ନୂଆଦିଲ୍ଲୀ : ଦେଶର ଅଟୋମୋବାଇଲ ଉଦ୍ୟୋଗରେ ମାନ୍ଦାବସ୍ଥା ଦେଖାଦେଇଛି । ପ୍ରାୟ ସବୁ ପ୍ରମୁଖ ଅଟୋମୋବାଇଲ କମ୍ପାନିର ବିକ୍ରି କମିଚାଲିଛି । ଭାରତର ୧ ନମ୍ବର କାର କମ୍ପାନି ମାରୁତି ସୁଜୁକୀର ବିକ୍ରି ଗତ ଜୁଲାଇ ମାସରେ ୩୩ ପ୍ରତିଶତ ହ୍ରାସ ପାଇଛି । ସେହିପରି ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ଟାଟା ମୋଟର୍ସର ବିକ୍ରି ମଧ୍ୟ ୩୪ ପ୍ରତିଶତ ହ୍ରାସ ପାଇଛି । ମହିନ୍ଦ୍ରା କମ୍ପାନିର ବିକ୍ରି ୧୫ ପ୍ରତିଶତ ହ୍ରାସ ପାଇଛି । କେବଳ ଜୁଲାଇ ନୁହେଁ, ବିଗତ କିଛି ମାସ ଧରି ଅଟୋମୋବାଇଲ ଶିଳ୍ପରେ ଏହି ମାନ୍ଦାବସ୍ଥା ବଜାୟ ରହିଛି ।

Advertisment

ଏହା ଫଳରେ ଅନେକ ଲୋକ ନିଯୁକ୍ତି ହରେଇବାର ଆଶଙ୍କା ସୃଷ୍ଟି ହୋଇଛି । ମାରୁତି ସୁଜୁକୀ ନିଜର ଠିକା କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଦେଲାଣି । କମ୍ପାନି ଗତ ୬ ମାସରେ ପ୍ରାୟ ୧୧୮୧ ଜଣ ଠିକା ବା ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିସାରିଲାଣି । ବଜାରର ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ କମ୍ପାନି ନୂଆ ନିଯୁକ୍ତିକୁ ସ୍ଥଗିତ ରଖିଛି ।

ଟାଟା ମୋଟର୍ସ ମଧ୍ୟ ଭୟଙ୍କର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ଗତ ୨ ମାସ ମଧ୍ୟରେ କମ୍ପାନିର ଜାମସେଦପୁର ପ୍ଲାଣ୍ଟ ମାସକୁ ପ୍ରାୟ ୧୫ ଦିନ ଲେଖାଏଁ ଚାଲିଥିଲା । କମ୍ପାନି ନିଜର ପ୍ରାୟ ୧ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ୧୨ ଦିନ ପର୍ଯ୍ୟନ୍ତ ଛୁଟିରେ ଯିବାକୁ କହିଛି । କମ୍ପାନିର ପ୍ଲାଣ୍ଟ ଗତ ଗୁରୁବାରଠାରୁ ବନ୍ଦ ଅଛି । ସ୍ଥାୟୀ କର୍ମଚାରୀମାନେ ଆସନ୍ତା ସୋମବାର ଓ ଅସ୍ଥାୟୀ କର୍ମଚାରୀମାନେ ଆସନ୍ତା ୧୨ରେ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି ।