ଭୁବନେଶ୍ବର: ଓଡ଼ିଶା ଇନ୍ଧନକୁ ନେଇ ଆକାଶରେ ଉଡ଼ିବ ବିମାନ। ରାଜ୍ୟରେ ଉତ୍ପାଦନ ହେବାକୁ ଯାଉଛି ବିମାନ ଇନ୍ଧନ। ଖୁବ୍‌ଶୀଘ୍ର ଏନେଇ ଘୋଷଣା ହେବା ସମ୍ଭାବନା ରହିଛି। ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ର ସହାୟକ କମ୍ପାନି ନୁମାଲିଗଡ଼ ରିଫାଇନାରି ଲିମିଟେଡ୍‌ ଓଡ଼ିଶାରେ ଏକ ବିମାନ ଇନ୍ଧନ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। କମ୍ପାନିର ଅଧ୍ୟକ୍ଷ ରଣଜିତ୍‌ ରଥ ଏନେଇ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପରେ କେତେ ନିବେଶ ହେବ ତାହା ଜଣାପଡ଼ିନାହିଁ। ଶ୍ରୀ ରଥ କହିଛନ୍ତି ଯେ ନୁମାଲିଗଡ଼ ରିଫାଇନାରି ପକ୍ଷରୁ ଓଡ଼ିଶାରେ ବାର୍ଷିକ ୨୦୦ କିଲୋ ଟନ୍ କ୍ଷମତା ବିଶିଷ୍ଟ ବିମାନ ଇନ୍ଧନ କାରଖାନା ସ୍ଥାପନ କରାଯିବ। ୨୦୪୦ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ଦିଗରେ ଏହି କାରଖାନା ସହାୟକ ହେବ।

Advertisment

‘ନୁମାଲିଗଡ଼ ରିଫାଇନାରି’ ଉତ୍ପାଦନ କରିବ
ଉପକୂଳ ଅଞ୍ଚଳରେ ବସାଇବ କାରଖାନା

ବର୍ତ୍ତମାନ ଏହି ପ୍ରକଳ୍ପର ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରାଯାଉଛି। ରାଜ୍ୟର ଯେକୌଣସି ଉପକୂଳ ଅଞ୍ଚଳରେ ଏହି କାରଖାନାକୁ ସ୍ଥାପନ କରାଯିବ। ରପ୍ତାନି ସୁଯୋଗକୁ ଦୃଷ୍ଟିରେ ରଖି କମ୍ପାନି ଏହି କାରଖାନା ବସାଇବାକୁ ଚାହୁଛି। ରପ୍ତାନି ଲକ୍ଷ୍ୟ ଥିବାରୁ ଏହି କାରଖାନା ବନ୍ଦର ଥିବା ଅଞ୍ଚଳ ପାରାଦୀପ, ଧାମରା କିମ୍ବା ଗୋପାଳପୁର ନିକଟରେ ସ୍ଥାପନ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ବିମାନ ଇନ୍ଧନ ଶିଳ୍ପ ବାର୍ଷିକ ୭ ପ୍ରତିଶତ ହାରରେ ଆଗକୁ ବଢ଼ୁଛି। ଏହା ଏକ ଭଲ ବ୍ୟବସାୟ ମଡେଲ୍‌ ଭାବେ ଉଭା ହୋଇଛି। ଯେହେତୁ ଦେଶ ଭିତରେ ଚାହିଦା ବହୁତ ଭଲ ରହିଛି, ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ରପ୍ତାନି ଉପରେ ବିଶେଷ ଧ୍ୟାନ ଦେବ ନାହିଁ। କିନ୍ତୁ କାରଖାନା ସ୍ଥାପନ ହେବାର ପାଞ୍ଚ ବର୍ଷ ପରେ ରପ୍ତାନି ସୁଯୋଗ ସନ୍ଧାନ କରିବ। ନୁମାଲିଗଡ଼ ରିଫାଇନାରି ପକ୍ଷରୁ ଏହାର ବିଶୋଧନ କ୍ଷମତାକୁ ବାର୍ଷିକ ୯ ନିୟୁତ ଟନ୍‌କୁ ବୃଦ୍ଧି କରାଯାଉଛି। ଏଥି ସହିତ ପାରାଦୀପ ବନ୍ଦରରୁ ଆସାମର ଗୋଲାଘାଟ ଜିଲ୍ଲାରେ ଥିବା ନୁମାଲିଗଡ଼ ପର୍ଯ୍ୟନ୍ତ ୧୬୩୫ କିଲୋମିଟରର ଅଶୋଧିତ ତୈଳ ପାଇପ୍‌ଲାଇନ୍‌ ସ୍ଥାପନ କରିବା ମଧ୍ୟ ଯୋଜନା ରହିଛି। 

ଓଡ଼ିଶାକୁ ଏକ ପେଟ୍ରୋଲିୟମ୍‌ ହବ୍‌ରେ ପରିଣତ କରିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା ୧୦ ବର୍ଷରେ ଏହି କ୍ଷେତ୍ରକୁ ୧.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପାରାଦୀପକୁ ପେଟ୍ରୋଲିୟମ୍ ହବ୍‌ରେ ରୂପାନ୍ତରୀତ କରାଯିବ। ସେଠାରେ ଇଣ୍ଡିଆନ୍ ଅଏଲ୍‌ର ତୈଳ ବିଶୋଧନ ପ୍ରକଳ୍ପ ରହିଛି। କମ୍ପାନି ପକ୍ଷରୁ ପାରାଦୀପରେ ଏକ ଡୁଆଲ୍-ଫିଡ୍ ନାପ୍‌ଥା କ୍ରାକର୍ ୟୁନିଟ୍ରେ ୬୧ ହଜାର କୋଟି ଟଙ୍କା ନିବେଶ କରାଯିବ।