କିଂର ପ୍ରସାର ହୋଇଥିଲେ ମଧ୍ୟ ବ୍ୟାଙ୍କ ଶଖା, ଏଟିଏମ୍, ବ୍ୟାଙ୍କିଂ କରେସ୍ପେଣ୍ଡଣ୍ଟ୍ (ବିସି) ଆଦି ସଂଖ୍ୟା ଯଥେଷ୍ଟ ମାତ୍ରାରେ ବଢ଼ିବାର ଆବଶ୍ୟକତା ରହିଛି। ଲୋକମାନେ ଯେଭଳି ସେମାନଙ୍କ ଘର ନିକଟରେ ବ୍ୟାଙ୍କିଂ ସେବା ପାଇପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏଭଳି ସ୍ଥିତିରେ ରାଜ୍ୟରେ ବ୍ୟାଙ୍କିଂ ନେଟ୍ୱର୍କ ହ୍ରାସ ପାଇଛି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି) ରିପୋର୍ଟରୁ ଜଣାଯାଇଛି ଯେ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୬୦୫୪ଟି ବ୍ୟାଙ୍କ ଶାଖା ରହିଛି। ୨୦୨୪ ସେପ୍ଟେମ୍ବର ତୁଳନାରେ ବ୍ୟାଙ୍କ ଶାଖା ସଂଖ୍ୟାରେ ୩୯ଟି ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ବ୍ୟାଙ୍କିଂ କରେସ୍ପେଣ୍ଡଣ୍ଟ୍ (ବିସି) ଏବଂ ଏଟିଏମ୍ ସଂଖ୍ୟା ହ୍ରାସ ପାଇଛି। ୨୦୨୪ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ବିସି ସଂଖ୍ୟା ୪୫,୫୬୫ ରହିଥିଲା। କିନ୍ତୁ ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏହି ସଂଖ୍ୟା ୪୨୦୩୫କୁ ହ୍ରାସ ପାଇଛି। ଅର୍ଥାତ୍ ୩ ମାସରେ ବିସି ସଂଖ୍ୟା ୩୫୩୦ କମିଯାଇଛି। ସେହିଭଳି ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ରାଜ୍ୟରେ ଏଟିଏମ୍ ସଂଖ୍ୟା ୭୫୬୭ ରହିଛି। ୨୦୨୪ ସେପ୍ଟେମ୍ବର ବେଳକୁ ଏହି ସଂଖ୍ୟା ୭୬୧୧ ରହିଥିଲା। ତେଣୁ ଗୋଟିଏ ତ୍ରୟମାସରେ ଏଟିଏମ୍ ସଂଖ୍ୟା ୪୪ଟି କମିଯାଇଛି। ଆକ୍ସିସ ବ୍ୟାଙ୍କ, ସିଟି ୟୁନିୟନ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଦିର ଏଟିଏମ୍ ସଂଖ୍ୟା କମିଯିବା ଦ୍ବାରା ମୋଟ୍ ଏଟିଏମ୍ ସଂଖ୍ୟା ହ୍ରାସ ପାଇଛି। ତଥ୍ୟରୁ ଜଣାଯାଇଛି ଯେ ୨୦୨୪ ଅକ୍ଟୋବର-ଡିସେମ୍ବର ଅବଧିରେ ଆକ୍ସିସ୍ ବ୍ୟାଙ୍କର ଏଟିଏମ୍ ସଂଖ୍ୟା ୨୯ଟି କମିଯାଇଛି। ସେହିଭଳି ସିଟି ୟୁନିୟନ ବ୍ୟାଙ୍କର ୧୩ଟି, ଏଚ୍ଡିଏଫ୍ସି ବ୍ୟାଙ୍କର ୮ଟି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ୬ଟି ଏଟିଏମ୍ କମିଛି।
ସେହିଭଳି ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ବିସି ସଂଖ୍ୟା ଅକ୍ଟୋବର-ଡିସେମ୍ବର ଅବଧିରେ ୪୧୬୨ଟି କମିଯାଇଛି। ଡିସିବି ବ୍ୟାଙ୍କର ୨୪୨ଟି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୭୧ଟି, କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ୬୨ଟି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୫୬ଟି, ଆର୍ବିଏଲ୍ ବ୍ୟାଙ୍କର ୩୭ଟି , ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୧୬ଟି, ଜନ୍ ସ୍ମଲ ଫାଇନାନ୍ସ ବ୍ୟାଙ୍କର ୧୦ଟି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨ଟି ଏବଂ ବ୍ୟାଙ୍କ ଅଫ୍ ବରୋଦାର ୨ଟି ବିସି ହ୍ରାସ ପାଇଛି। ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, କର୍ମଚାରୀ ଅଭାବ ବ୍ୟାଙ୍କିଂ ଶାଖା ଖୋଲିବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହୋଇଛି। ବ୍ୟାଙ୍କଗୁଡ଼ିକରେ ଆବଶ୍ୟକ ସଂଖ୍ୟାରେ ନୂଆ କର୍ମଚାରୀ ନିଯୁକ୍ତି ନହେବା ଫଳରେ ଶାଖା ଖୋଲିବା ସମ୍ଭବ ହେଉନାହିଁ। ସେହିଭଳି ବ୍ୟାଙ୍କ ଶାଖାଠାରୁ ଦୂରରେ ଏଟିଏମ୍ ସ୍ଥାପନ ହେଲେ ସେଗୁଡ଼ିକୁ ପରିଚାଳନା କରିବା ବ୍ୟାଙ୍କଗୁଡ଼ିକ ପକ୍ଷେ କଷ୍ଟସାଧ୍ୟ ହେଉଛି। ସେଥିପାଇଁ ବ୍ୟାଙ୍କଗୁଡ଼ିକ ଗାଁ ଗହଳିରେ ଏଟିଏମ୍ ଖୋଲିବା ଲାଗି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ବ୍ୟାଙ୍କ ନେଟୱର୍କ ହ୍ରାସ ପାଇବା ଦ୍ବାରା କିନ୍ତୁ ସାଧାରଣ ଲୋକ ବ୍ୟାଙ୍କିଂ ସେବା ସେମାନଙ୍କ ଘର ନିକଟରେ ପାଇ ପାରୁନାହାନ୍ତି। ବିଭିନ୍ନ ସରକାରୀ ଯୋଜନାରେ ଲୋକମାନଙ୍କ ଖାତାକୁ ସିଧାସଳଖ ଟଙ୍କା ହସ୍ତାନ୍ତର କରାଯାଉଛି। କିନ୍ତୁ ଏହି ଟଙ୍କା ଉଠାଇବା ପାଇଁ ଲୋକଙ୍କୁ ବ୍ୟାଙ୍କ କିମ୍ବା ଏଟିଏମ୍ ଖୋଜି ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ରାଜ୍ୟରେ ବ୍ୟାଙ୍କ ଏଟିଏମ୍ ଓ ଅନ୍ୟାନ୍ୟ ମାଧ୍ୟମ କିଭଳି ବୃଦ୍ଧି ପାଇବ ସେଥିପାଇଁ ଉଭୟ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।