ସଂକଟରେ ଅଟୋମୋବାଇଲ ଶିଳ୍ପ : ସରକାରଙ୍କ ସହାୟତା ଲୋଡିଲା

ନୂଆଦିଲ୍ଲୀ : ଭୟଙ୍କର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବା ଅଟୋମୋବାଇଲ ଶିଳ୍ପ ସରକାରଙ୍କ ସହାୟତା ଲୋଡିଛି । ଆଜି ବିଭିନ୍ନ ଅଟୋମୋବାଇଲ କମ୍ପାନିର ମୁଖ୍ୟମାନେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଷ୍ଟିମୁଲସ (ଆର୍ଥିକ ସହାୟତା) ପ୍ୟାକେଜ ପାଇଁ ଦାବି କରିଛନ୍ତି । ଏହାଛଡା ସେମାନେ ଯାନବାହାନ ଉପରୁ ଜିଏସଟି ହ୍ରାସ, ବ୍ୟାଙ୍କ ଋଣ ପ୍ରଦାନ ବୃଦ୍ଧି ଆଦି ଲାଗି ଦାବି କରିଛନ୍ତି । ମାରୁତି,ମହିନ୍ଦ୍ରା, ଟାଟା ଆଦି କମ୍ପାନି ଓ ଅଟୋମୋବାଇଲ ସଂଘ ସିଆମର ସଭାପତି ରାଜନ ଓ୍ଵାଧେରା ସୀତାରମଣଙ୍କୁ ଭେଟିଛନ୍ତି ।

ସୂଚନାଯୋଗ୍ୟ ଯେ ଦେଶର ଅଟୋମୋବାଇଲ ଉଦ୍ୟୋଗରେ ମାନ୍ଦାବସ୍ଥା ଦେଖାଦେଇଛି । ପ୍ରାୟ ସବୁ ପ୍ରମୁଖ ଅଟୋମୋବାଇଲ କମ୍ପାନିର ବିକ୍ରି କମିଚାଲିଛି । ଏହା ଫଳରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ହରେଇବା ଆରମ୍ଭ କରିଛନ୍ତି । ଭାରତର ୧ ନମ୍ବର କାର କମ୍ପାନି ମାରୁତି ସୁଜୁକୀର ବିକ୍ରି ଗତ ଜୁଲାଇ ମାସରେ ୩୩ ପ୍ରତିଶତ ହ୍ରାସ ପାଇଛି । ସେହିପରି ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ଟାଟା ମୋଟର୍ସର ବିକ୍ରି ମଧ୍ୟ ୩୪ ପ୍ରତିଶତ ହ୍ରାସ ପାଇଛି । ମହିନ୍ଦ୍ରା କମ୍ପାନିର ବିକ୍ରି ୧୫ ପ୍ରତିଶତ ହ୍ରାସ ପାଇଛି । କେବଳ ଜୁଲାଇ ନୁହେଁ, ବିଗତ କିଛି ମାସ ଧରି ଅଟୋମୋବାଇଲ ଶିଳ୍ପରେ ଏହି ମାନ୍ଦାବସ୍ଥା ବଜାୟ ରହିଛି ।

ସମ୍ବନ୍ଧିତ ଖବର