ଅନିଲଙ୍କ ଉପରେ ଚାରିଆଡ଼ୁ ଚାପ, ହାତରେ ଆଉ ମାତ୍ର ଦୁଇ ଦିନ

ଟଙ୍କା ଯୋଗାଡ଼ କରିନପାରିଲେ ଜେଲ୍‌, ୭୦୦ କୋଟି ମାଗିଲା ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ: ଧୀରୁଭାଇ ଅମ୍ବାନିଙ୍କ ସାନ ପୁଅଙ୍କ ସମସ୍ୟା ଆହୁରି ବଢ଼ିଯାଇଛି। ନିଜ ପ୍ରତିଷ୍ଠା ବଞ୍ଚାଇବାକୁ ସଂଘର୍ଷ କରୁଥିବା ଅନିଲଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଦୁଇ ଦିନ ତଳେ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି) ଏକ ଝଟ୍‌କା ଦେଇଥିଲେ। ତାଙ୍କ ମୋବାଇଲ୍‌ କଂପାନି ରିଲାଏନ୍ସ କମ୍ୟୁନିକେସନ ନାମରେ ଯେଉଁ ୨୬୦ କୋଟି ଟଙ୍କାର ଆୟକର ରିଟର୍ଣ୍ଣ ଆସିଛି ତାହା କଂପାନି ଖାତାକୁ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦେବାକୁ ଟ୍ରିବ୍ୟୁନାଲ୍‌ ମନା କରିଦେଇଥିଲେ। ଏରିକ୍ସନକୁ ସେହି ଟଙ୍କା ପେମେଣ୍ଟ୍‌ କରିବାକୁ ଚାହୁଁଥିଲେ ଅନିଲ। ଏରିକ୍ସନ ସମସ୍ୟା ତୁଟିନଥିବା ବେଳେ ସରକାରୀ ମୋବାଇଲ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ) ଏବେ ଅନିଲଙ୍କ ପଛରେ ପଡ଼ିଯାଇଛି। ତାଙ୍କ କଂପାନି ଠାରୁ ୭୦୦ କୋଟି ଟଙ୍କା ପାଇବା ପାଇଁ ବିଏସ୍‌ଏନ୍‌ଏଲ୍‌ ଏନ୍‌ସିଏଲ୍‌ଟି ଯିବାକୁ ଧମକ ଦେଇଛି। ରିଲାଏନ୍ସ କମ୍ୟୁନିକେସନ ଯେଉଁ ୧୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିଲା ତାହାକୁ ବିଏସ୍‌ଏନ୍‌ଏଲ୍‌ ନିଜ ଖାତାକୁ ନେଇସାରିଛି। ବଳକା ଟଙ୍କା ଆଦାୟ କରିବା ପାଇଁ ଏହା ଆଇନର ସହାୟତା ନେବାକୁ ଚାହୁଁଛି। ସେଥିପାଇଁ ଏକ ଆଇନ ଫାର୍ମକୁ ନିଯୁକ୍ତ କରିଛି। ମାର୍ଚ ୧୯ ସୁଦ୍ଧା ଏରିକ୍ସନର ସବୁ ପେମେଣ୍ଟ୍‌ ‌ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଅନିଲଙ୍କୁ ନିର୍ଦେଶ ଦେଇଛନ୍ତି। ସେହି ନିର୍ଦେଶ ପାଳନ କରିବା ପାଇଁ ତାଙ୍କ ପାଖରେ ଆଉ ମାତ୍ର ଦୁଇ ଦିନର ସମୟ ରହିଛି। ଯଦି ଟଙ୍କା ଯୋଗାଡ଼ କରିବା‌ରେ ସେ ବିଫଳ ହେବେ ତେବେ ସୁପ୍ରିମକୋର୍ଟଙ୍କ ଚେତାବନୀ ମୁତାବକ ତାଙ୍କୁ ତିନି ମାସ ଜେଲ୍ ଯିବାକୁ ପଡ଼ିବ। ରିଲାଏନ୍ସ କମ୍ୟୁନିକେସନର ନେଟ୍‌ୱର୍କକୁ ବିଦେଶୀ କଂପାନି ଏରିକ୍ସନ ସମ୍ଭାଳୁଥିଲା। ମାତ୍ର ଅନିଲଙ୍କ ବଡ଼ ଭାଇ ମୁକେଶଙ୍କ ରିଲାଏନ୍ସ ଜିଓ ମୋବାଇଲ୍‌ କାରବାରରେ ପ୍ରବେଶ କରିବା ପରେ ଅନ୍ୟ ସବୁ କଂପାନି ଭଳି ଅନିଲଙ୍କ ରିଲାଏନ୍ସ କମ୍ୟୁନିକେସନର ଅବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା। ଏରିକ୍ସନକୁ ଦେବାକୁ ଥିବା ୫୭୧ କୋଟି ଟଙ୍କା କଂପାନି ଦେଇପାରିନଥିଲା। ବହୁ ଦିନ ପର୍ଯ୍ୟନ୍ତ ନିଜ ପ୍ରାପ୍ୟ ନପାଇବାରୁ ଏରିକ୍ସନ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ଏବଂ ଶୁଣାଣି ବେଳେ ଅନିଲ ପ୍ରତିଶ୍ରୁତି ଦେଇଥିଲେ ଯେ ଏକ ନିର୍ଦିଷ୍ଟ ସମୟ ଭିତରେ ସେ ସବୁ ପେମେଣ୍ଟ୍‌ କରିଦେବେ। କିନ୍ତୁ ଟଙ୍କା ଯୋଗାଡ଼ ନହେବାରୁୁ କୋର୍ଟଙ୍କ ନିର୍ଦେଶ ପାଳନ କରିପାରିଲେ ନାହିଁ। ଏହା ପରେ କିଛି ମାସ ତଳେ ଏରିକ୍ସନ ପକ୍ଷରୁ ଅନିଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା ଏବଂ ସେଥିରେ ଅନିଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏରିକ୍ସନକୁ ରିଲାଏନ୍ସ କମ୍ୟୁନିକେସନ ୧୧୮ କୋଟି ଟଙ୍କା ଦେଇସାରିଛି। ବଳକା ୪୫୩ କୋଟି ଟଙ୍କା ମାର୍ଚ ୧୯ ସୁଦ୍ଧା ଦେଇନପାରିଲେ ଜେଲ୍ ଯିବାକୁ ପ୍ରସ୍ତୁତ ରହିବାକୁ ସୁପ୍ରିମକୋର୍ଟ ଅନିଲଙ୍କୁ କହିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୦୨ରେ ଧରୁଭାଇ ଅମ୍ବାନିଙ୍କ ଦେହାନ୍ତ ହେବା ପରେ ତାଙ୍କ ଦୁଇ ପୁଅ ମୁକେଶ ଏବଂ ଅନିଲଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଯେହେତୁ ଧୀରୁଭାଇ ନିଜର କୌଣସି ଇଚ୍ଛାପତ୍ର ପ୍ରସ୍ତୁତ କରିନଥିଲେ, ତେଣୁ ଦୁଇ ଭାଇଙ୍କ ଭିତରେ ଝଗଡ଼ା ଚରମ ସୀମାରେ ପହଞ୍ଚିଥିଲା। ମା’ କୋକିଳାବେନ ଅମ୍ବାନିଙ୍କ ହସ୍ତକ୍ଷେପ ପରେ ୨୦୦୫ରେ ଦୁଇ ଭାଇଙ୍କ ଭିତରେ ଧୀରୁଭାଇଙ୍କ ସାମ୍ରାଜ୍ୟକୁ ବାଣ୍ଟି ଦିଆଯାଇଥିଲା। ପେଟ୍ରୋଲିୟମ କାରବାରରେ ସକ୍ରିୟ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁକେଶଙ୍କ ଭାଗରେ ପଡ଼ିଥିଲା ଏବଂ ସେହି ସମୟରେ ସବୁଠୁ ଲାଭଜନକ କଂପାନି ଥିବା ରିଲାଏନ୍ସ କମ୍ୟୁନିକେସନ ଅନିଲଙ୍କ ଭାଗରେ ପଡ଼ିଥିଲା। ଏକ ଦଶନ୍ଧୀ ପରେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମୁକେଶ ଦେଶର ଏକ ନମ୍ବର ଧନୀ ‌ଭାବେ ନିଜର ସ୍ଥିତି ମଜବୁତ କରିନେଇଥିବା ବେଳେ ଅନିଲଙ୍କ ଗୋଟିଏ ପରେ ଗୋଟିଏ କଂପାନି ସଙ୍କଟ ମଧ୍ୟକୁ ଠେଲି ହୋଇଯାଉଛି। ଏହା ବ୍ୟତୀତ ରାଫେଲ୍ ବିବାଦ ମଧ୍ୟ ତାଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି ଯାହା ଚଳିତ ବର୍ଷ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ଭା‌ବେ ଉଭା ହୋଇଛି। ଅନିଲ କୁବେରରୁ ରଙ୍କ ପାଲଟି ଯାଇଛନ୍ତି।

ସମ୍ବନ୍ଧିତ ଖବର