ପାର୍ବଣ ଋତୁ ସୁଦ୍ଧା ଅଟୋମୋବାଇଲ ଶିଳ୍ପରେ ସୁଧାର ଦେଖାଦେବ : ବିଶେଷଜ୍ଞ

ଭୁବନେଶ୍ୱର : ଆଗାମୀ ପାର୍ବଣ ଋତୁରେ ଅଟୋମୋବାଇଲ ଉଦ୍ୟୋଗରେ ସୁଧାର ଦେଖାଦେବ । ନିକଟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏଥିରେ ସହାୟକ ହେବ ଆଇଡିବିଆଇ କ୍ୟାପିଟାଲର ବଜାର ଗବେଷଣା ପ୍ରମୁଖ ଏ.କେ.ପ୍ରଭାକର କହିଛନ୍ତି ।

ଆଇଡିବିଆଇ କ୍ୟାପିଟାଲ ଓ ଏନଏସଡିଏଲ ପକ୍ଷରୁ ଆୟୋଜିତ ଏକ ନିବେଶକ ସଚେତନତା ସମ୍ମିଳନୀ ଅବସରରେ ସେ କହିଥିଲେ ଯେ ବଜାରରେ ରହିଥିବା କେତେକ ସଂଦେହ କାରଣରୁ ଯାନବାହାନ ବିକ୍ରି ମାନ୍ଦା ରହିଛି । କିନ୍ତୁ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗ୍ରାହକଙ୍କ ମନରେ ଥିବା ସଂଦେହ ଦୂର କରିବାପରେ ବଜାରରେ ପୁଣି ଉତ୍ସାହ ଆସିବ ।

ଗତକାଲି ଅର୍ଥମନ୍ତ୍ରୀ କହିଥିଲେ ଯେ ୨୦୨୦ ମାର୍ଚ୍ଚ ମଧ୍ୟରେ କିଣାଯାଇଥିବା ବିଏସ-୪ ପ୍ରଦୂଷଣ ମାନକ ବିଶିଷ୍ଟ ଗାଡ଼ିଗୁଡ଼ିକ ନିଜର ସମୁଦାୟ ରେଜିଷ୍ଟ୍ରେସନ ବୈଧତା ସମୟ ପର୍ଯ୍ୟନ୍ତ ଚାଲିପାରିବ । ସେହିପରି ପେଟ୍ରୋଲ,ଡିଜେଲ ଯାନଗୁଡିକୁ ନିଷିଦ୍ଧ କରାଯିବ ନାହିଁ ବୋଲି ଗତକାଲି ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଥିଲେ ।

ସେ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବା କଥା ସତ, କିନ୍ତୁ ସ୍ଥିତି ସେତେଟା ଖରାପ ନାହିଁ ଓ ଏହାକୁ ନିୟନ୍ତ୍ରଣ କରିହେବ । ଗତକାଲି ଅର୍ଥମନ୍ତ୍ରାଳୟ ପକ୍ଷରୁ ଘୋଷିତ ବିଭିନ୍ନ ପଦକ୍ଷେପଗୁଡ଼ିକ ଦ୍ୱାରା ଅର୍ଥନୀତିରେ ସୁଧାର ଆସିବ ଓ ନିବେଶକଙ୍କ ଭରଷା ଫେରିବ ବୋଲି ସେ କହିଛନ୍ତି । ଏହି ଅବସରରେ କମ୍ପାନିର ବ୍ରାଞ୍ଚ ବ୍ରୋକିଂ ମୁଖ୍ୟ ଶିବ ମିଶ୍ର କହିଥିଲେ ଯେ ଓଡ଼ିଶାରେ ଏବେ କମ୍ପାନିର ପ୍ରାୟ ୫ ହଜାର ନିବେଶକ ଥିବାବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ତାହାକୁ ୧୨ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର