କର୍କଟ ରୋଗ ଉପରେ ସଚେତନତା‌ ପାଇଁ ଗୋପାଳପୁରରୁ ପୁନେ ସାଇକ୍ଲୋଥନ୍‌

ଭୁବନେଶ୍ବର: ଜାତୀୟ ସ୍ତରର ସ୍ବେଚ୍ଛସେବୀ ସଂଗଠନ ଗ୍ରାମୀଣ ସ୍ନେହ ଫାଉଣ୍ଡେସନ ପକ୍ଷରୁ କର୍କଟ ରୋଗ ସଂକ୍ରାନ୍ତରେ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ ‌କରିବ। ପ୍ରାଥିମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ, ଚିକିତ୍ସା ଲାଗି ଏହି ଅଭିଯାନରେ ଗୁରୁତ୍ବ ଦିଆଯିବ। ଆସନ୍ତା ୨ ତାରିଖରୁ ଗୋପାଳପୁରରୁ ଏକ ସାଇକ୍ଲୋଥନ ଆରମ୍ଭ ହେବ। ‘ହୌସଲା କର୍କଟ ସଚେତନତା ଅଭିଯାନ’ ନାମରେ ଏହା ହେବ। ୧୪୮୧ କିମି ଦୂର ଅତିକ୍ରମ କରିବା ସହିତ ମହାରାଷ୍ଟ୍ରର ପୁନେଠାରେ ଏହା ଶେଷହେବ। ଓଡ଼ିଶା ପ୍ରେସ କ୍ଲବ ପରିସରରେ ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଗଠନର ନ୍ୟାସନାଲ ସେକ୍ରେଟାରି ଗଙ୍ଗା କୁମାର। ସେ କହିଛନ୍ତି ଏହି ‌ସାଇକ୍ଲୋଥନ ଆସନ୍ତା ୨ ତାରିଖରୁ ଗୋପାଳପୁରରୁ ବାହାରି ଓଡ଼ିଶା ସମେତ ଦେଶର ପାଞ୍ଚଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର ପର୍ଯ୍ୟନ୍ତ ଯିବ। ୧୪ଟି ଜିଲ୍ଲାରେ ଏ ନେଇ ଅଭିଯାନ ହେବ। ବିଭିନ୍ନ ଜିଲ୍ଲାର ୪୬ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଭାମାନ ଆୟୋଜନ କରାଯିବ। ଭାରତୀୟ ସେନାର ଅବସରପ୍ରାପ୍ତ କର୍ମଚାରୀ କେ. ଗଜାନନ ଏହି ସାଇକ୍ଲୋଥନର ନେତୃତ୍ବ ନେବେ। ବିଶିଷ୍ଟ ସାମାଜିକ କର୍ମୀ ସ୍ନେହା ରାଉତରାୟ ଏବଂ ଅଭିନେତ୍ରୀ ମନିଷା କୋଇରାଲା ପ୍ରମୁଖ ଏହି ଅଭିଯାନରେ ସାମିଲ ହେବେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର-କଟକର ନିର୍ଦ୍ଦେଶକ ଡା. ଏଲ୍‌. ଷଡ଼ଙ୍ଗୀ, ଅର୍ଜୁନ ପୁରସ୍କାରପ୍ରାପ୍ତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଇକ୍ଲିଷ୍ଟ ମିନତି ମହାପାତ୍ର, ପଦ୍ମାବଦୀ ରାଉତରାୟ, ଗଜାନନ କାଲେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର