କରୋନା ମହାମାରୀ : ଗତ ୨୦ ବର୍ଷରେ ସବୁଠୁ ବଡ଼ ସଂକଟର ସମ୍ମୁଖୀନ ହେଉଛି ଅଟୋମୋବାଇଲ ଶିଳ୍ପ

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ଓ ଲକଡାଉନ ଯୋଗୁଁ ଭାରତୀୟ ଅଟୋମୋବାଇଲ ଶିଳ୍ପ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି । କିନ୍ତୁ ଲକଡାଉନ ମିଆଦ ବଢିବା ପରେ ଏହି ସମସ୍ୟା ଆଗକୁ ଆହୁରି ଗମ୍ଭୀର ହେବାର ଆଶଙ୍କା ଦୃଢ ହେବାରେ ଲାଗିଛି । ଏହି ଉଦ୍ୟୋଗ ଗତ ୨୦ ବର୍ଷରେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି ବୋଲି କୁହାଯାଉଛି ।

ଭାରତୀୟ ଅଟୋମୋବାଇଲ ଶିଳ୍ପ ସଂଗଠନ ସିଆମ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଗତ ମାର୍ଚ୍ଚ ମାସରେ ଦେଶରେ ଅଟୋମୋବାଇଲ ବିକ୍ରି ପ୍ରାୟ ୪୫ ପ୍ରତିଶତ ହ୍ରାସ ପାଇ ୧୦ ଲକ୍ଷ ୫୦ ହଜାର ୩୬୭ରେ ପହଞ୍ଚିଛି । ମାର୍ଚ୍ଚ ୨୦୧୯ରେ ଏହା ୧୯ ଲକ୍ଷ ୮ ହଜାର ଥିଲା ।
ଗତ ମାର୍ଚ୍ଚ ମାସରେ ଯାତ୍ରୀବାହୀ ଯାନ ବିକ୍ରି ୫୧ ପ୍ରତିଶତ ହ୍ରାସ ପାଇ ୧ଲକ୍ଷ ୪୩ ହଜାର ୟୁନିଟରେ ପହଞ୍ଚିଛି । କିନ୍ତୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଣିଜ୍ୟିକ ଯାନ କ୍ଷେତ୍ର । ଦେଶରେ ବାଣିଜ୍ୟିକ ଯାନ ବିକ୍ରି ପ୍ରାୟ ୮୧ ପ୍ରତିଶତ ହ୍ରାସ ପାଇଛି । ତିନିଚକିଆ ଯାନ ପ୍ରାୟ ୫୮ ପ୍ରତିଶତ ଓ ଦୁଇଚକିଆ ଯାନ ୪୦ ପ୍ରତିଶତ ହ୍ରାସ ପାଇଛି ।

ସ୍ଥିତି ଏପରି ହୋଇଛି ଯେ ସରକାରଙ୍କ ତରଫରୁ କୌଣସି  ପ୍ୟାକେଜ ଘୋଷଣା କରାନଗଲେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର