ଭୁବନେଶ୍ୱର: ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅଡିଟ ସପ୍ତାହର ଚତୁର୍ଥ ସସ୍କରଣ ଆଜି ଏଜି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି। ଏହାକୁ ବାଚସ୍ପତି ସୁରମା ପାଢ଼ୀ ଉଦ୍‌ଘାଟନ କରିଛନ୍ତି। ନିଜ ଅଭିଭାଷଣରେ ବର୍ତ୍ତମାନ ବିଶ୍ୱ ପ୍ରତିକୂଳ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେଉଥିବାରୁ ସବୁଜ ବଳୟ ସୃଷ୍ଟି କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଅନୁରୋଧ କରିଥିଲେ। ଉତ୍ତମ ଅଡିଟ ରିପୋର୍ଟ ପ୍ରସ୍ତୁତିବେଳେ ବିଭାଗ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପରେ ନିର୍ଭରଶୀଳ ହେବାକୁ ସେ ଗୁରୁତ୍ୱାରୋପ କରିଥିଲେ। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମାନବ ବୁଦ୍ଧିର ବିକଳ୍ପ ହୋଇ ନ ପାରେ ବୋଲି ସେ କହିଛନ୍ତି।

Advertisment

ଏହି ଅବସରରେ ପ୍ରଧାନ ମହାଲେଖାକାର (ଅଡିଟ୍‌) ରାଜ କୁମାର, ପ୍ରଧାନ ମହାଲେଖାକାର (ଏଆଣ୍ଡ୍‌ଇ) ଡି ସାହୁ ଓ ପୂର୍ବତଟ ରେଳବାଇର ନିର୍ଦେଶକ ଏ.ଏଫ ଡୁଙ୍ଗଡୁଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସିଏଜି ବିଭାଗର ଭୂମିକା ଓ କାର୍ଯ୍ୟାଧାରା ଉପରେ ଜନସାଧାରଣ ଓ ହିତାଧିକାରୀ ମାନଙ୍କୁ ସଚେତନ କରିବା ପାଇଁ ଏହି ସପ୍ତାହ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଧନ୍ୟବାଦ ପ୍ରଦାନ କରିଥିଲେ l ଅଡିଟ ସପ୍ତାହ ଉପଲକ୍ଷେ ଆଜି ଏଜି କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଉପ ମହାଲେଖାକାର ଏନ୍‌ ବାଲ୍‌କ୍ରିଷ୍ଣା, ଭିମେଶ କୁମାର ଓ ଭାର୍ଗବ ରାମ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।