ନୂଆଦିଲ୍ଲୀ : ସରକାରଙ୍କ ପକ୍ଷରୁ ଜିଏସଟି ହ୍ରାସ ପରେ ଅଟୋମୋବାଇଲ କ୍ଷେତ୍ରରେ ବି ଉତ୍ସାହ ଦେଖାଦେଇଛି । କାର କମ୍ପାନିମାନେ ଏହି ହ୍ରାସର ସୁଫଳ ଗ୍ରାହକଙ୍କୁ ଦେବାକୁ ଘୋଷଣା କରିଛନ୍ତି । ଇତି ମଧ୍ୟରେ ଟାଟା ମୋଟର୍ସ, ମହିନ୍ଦ୍ରା ଓ ରିନଲ୍ଟ ଦର ହ୍ରାସ ବିଷୟରେ ଘୋଷଣା କରିସାରିଲେଣି । ସେହିପରି ଅନ୍ୟ କମ୍ପାନିମାନେ ଦିନେ ଦୁଇଦିନ ମଧ୍ୟରେ ଦର ହ୍ରାସ ସଂପର୍କରେ ଘୋଷଣା କରିପାରନ୍ତି ।
ଟାଟା ମୋଟର୍ସ ଶନିବାରଦିନ ଘୋଷଣା କରିଛି ଯେ ଏହାର ବିଭିନ୍ନ ମଡେଲର ମୂଲ୍ୟ ୬୫ ହଜାର ଟଙ୍କାରୁ ଆରମ୍ଭ କରି ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ । ଟାଟା କର୍ଭର ମୂଲ୍ୟ ୬୫ ହଜାର ଟଙ୍କା କମିପାରେ, ସେହିପରି ଟାଟା ନେକ୍ସନର ମୂଲ୍ୟ ଦେଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ । ସେହିପରି ମହିନ୍ଦ୍ରା ନିଜର ଗାଡ଼ିଗୁଡ଼ିକର ମୂଲ୍ୟ ୧ ଲକ୍ଷ ୫୬ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବା ସଂପର୍କରେ ଘୋଷଣା କରିଛି । ଅନ୍ୟପକ୍ଷରି ରିନଲ୍ଟ କାର ମୂଲ୍ୟ ୯୬ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ।
ଗତ ୩ ତାରିଖରେ ଘୋଷିତ ଜିଏସଟି ପରିଷଦର ନିଷ୍ପତ୍ତି ଅନୁସାରେ ଏବେ ୧୨୦୦ସିସି ପର୍ଯ୍ୟନ୍ତ ଇଞ୍ଜିନ୍ ଥିବା ପେଟ୍ରୋଲ, ସିଏନଜି ଏବଂ ଏଲପିଜି କାର ଏବଂ ୧୫୦୦ସିସି ପର୍ଯ୍ୟନ୍ତ ଏବଂ ୪୦୦୦ ମିମିରୁ କମ୍ ଇଞ୍ଜିନ୍ ଥିବା ଡିଜେଲ୍ କାରଗୁଡ଼ିକ ଉପରେ କେବଳ ୧୮% ଜିଏସଟି ଲାଗୁ ହେବ। ପୂର୍ବରୁ, ଏଗୁଡ଼ିକ ଉପରେ ୨୮% ଟିକସ ଲାଗୁଥିଲା। ଅନ୍ୟପକ୍ଷରେ, ୧୨୦୦ସିସିରୁ ଅଧିକ (ପେଟ୍ରୋଲ୍/ସିଏନଜି/ଏଲପିଜି), ୧୫୦୦ସିସିରୁ ଅଧିକ (ଡିଜେଲ୍) ଏବଂ ୪୦୦୦ ମିମିରୁ ଅଧିକ ଲମ୍ବ ଥିବା କାରଗୁଡ଼ିକ ଉପରେ ଏବେ ୪୦% ଜିଏସଟି ଲାଗୁ ହେବ। ଏଥିରେ ବଡ଼ ସେଡାନ୍, ପ୍ରିମିୟମ୍ ଏସୟୁଭି ଏବଂ ଆମଦାନୀ ହୋଇଥିବା କାରଗୁଡ଼ିକ ଅନ୍ତର୍ଭୁକ୍ତ।
କେବଳ କାର କମ୍ପାନି ନୁହନ୍ତି, ମୋଟରସାଇକେଲ କମ୍ପାନିମାନେ ମଧ୍ୟ ଦର ହ୍ରାସ କରିବାକୁ ଘୋଷଣା କରିଛନ୍ତି । ରୟାଲ ଏନଫିଲ୍ଡ ନିଜର ବିଭିନ୍ନ ମଡେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି ।