ଆସନ୍ତା ୨୦୨୦ ମାର୍ଚ୍ଚ-ଏପ୍ରିଲ୍‌ରେ ହେବ ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ: ଆସନ୍ତା ୨୦୨୦ ମାର୍ଚ୍ଚ-ଏପ୍ରିଲ୍‌ରେ ନୂଆ ସ୍ପେକ୍ଟ୍ରମ ନିଲାମ ହେବ। ଏଥିପାଇଁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଟେଲିକମ୍ ବିଭାଗ ଅନୁମୋଦନ ପ୍ରଦାନ କରିଛି। ସ୍ପେକ୍ଟ୍ରମ ନିଲାମରୁ ୫ ଲକ୍ଷ ୨୨ ହଜାର ୮୫୦ କୋଟି ଟଙ୍କା ମିଳିବ ବୋଲି ଆଶା ରଖାଯାଇଛି। ସ୍ପେକ୍ଟ୍ରମ୍ ହେଉଛି ଏକ ପ୍ରକାର ରେଡିଓ ତରଙ୍ଗ ଯାହା ଜରିଆରେ ଟେଲିକମ୍ କଂପାନିଗୁଡ଼ିକ ମୋବାଇଲ୍‌ ସେବା ପ୍ରଦାନ କରୁଛନ୍ତି। ଏହାକୁ ସରକାର ନିଲାମ କରିଥାନ୍ତି ଏବଂ କଂପାନିଗୁଡ଼ିକ ମୋଟା ଅଙ୍କର ଟଙ୍କାରେ ତାହାକୁ ଖରିଦ କରନ୍ତି। ସରକାରଙ୍କ ପାଇଁ ଏହା ଏକ ସମ୍ପତ୍ତି ଭଳି ଯାହାକୁ ବିକ୍ରି କରି ରାଜସ୍ବ ହାସଲ କରାଯାଏ।

ଦେଶର ୨୨ଟି ଟେଲିକମ୍ ସର୍କଲ ପାଇଁ ସ୍ପେକ୍ଟ୍ରମ ନିଲାମ ହେବ। ଚାରି ଲକ୍ଷ ୯୦ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ କରିବାକୁ ଟ୍ରାଇ ପ୍ରସ୍ତାବ ଦେଇଥିଲା। ମାତ୍ର ଅନିଲ ଅମ୍ବାନିଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ, ଭାରତୀ ଏୟାରଟେଲ୍‌ର ୮ଟି ସର୍କଲ୍‌ ଏବଂ ଭୋଡାଫୋନ୍‌ ଆଇଡିଆର ଚାରିଟି ସର୍କଲ୍‌ରେ ସ୍ପେକ୍ଟ୍ରମ୍ ଲାଇସେନ୍ସ ଅବଧି ଶେଷ ହେଉଥିବାରୁ ଆଗାମୀ ନିଲାମ ପାଇଁ ଅଧିକ ସ୍ପେକ୍ଟ୍ରମ୍ ମିଳିପାରିଛି। ନିଲାମରେ ଯେଉଁମାନେ ସ୍ପେକ୍ଟ୍ରମ ହାସଲ କରିବେ ସେମାନଙ୍କୁ ସଙ୍ଗେ ସଙ୍ଗେ ୨୫% ଟଙ୍କା ଦେବେ ଏବଂ ବଳକା ଟଙ୍କାକୁ କିସ୍ତି ଆକାରରେ ପ୍ରଦାନ କରିବାକୁ ହେବ। କେତେକ ମାମଲାରେ କିସ୍ତି ଅବଧି ୧୬ ବର୍ଷ ଭଳି ଲମ୍ବା ସମୟ ମଧ୍ୟ ହୋଇପାରେ। ନିଲାମରେ ସ୍ପେକ୍ଟ୍ରମ୍ ପାଇବାର ଦୁଇ ବର୍ଷ ପରେ କଂପାନିଗୁଡ଼ିକ ପେମେଣ୍ଟ୍‌ ପ୍ରଦାନ କରିବା ଆରମ୍ଭ କରିବେ। ୭୦୦ରୁ ୮୩୦୦ ମେଗାହର୍ଚ ପର୍ଯ୍ୟନ୍ତର ସ୍ପେକ୍ଟ୍ରମ ନିଲାମ କରାଯିବ।

ସମ୍ବନ୍ଧିତ ଖବର