ଗାଡ଼ି ବଜାର ସଙ୍କଟ, ଗାଁକୁ ବ୍ୟାପିଲା

ଖାଇବା ତେଲ, ଅଟା ବିକ୍ରି କମିଲା ସେଲୁନ୍, ଚା’ଦୋକାନ ଖାଁ ଖାଁ

ମାନେସର : ନୂଆଦିଲ୍ଲୀର ଦକ୍ଷିଣ ପାର୍ଶ୍ବରେ ରହିଛି ମାନେସର ନାମକ ଏକ ଅଞ୍ଚଳ। ଏହାକୁ ଦେଶର ଗାଡ଼ି ଉତ୍ପାଦନ ହବ୍ କୁହାଯାଉଛି। ସେଠାରେ ମାରୁତି ସୁଜୁକି ଓ ହୋଣ୍ଡାର ବିଶାଳ କାରଖାନା ଥିବା ବେଳେ ସେମାନଙ୍କୁ ଯନ୍ତ୍ରାଂଶ ଯୋଗାଉ ଥିବା ଅନେକ ଛୋଟ ଓ ମଧ୍ୟମ ଧରଣର କାରଖାନା ରହିଛି।

ଗାଡ଼ି ବଜାରରେ ମାନ୍ଦାବସ୍ଥା ଆରମ୍ଭ ହେବା ପରଠାରୁ ମାନେସରର ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ରବିବାର ଭଳି ଛୁଟି ଦିନରେ ମଧ୍ୟ ସେଠାରେ ଲୋକଙ୍କ ଗହଳି ଦେଖିବାକୁ ମିଳୁନାହିଁ। ସାଧାରଣତଃ ଗାଡ଼ି କଂପାନିରେ କାମ କରୁଥିବା କର୍ମଚାରୀମାନେ ରବିବାର ଦିନ କାମରୁ ଛୁଟି ପାଇଥାନ୍ତି ଏବଂ ସ୍ଥାନୀୟ ବଜାରରେ ଭିଡ଼ ଜମାଇଥାନ୍ତି। ମାନେସର ଆଖପାଖରେ ଥିବା ଗ୍ରାମାଞ୍ଚଳରେ ମଧ୍ୟ ଗାଡ଼ି ବଜାର ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନୀମାନଙ୍କ ଖାଇବା ତେଲ ଓ ଅଟା ବିକ୍ରି କମିଯାଇଛି। ଏଭଳିକି ସେଲୁନ ଓ ଚା’ ଦୋକାନରେ ମଧ୍ୟ ଗ୍ରାହକ ଦେଖିବାକୁ ମିଳୁନାହାନ୍ତି। ଜୋତା ବିକୁଥିବା ଜଣେ ଦୋକାନୀ କହିଛନ୍ତି ଯେ, ଦିନକୁ ହଳେ ଯୋତା ବି ବିକ୍ରି ହେବା କଷ୍ଟକର ହେଉଛି। ପୂର୍ବରୁ ସେହି ଦୋକାନୀ ଦିନକୁ ୮୦୦୦ ଟଙ୍କାର ଜୋତା ଓ ଚପଲ ବିକ୍ରି କରୁଥିଲେ।

ଗାଡ଼ି କାରଖାନାରେ କାମ କରୁଥିବା କର୍ମଚାରୀମାନଙ୍କୁ ଘର ଭଡ଼ା ଦେଉଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଆମର ଏକ ତୃତୀୟାଂଶ କୋଠରି ଖାଲି ପଡ଼ିଛି। ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ଦେଶର ଗାଡ଼ି ବଜାରରେ ୩୫ ନିୟୁତରୁ ଅଧିକ ଲୋକ କାମ କରୁଛନ୍ତି। ଗାଡ଼ି ବିକ୍ରି କମିବା ଦିନଠାରୁ ସାଢ଼େ ତିନି ଲକ୍ଷ ଲୋକ ବେରୋଜଗାର ହୋଇସାରିଲେଣି ବୋଲି କୁହାଯାଉଛି। ଆଗାମୀ ଦିନରେ ଏହି କ୍ଷେତ୍ରର ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର