ମେ ୧ ତାରିଖରୁ ଏହି ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ମେ ୧ ତାରିଖରୁ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିପାରେ | ଆକ୍ସିସ୍ ବ୍ୟାଙ୍କ ଏହାର ଅନେକ ସେବାକୁ ମେ ୧ ରୁ ମହଙ୍ଗା କରିବାକୁ ଘୋଷଣା କରିଛି। ଆକ୍ସିସ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆପଣ ଏଟିଏମରୁ ମାସରେ ଚାରିଥର ପର୍ଯ୍ୟନ୍ତ ଟଙ୍କା ଉଠାଇଲେ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ | ତେବେ ଆପଣ ଏଟିଏମ ମାଧ୍ୟମରେ ମାସକୁ ୨ ଲକ୍ଷରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ | ତେବେ ବର୍ତ୍ତମାନ ୪ଟି କାରବାର ପରେ, ବ୍ୟାଙ୍କ ଆପଣଙ୍କୁ ୧୦୦୦ ଟଙ୍କାର ପ୍ରତ୍ୟେକ ଟଙ୍କା ଉଠାଣ ପାଇଁ ୫ ଟଙ୍କା ଚାର୍ଜ କରିଥାଏ | ତେବେ ମେ ୧ ରୁ ବର୍ତ୍ତମାନ ଥିବା ୫ ଟଙ୍କା ବଦଳରେ ୧୦ ଟଙ୍କା ଆଦାୟ କରାଯିବ |

ସେହିପରି ସହଜ ସଞ୍ଚୟ ଯୋଜନା ପାଇଁ ହାରାହାରି ବାଲାନ୍ସ ମେଟ୍ରୋ ସହରଗୁଡିକରେ ୧୦,୦୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି | ପ୍ରାଇମ ଏବଂ ଲିବର୍ଟି ସେଭିଂ ଆକାଉଣ୍ଟ ପାଇଁ ମାସିକ ହାରାହାରି ବାଲାନ୍ସ ସୀମା ୧୫,୦୦୦ ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି | ମେ ୧ ପରେ ଯଦି ଏହି ବାଲାନ୍ସ ନ ରହେ ତେବେ, ୧୦୦ ଟଙ୍କା କମିବା ମାତ୍ରେ ୧୦ ଟଙ୍କା ଲେଖାଏଁ ଚାର୍ଜ କରାଯିବ | ତେବେ ବ୍ୟାଙ୍କ ଏଥିପାଇଁ ସର୍ବନିମ୍ନ ଚାର୍ଜକୁ ୧୫୦ ରୁ ୫୦ ଟଙ୍କାକୁ ହ୍ରାସ କରିଛି। କିନ୍ତୁ ସର୍ବାଧିକ ଚାର୍ଜ ୬୦୦ ରୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଆକ୍ସିସ୍ ବ୍ୟାଙ୍କ ମଧ୍ୟ ବେତନ ଆକାଉଣ୍ଟ ପାଇଁ ନିୟମ ପରିବର୍ତ୍ତନ କରିଛି |

ଯଦି ଆପଣଙ୍କର ବେତନ ଆକାଉଣ୍ଟ ୬ ମାସରୁ ଅଧିକ ପୁରୁଣା ହୋଇଥାଏ ଓ ୬ ମାସ ମଧ୍ୟରେ କୌଣସି ଦରମା ଆସିନଥାଏ, ତେବେ ପ୍ରତି ମାସରେ ୧୦୦ ଟଙ୍କା ଚାର୍ଜ କରାଯିବ | ସେହିପରି ଯଦି ଆପଣଙ୍କର ଆକାଉଣ୍ଟରେ ୧୭ ମାସ ପାଇଁ କୌଣସି କାରବାର ହୋଇନଥାଏ, ତେବେ ୧୮ ମାସରେ, ଏକାସାଙ୍ଗରେ ୧୦୦ ଟଙ୍କାରେ ଚାର୍ଜ ଆଦାୟ ହେବ | ଏହା ବ୍ୟତୀତ, ପାନ୍ / ଫର୍ମ ୬୦ ବିବରଣୀ, ଠିକଣା ପରିବର୍ତ୍ତନ, ଇମେଲ ଆଇଡି ପରିବର୍ତ୍ତନ ପାଇଁ ୧୦୦ ଟଙ୍କା ଦେବାକୁ ପଡିବ |

ସମ୍ବନ୍ଧିତ ଖବର